କନକ ବ୍ୟୁରୋ : ଗଞ୍ଜେଇ ଭାରତରେ ଆଇନ ସମ୍ମତ ହେବ କି? ବିପଜ୍ଜନକ ନିଶା ତାଲିକାରୁ ଗଞ୍ଜେଇକୁ ବାଦ ଦେବା ପାଇଁ ମିଳିତ ଜାତିସଂଘରେ ଭାରତ ଭୋଟ ଦେବା ପରେ ଏ ନେଇ ବିତର୍କ ଆରମ୍ଭ ହୋଇଛି । ଗଞ୍ଜେଇ ରଖିବା ଅଭିଯୋଗରେ ବଲିଉଡର ନାମୀ ଦାମୀ କଳାକାରଙ୍କୁ ଜେଲ ହାଜତ ଦେଖିବାକୁ ମିଳିଛି । ଏପଟେ ମାଲକାନଗିରି ଓ କୋରାପୁଟ ଭଳି ଆଦିବାସୀ ବହୁଳ ଇଲାକାରେ ରହିଥିବା ବିଚାରାଧୀନ କଏଦୀଙ୍କ ମଧ୍ୟରୁ ପ୍ରାୟ ଅଧା କଏଦୀଙ୍କ ବିରୋଧରେ ରହିଛି ଗଂଜେଇ ଭଳି ନିଶାଦ୍ରବ୍ୟ କାରବାର ଅଭିଯୋଗ ।
ଘରେ ଗଂଜେଇ ରଖିବା ଅଭିଯୋଗରେ ବଲିଉଡ୍ କଳାକାର ରିୟା ଚକ୍ରବର୍ତୀ ଓ କମେଡି କୁଇନ୍ ଭାରତୀ ସିଂହଙ୍କୁ ନିକଟରେ ଗିରଫ କରିଥିଲା ଏନ୍ସିବି । ଦୀପିକା ପାଦୁକୋନଙ୍କ ଭଳି ନାମୀ-ଦାମୀ କଳାକାରଙ୍କୁ ସମନ ହୋଇଛି, ଆଉ ସେମାନେ ଜେରାର ସମୁଖୀନ ହୋଇଛନ୍ତି । ଗଂଜେଇକୁ ନେଇ ନାର୍କୋଟିକ୍ ବ୍ୟୁରୋ କଡ଼ା ଅଭିମୁଖ୍ୟ ଦେଖାଉଥିବା ବେଳେ ବିପଜ୍ଜନକ ନିଶା ତାଲିକାରୁ ଗଂଜେଇକୁ ବାଦ ଦେବା ପାଇଁ ମିଳିତ ଜାତିସଂଘରେ ଭୋଟ ଦେଇଛି ଭାରତ ।
ମିଳିତ ଜାତିସଂଘର ନାର୍କୋଟିକ୍ ଡ୍ରଗ୍ସ କମିସନ, ଗଂଜେଇକୁ ବିପଜ୍ଜନକ ନିଶାଦ୍ରବ୍ୟ ନୁହେଁ କହିବା ପରେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ବିତର୍କ । କଂଗ୍ରେସ ସାଂସଦ ଶଶି ଥରୁର ଟ୍ୱିଟ୍ କରି ସରକାରଙ୍କୁ ତେରଚ୍ଛା ସମାଲୋଚନା କରିଛନ୍ତି ।
୧୯୮୫ର ନାର୍କୋଟିକ୍ ଡ୍ରଗ୍ସ ଆଇନ୍ ଅନୁସାରେ ଭାରତରେ ଗଂଜେଇ ଏକ ନିଷିଦ୍ଧ ନିଶାଦ୍ରବ୍ୟ । ଗଂଜେଇ ଚାଷ, ଉତ୍ପାଦନ, ପରିବହନ, ବିକ୍ରି, ସେବନ ଦଣ୍ଡଯୁକ୍ତ ଅପରାଧ । ବିପଜ୍ଜନକ ନିଶା ତାଲିକାରୁ ଗଂଜେଇକୁ ବାଦ ଦେବା ପାଇଁ ମିଳିତ ଜାତିସଂଘରେ ନିଷ୍ପତି ହେବା ପରେ ଗଂଜେଇକୁ ନେଇ ଭାରତ କି ଆଭିମୁଖ୍ୟ ଗ୍ରହଣ କରୁଛି, ତା ଉପରେ ସମସ୍ତଙ୍କ ନଜର ରହିଛି ।
ଆଦିବାସୀ ଇଲାକାର ଅର୍ଥନୀତିକୁ ନିୟନ୍ତ୍ରଣ କରିଥାଏ ଗଂଜେଇ । ସାଗ କିଆରି ପରି ନିଜ ନିଜ ବାରି ବଗିଚାରେ ଗଂଜେଇ ଚାଷ କରନ୍ତି ସ୍ୱାଭିମାନ ଅଂଚଳ ବାସିନ୍ଦା । ତେବେ ଲୁଚା ଛପାରେ ଅପହଁଚ ଇଲାକା ରେ ବର୍ଷ ବର୍ଷ ଧରି ଚାଲି ଆସିଛି ଏହି ବେଆଇନ ଚାଷ କାରବାର । କେତେବେଳେ ପୁଲିସ ଓ ଅବକାରୀ ବିଭାଗ ନଷ୍ଟ କରୁଛି ତ ଆଉ କେତେବେଳେ ଦଲାଲ ଟଙ୍କା ନ ଦେଇ ଚାଷୀଙ୍କ ଅର୍ଥ ହଡପ କରୁଛି । ମିଲିତ ଜାତିସଂଘ ଗଂଜେଇକୁ ବିପଜ୍ଜନକ ନିଶାଦ୍ରବ୍ୟ ତାଲିକା କହିବା ପରେ ଗଂଜେଇକୁ ଆଇନ ସମ୍ମତ କରିବା ଲାଗି ଦାବି ହୋଇଛି ।
ମାଲକାନଗିରି ଓ କୋରାପୁଟରେ ରହିଥିବା ବିଚାରାଧୀନ କଏଦୀଙ୍କ ମଧ୍ୟରୁ ପ୍ରାୟ ଅଧା କଏଦୀଙ୍କ ବିରୋଧରେ ରହିଛି ଗଂଜେଇ ଭଳି ନିଶାଦ୍ରବ୍ୟ କାରବାର ଅଭିଯୋଗ । ଗତ ୨ ବର୍ଷ ମଧ୍ୟରେ ମାଲକାନଗିରି ପୁଲିସ ୫୨ ଟନ ଗଂଜେଇ ଜବତ କରିବା ସହ ୪୯୦ ଚାଲାଣକାରୀଙ୍କୁ ଗିରଫ କରିଛି ।