ରାଜ୍ୟରେ ମେ’ ପହିଲାରୁ ମାଗଣାରେ ଦିଆଯିବ କି ଟିକା? ମାଗଣା କରୋନା ଟିକା ନେଇ ଘୋଷଣା କରିସାରିଲେଣି ଦେଶର ବିଭିନ୍ନ ରାଜ୍ୟ

215

କନକ ବ୍ୟୁରୋ: ମେ’ ପହିଲାରୁ ରାଜ୍ୟରେ ମାଗଣାରେ ଦିଆଯିବ କି କରୋନା ଟିକା? କେନ୍ଦ୍ରର ନୂଆ ନିର୍ଦ୍ଦେଶନାମା ପରେ ଏଭଳି ସମ୍ଭାବନା ଉପୁଜିଛି । କାରଣ ମେ’ ୧ ତାରିଖରୁ ସାରାଦେଶରେ ସାବାଳକମାନଙ୍କ କରୋନା ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଅର୍ଥାତ ୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ କରୋନା ଟିକା ଦିଆଯିବ । ଏଥିପାଇଁ ୫୦ ପ୍ରତିଶତ ଟିକା ରାଜ୍ୟଗୁଡିକୁ ସିଧାସଳଖ କିଣିବା ପାଇଁ କୁହାଯାଇଛି । ରାଜ୍ୟ ସରକାର, ଘରୋଇ ହସ୍ପିଟାଲ ଓ ଶିଳ୍ପ ସମୁହ କିଣିପାରିବେ । ଏଥିପାଇଁ ଉଭୟ କୋଭିସିଲ୍ଡ ଓ କୋଭାକ୍ସିନର ଅଲଗା ଅଲଗା ଦର ଧାର୍ଯ୍ୟ କରିଛନ୍ତି ଟିକା ନିର୍ମାତା । ରାଜ୍ୟ ସରକାରଙ୍କୁ ୪୦୦ ଟଙ୍କାରେ ଓ ଘରୋଇ ହସ୍ପିଟାଲକୁ ୬୦୦ ଟଙ୍କାରେ କୋଭିସିଲ୍ଡ ଦେବ ସେରମ ଇନଷ୍ଟିଚ୍ୟୁଟ୍ ।

ସେହିପରି ରାଜ୍ୟଙ୍କୁ ୬୦୦ ଓ ଘରୋଇ ହସ୍ପିଟାଲକୁ ୧୨୦୦ ଟଙ୍କାରେ କୋଭାକ୍ସିନ ଦେବ ଭାରତ ବାୟୋଟେକ୍ । ତେଣୁ ଏଗୁଡିକୁ କିଣିବା ପରେ ରାଜ୍ୟ ସରକାର ମାଗଣାରେ ଟିକା ଯୋଗାଇ ଦେବାକୁ ଦାବି ହେଉଛି । ରାଜ୍ୟରେ ୧୮ରୁ ୪୪ ବର୍ଷର ପ୍ରାୟ ୧ କୋଟି ୯୩ ଲକ୍ଷ ଲୋକଙ୍କ ମେ ୧ରୁ ଟିକାକରଣ ହେବ । ତେଣୁ କେବଳ କୋଭିସିଲ୍ଡ ଟିକା କିଣିବା ପାଇଁ ରାଜ୍ୟକୁ ୪୦୦ ଟଙ୍କା ଗୋଟିଏ ଡୋଜ୍ ହିସାବରେ ଦୁଇଟି ଡୋଜ୍ ଦେବାପାଇଁ ୧୫୫୦ କୋଟି ଟଙ୍କା ଖର୍ଚ୍ଚ ହୋଇପାରେ । ତେବେ ଆଜି ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିପାରନ୍ତି ବୋଲି ସୂତ୍ରରୁ ସୂଚନା ମିଳିଛି ।