ହିମାଚଳ ‘ହାତ’କୁ ବଞ୍ଚାଇପାରିବେ ତ କଂଗ୍ରେସର ଚାଣକ୍ୟ? ପୂର୍ବରୁ କଂଗ୍ରେସକୁ ଅନେକ ସଙ୍କଟରୁ ରକ୍ଷା କରିଛନ୍ତି ଶିବକୁମାର ।

317

କନକ ବ୍ୟୁରୋ: ହିମାଚଳ ‘ହାତ’ ଏବେ ହରଡ଼ଘଣାରେ ପଡ଼ିଛି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ଶୁଖୁଙ୍କ ଇସ୍ତଫା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ନିଜେ ସୁଖବିନ୍ଦର । ବିଧାନସଭାରେ ବଜେଟ୍ ଉପସ୍ଥାପନ ପୂର୍ବରୁ ବହୁମତ ସାବ୍ୟସ୍ତ କରିବେ ବୋଲି କହିଛନ୍ତି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ । ସେପଟେ ସୁଖବିନ୍ଦରଙ୍କ ସରକାର ନିଶ୍ଚିତ ଭଙ୍ଗ ହେବ ବୋଲି ଦାବି କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ବିଧାୟକ ଜୟରାମ ଠାକୁର । ଘଡ଼ିକେ ଘୋଡ଼ା ଛୁଟୁଥିବା ବେଳେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ଚାଣକ୍ୟ ଡି.କେ ଶିବକୁମାରଙ୍କୁ ହିମାଚଳପ୍ରଦେଶକୁ ଡକାଇଛନ୍ତି କଂଗ୍ରେସ ହାଇକମାଣ୍ଡ ।

ରାଜ୍ୟସଭା ନିର୍ବାଚନରେ ୬ କଂଗ୍ରେସ ବିଧାୟକ କ୍ରସ୍ ଭୋଟିଂ କରିବା ଦ୍ୱାରା ବିଜେପି ପ୍ରାର୍ଥୀ ହର୍ଷ ମହାଜନ ବିଜୟୀ ହୋଇଛନ୍ତି । ଏହାପରଠାରୁ ହିମାଚଳ ରାଜନୀତିରେ ଭୂମିକମ୍ପ ଦେଖିବାକୁ ମିଳିଛି । ସେପଟେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ମୁଖ୍ୟମନ୍ତ୍ରୀ ସୁଖବିନ୍ଦରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ ବିକ୍ରମାଦିତ୍ୟ ସିଂହ । ଅନ୍ୟପଟେ କଂଗ୍ରେସ ବିଧାୟକ କାହିଁକି କ୍ରସ୍ ଭୋଟିଂ କଲେ ଏହାକୁ ନେଇ ତଦନ୍ତ କରିବ କଂଗ୍ରେସର ଏକ ପର୍ଯ୍ୟବେକ୍ଷକ ଟିମ୍ । ଆଉ ଏହି ପର୍ଯ୍ୟବେକ୍ଷକ ଟିମରେ ଅଛନ୍ତି କଂଗ୍ରେସର ଚାଣକ୍ୟ କୁହାଯାଉଥିବା ଡି.କେ ଶିବକୁମାର । ଏବଂ ଏମାନଙ୍କୁ ନିୟୋଜିତ କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ୍ ଖଡଗେ ।

ପ୍ରତିଥର ଭଳି ଏଥର ବି ହିମାଚଳରେ ‘ହାତ’କୁ ରକ୍ଷା କରିବା ପାଇଁ ଶିବକୁମାରଙ୍କୁ ଡାକରା ହୋଇଛି । କାରଣ ପୂର୍ବରୁ କଂଗ୍ରେସକୁ ଅନେକ ରାଜ୍ୟରେ ସଙ୍କଟରୁ ରକ୍ଷା କରି ଚର୍ଚ୍ଚାରେ ରହି ଆସିଛନ୍ତି ଶିବକୁମାର । କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦ ନପାଇଥିଲେ ବି ଉପମୁଖ୍ୟମନ୍ତ୍ରୀ ପଦରେ ବସି ସନ୍ତୁଷ୍ଟ ହୋଇ କଂଗ୍ରେସ ହାଇକମାଣ୍ଡଙ୍କ ଆସ୍ଥାଭାଜନ ହୋଇପାରିଛନ୍ତି ସେ । ଏପରିକି କର୍ଣ୍ଣାଟକ ଏବଂ ତେଲେଙ୍ଗାନାରେ କଂଗ୍ରେସ ସରକାର ଗଢ଼ିବାରେ ଶିବକୁମାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା । ଖାଲି ଏତିକି ନୁହେଁ ଦକ୍ଷିଣ ଭାରତରୁ ଉତ୍ତର ଭାରତ ଯାଏଁ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ମଧ୍ୟ ଶିବକୁମାରଙ୍କ ଭୂମିକା ବେଶ୍ ପ୍ରଶଂସନୀୟ ବୋଲି କଂଗ୍ରେସ ମହଲରେ ଚର୍ଚ୍ଚା ପାଲଟିଛି ।

ଅପରପକ୍ଷେ ଗୁଜରାଟ ରାଜ୍ୟସଭା ନିର୍ବାଚନ ସମୟରେ ମଧ୍ୟ ଅହମ୍ମଦ ପଟେଲଙ୍କ ପରାଜୟକୁ ବିଜରେ ପରିଣତ କରି ଅହମ୍ମଦଙ୍କୁ ଜିତାଇ ସୋନିଆ ଗାନ୍ଧୀଙ୍କ ନିକଟତର ହୋଇପାରିଥିଲେ ଶିବକୁମାର । ଖାଲି ଏତିକି ନୁହେଁ କର୍ଣ୍ଣାଟକରେ ମଧ୍ୟ ପଦ୍ମର ଚାଲ୍ ମାତ୍ ଦେଇ ହାତକୁ ଉଠାଇଥିଲେ କଂଗ୍ରେସର ଏହି ଚାଣକ୍ୟ । ଏବେ ତାଙ୍କ ଉପରେ କଂଗ୍ରେସ ହାଇକମାଣ୍ଡ ହିମାଚଳରେ ‘ହାତ’କୁ ରକ୍ଷା କରିବାର ଦାୟିତ୍ୱ ଦେଇଛନ୍ତି ଆଉ ଏନେଇ ଡି.କେ ଶିବକୁମାର କହିଛନ୍ତି ଯେ, ମୋତେ ଦଳର ସୁପ୍ରିମୋ ଡାକରା ଦେଇଛନ୍ତି ମୁଁ ଖୁବଶୀଘ୍ର ହିମାଚଳପ୍ରଦେଶରେ ଯାଇ ପହଞ୍ଚିବି । ମୁଁ କୌଣସି ଗୁଜବରେ ବିଶ୍ୱାସ କରେନି କାରଣ ମୁଁ ଜାଣିଛି କଂଗ୍ରେସ ବିଧାୟକମାନେ ଦଳପ୍ରତି ବିଶ୍ୱସ୍ତ । ସେମାନଙ୍କୁ ଦିଆଯାଇଥିବା ପ୍ରତିଟି ଆଦେଶକୁ ପାଳନ କରିବେ । କିନ୍ତୁ ହିମାଚଳପ୍ରଦେଶ ଏଭଳି ତୁଚ୍ଛ ରାଜନୀତି ପଛରେ ବିଜେପିର ଷଡ଼ଯନ୍ତ୍ର ସ୍ପଷ୍ଟ ବାରି ହୋଇପଡୁଛି । ଜନତା ଏବଂ ଜନାଦେଶକୁ କିଭଳି କ୍ଷମତା ଲୋଭରେ ପାଦରେ ଦଳିଚକଟି ଦିଆଯାଏ ତାହା ବିଜେପିର ଏଭଳି କାର୍ଯ୍ୟକଳାପରୁ ଦେଶବାସୀ ଜାଣିପାରୁଛନ୍ତି ।