ମହାରାଷ୍ଟ୍ର ରାଜନୀତିରେ ବଢୁଛି ଅଡୁଆ । ଭାଙ୍ଗିବ କି ବିଧାନସଭା ?

152

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଘୋଡା ଛୁଟୁଛି । ଏକାନାଥ ସିନ୍ଦେଙ୍କ ସମର୍ଥନରେ ଆଉ ତିନି ବିଧାୟକ ଗୁଆହାଟୀରେ ପହଞ୍ଚିଛନ୍ତି । ଫଳରେ ସିନ୍ଦେଙ୍କ ସମର୍ଥନରେ ବିଧାୟକଙ୍କ ସଖ୍ୟା ୩୭ରେ ପହିଂଚିଛି । ୪୦ ବିଧାୟକଙ୍କ ସମର୍ଥନ ଥିବା ଦାବି କରୁଛନ୍ତି ଏକନାଥ ସିନ୍ଦେ । ଶିବସେନାର ବିଦ୍ରୋହୀ ନେତା ଓ ୪ ସ୍ୱାଧୀନ ବିଧାୟକଙ୍କ ସମେତ ୩୪ ବିଧାୟକ ରାଜ୍ୟପାଳଙ୍କୁ ଚିଠି ଲେଖି ଏକନାଥଙ୍କୁ ସମର୍ଥନ କରୁଥିବା ଜଣାଇଛନ୍ତି । ଏଥିରେ ଶିବସେନା ନେତାମାନେ ଲେଖିଛନ୍ତି ଯେ, ଶିବସେନା ବିଚାରଧାରାରେ ଗତ ଦୁଇ ବର୍ଷ ହେବ ସାଲିସ କରାଯାଇଛି । ସରକାରରେ ହେଉଥିବା ଦୁର୍ନୀତି ପ୍ରସଙ୍ଗରେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ମଧ୍ୟରେ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି ଏନସିପି ନେତା ଶରଦ ପାୱାର । ଏନ୍ସିପି ବିଧାୟକଙ୍କ ବୈଠକ ଡାକିଛନ୍ତି ଶରଦ ପାୱାର । ସେହିପରି ଆଜି ଉଦ୍ଧବ ଠାକରେଙ୍କ ସମର୍ଥନରେ ଥିବା ଶିବସେନା ବିଧାୟକଙ୍କ ମଧ୍ୟ ବୈଠକ ବସିବ । ଏହାରି ଭତିରେ ଭାବପ୍ରବଣତାର କାର୍ଡ ଖେଳିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଘର ଛାଡ଼ି ପୈତୃକ ବାସଭବନ ମାତୋଶ୍ରୀଙ୍କୁ ଚାଲି ଯାଇଛନ୍ତି । ଉଦ୍ଧବ କହିଛନ୍ତି, ଯଦି ଜଣେ ବି ଅସନ୍ତୁଷ୍ଟ ବିଧାୟକ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ କହିବେ, ତା’ହେଲେ ସେ ପଦ ଛାଡିଦେବେ । ସେ ଇସ୍ତଫାପତ୍ର ପ୍ରସ୍ତୁତ କରି ରଖିଛନ୍ତି ।

କେଉଁ ପରିସ୍ଥିତିରେ ଭଙ୍ଗ ହୁଏ ବିଧାନସଭା ?

ରାଜ୍ୟରେ ଯେତେବେଳେ କୌଣସି ଦଳକୁ ବହୁମତ ମିଳେନାହିଁ ଏବଂ ଅନ୍ୟ ଦଳର ନେତା ମିଶି ସରକାର ଗଢିପାରନ୍ତି ନାହିଁ ସେତେବେଳେ ରାଜ୍ୟପାଳ ବିଧାନସଭାକୁ ଭଙ୍ଗ କରିଥାନ୍ତି ।

ସମ୍ବିଧାନର ଧାରା ୩୫୬ ଅନୁସାରେ ଯଦି ଗୋଟିଏ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶର ପାଳନ କରିବାରେ ଅସମର୍ଥ ହୁଏ କିମ୍ବା ସମ୍ବିଧାନ ପ୍ରଦତ୍ତ ନିୟମର ପାଳନ କରିନଥାଏ ସେତେବେଳେ ରାଜ୍ୟପାଳ ଦେଶର ରାଷ୍ଟ୍ରପତିଙ୍କୁ ରିପୋର୍ଟ ପ୍ରଦାନ କରନ୍ତି । କେନ୍ଦ୍ର କ୍ୟାବିନେଟର ପରାମର୍ଶ ଆଧାରରେ ରାଜ୍ୟର ବିଧାନସଭାକୁ ଭଙ୍ଗ କରି ରାଷ୍ଟ୍ରପତି ଶାସନ ଲାଗୁ କରାଯାଇପାରେ ।

ଯଦି ରାଜ୍ୟରେ ମେଂଟ ସରକାର ସଂଖ୍ୟାଲଘୁରେ ପରିଣତ ହୁଏ ଏବଂ ଅନ୍ୟ ଦଳ ପାଖରେ ସରକାର ଗଢିବାକୁ ଆବଶ୍ୟକ ସଂଖ୍ୟା ନଥାଏ ତାହାହେଲେ ରାଜ୍ୟପାଳ ନିର୍ବାଚନ କରାଇବା ଉଦ୍ଦେଶ୍ୟରେ ବିଧାନସଭାକୁ ଭଙ୍ଗ କରିଥାନ୍ତି । ଯେଭଳି ସ୍ଥିତି ବର୍ତ୍ତମାନ ମହାରାଷ୍ଟ୍ରରରେ ସୃଷ୍ଟି ହେଲଭଳି ଲାଗୁଛି ।

ରାଜ୍ୟର ବିଭାଜନ କିମ୍ବା ବାହାର ଆକ୍ରମଣ ଭଳି ବିଶେଷ ପରିସ୍ଥିତିରେ ଯଦି ବିଧାନସଭା ନିର୍ବାଚନ ସ୍ଥଗିତ ରଖିବାକୁ ପଡେ ତାହାହେଲେ ରାଜ୍ୟପାଳ ବିଧାନସଭାକୁ ଭଙ୍ଗ କରିପାରନ୍ତି ଏବଂ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ସୁପାରିସ କରିଥାନ୍ତି ।

ଅବଶ୍ୟ ରାଜ୍ୟପାଳଙ୍କ ଦ୍ୱାରା ନିଆଯାଇଥିବା ଏହ ନିଷ୍ପତ୍ତି ଉପରେ ୨ ମାସ ମଧ୍ୟରେ ସଂସଦର ଉଭୟ ଗୃହର ଅନୁମୋଦର ଦରକାର ।

ବିଧାନସଭା ଭଙ୍ଗ ବିରୋଧରେ ମାମଲା ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟକୁ ଗଲେ ଏବଂ କୋର୍ଟ ବେଆଇନ ଢଙ୍ଗରେ ବିଧାନସଭା ଭଙ୍ଗ ହୋଇଥିବା ଉପଲବ୍ଧି କଲେ ଏହା ଉପରେ ରୋକ୍ ଲଗାଇପାରନ୍ତି ।

ତେଣୁ ରାଜ୍ୟ ବିଧାନସଭା ଭଙ୍ଗ ନେଇ ରାଜ୍ୟପାଳଙ୍କ ନିଷ୍ପତ୍ତି ଚୂଡାନ୍ତ ନୁହେଁ । ଏହାକୁ ନ୍ୟାୟାଳୟରେ ଚ୍ୟାଲେଞ୍ଜ ମଧ୍ୟ କରିହେବ ।