କନକ ବ୍ୟୁରୋ : ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଟିକେଟ ବଂଟନ ପାଇଁ ବିଭିନ୍ନ ଦଳ ମଧ୍ୟରେ କସରତ ଆରମ୍ଭ ହୋଇଯାଇଛି । ପ୍ରାର୍ଥୀ ତାଲିକା ଶେଷ ରୂପ ଦେବାକୁ ଲାଗିପଡିଛନ୍ତି ସମସ୍ତ ରାଜନୈତିକ ଦଳ । ସେପଟେ ନିର୍ବାଚନରେ ହାରଜିତକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା । କିଏ ଜିତିବ ୨୦୧୯ ନିର୍ବାଚନ ଆଉ କାହାକୁ ଦେଖିବାକୁ ପଡ଼ିବ ପରାଜୟ ତାହା ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟପଟେ ୨୦୧୯ରେ ବିଜେପି ୨୦୧୪ର ସଫଳତା ଦୋହରାଇପାରିବ କି ଉଠିଛି ବଡ଼ ପ୍ରଶ୍ନ ।
୨୦୧୪ ନିର୍ବାଚନରେ ଦେଶର ୮୦ ପ୍ରତିଶତ ଲୋକସଭା ଆସନ ଜିତି ଇତିହାସ ରଚିଥିବା ବିଜେପି ପୁଣି ଦୋହରାଇବ କି ଅତୀତର ରେକର୍ଡ । ନିର୍ବାଚନ ତାରିଖ ଘୋଷଣା ହେବା ପରେ କିଛି ଏଭଳି ପ୍ରଶ୍ନ ରାଜନୈତିକ ମାହୋଲକୁ ହଠାତ୍ କରିଛି ସରଗରମ୍ । ତେବେ ଦେଶର ୬ଟି ବଡ଼ ରାଜ୍ୟ ୟୁପି, ବିହାର, ମଧ୍ୟ ପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର ଓ ଗୁଜରାଟରେ ବିଜେପିର ପ୍ରଦର୍ଶନ ଉପରେ ଦଳର ଭାଗ୍ୟ ବହୁ ପରିମାଣରେ ନିର୍ଭର କରିବା କୁହାଯାଉଛି । ଅନ୍ୟପଟେ ସରକାର ଗଢ଼ିବାକୁ ମ୍ୟାଜିକ୍ ସଂଖ୍ୟା ୨୭୨ ହୋଇଥିବାରୁ ଏହି ରାଜ୍ୟଗୁଡ଼ିକରେ ବିଜେପିର ପ୍ରଦର୍ଶନ ସବୁକିଛି ସ୍ଥିର କରିବ ବୋଲି କୁହାଯାଉଛି ।
- ୟୁପି, ବିହାର, ମଧ୍ୟ ପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର ଓ ଗୁଜରାଟରେ ୨୭୮ଟି ଲୋକସଭା ସିଟ୍ ରହିଛି ତେଣୁ ଏହି ରାଜ୍ୟଗୁଡ଼ିକରେ ପ୍ରଦର୍ଶନ ବିଜେପି ପାଇଁ ନିର୍ଣ୍ଣାୟକ ହେବ ।
- ୧୯୮୯ ମସିହାରୁ ଏହି ରାଜ୍ୟଗୁଡ଼ିକର ଅତିକମରେ ୭୦ ପ୍ରତିଶତ ଲୋକସଭା ସିଟ୍ ବିଜେପି ଦଖଲ୍ କରିଆସିଛି ।
- ୨୦୧୪ ମସିହା ନିର୍ବାଚନରେ ଏହି ରାଜ୍ୟଗୁଡ଼ିକର ୮୦ ପ୍ରତିଶତ ଲୋକସଭା ଆସନ ବିଜେପି ଦଖଲ କରିଥିଲା ।
- ଏହି ୬ଟି ରାଜ୍ୟକୁ ଛାଡ଼ିଦେଲେ ଦେଶର ଅନ୍ୟ ରାଜ୍ୟରୁ ମାତ୍ର ୬୧ଟି ଲୋକସଭା ଆସନରେ ବିଜେପି ୨୦୧୪ରେ ବିଜୟୀ ହୋଇଥିଲା ।
ଘୋଷଣା ହୋଇଛି ନିର୍ବାଚନ ତାରିଖ । ସେପଟେ ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ପ୍ରସ୍ତୁତି । ଅନ୍ୟପଟେ ବିଜେପି ୨୦୧୪ ମ୍ୟାଜିକ୍ ୨୦୧୯ ସାଧାରଣ ନିର୍ବାଚନରେ ଦୋହରାଇ ପାରିବ କି ନାହିଁ ତାହା ରାଜନୈତିକ ମହଲରେ ଏବେ ସବୁଠାରୁ ବଡ଼ ପ୍ରଶ୍ନ ଭାବେ ସାମ୍ନାକୁ ଆସିଛି ।