ଆସିଲା ବୁଥ୍ ବାହୁଡା ମତ । ଗୁଜରାଟରେ ସହଜରେ ମ୍ୟାଜିକ ନମ୍ବର ହାସଲ କରିପାରିବ କି ବିଜେପି , ଭାଙ୍ଗିଯିବ କି ଆପ ଓ କଂଗ୍ରେସର ସ୍ୱପ୍ନ? 

550

କନକ ବ୍ୟୁରୋ :  ସରିଲା ନିର୍ବାଚନ, ଆସିଲା ବୁଥ୍ ବାହୁଡା ମତ । ଗୁଜରାଟ ଓ ହିମାଚଳ ପ୍ରଦେଶରେ ହୋଇଥିବା ବିଧାନସଭା ନିର୍ବାଚନର ବୁଥ୍ ବାହୁଡା ମତ ଏବେ ଧୀରେ ଧୀରେ ସାମ୍ନାକୁ ଆସୁଛି । ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଦ୍ୱାରା ହୋଇଥିବା ଏକଜିଟ୍ ପୋଲରେ ଗୁଜରାଟରେ ପୁଣିଥରେ ବିଜେପି ସରକାରରେ ବସିବା ନେଇ ସମ୍ଭାବନା ଦେଖିବାକୁ ମିଳିଛି । ଜାତୀୟ ଗଣମାଧ୍ୟମ ସଂସ୍ଥା ରିପ୍ଲବିକ ପକ୍ଷରୁ ହୋଇଥିବା ଏକଜିଟ୍ ପୋଲରେ ଗୁଜରାଟରେ ବିଜେପି ୧୨୮ରୁ ୧୪୮ ଆସନ ପାଇବ ବୋଲି ଆକଳନ କରାଯାଇଛି । ଏହାସହ ୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପିକୁ ବହୁମତ ମିଳିବା ନେଇ ଆକଳନ କରିଛି ରିପବ୍ଲିକ । ସେହିଭଳି କଂଗ୍ରେସକୁ ୩୦ରୁ ୪୨ ଆସନ, ଆମ ଆଦମୀ ପାର୍ଟିକୁ ୨ରୁ ୧୦ ଆସନ ମିଳିବା ନେଇ ଅନୁମାନ କରାଯାଉଛି । ଯଦି ଏଭଳି ହୁଏ ତେବେ କଂଗ୍ରେସର ଆଶା ପୁଣିଥରେ ଧୂଳିସାତ ହୋଇପାରେ । ସେହିଭଳି ଗୁଜରାଟରେ ଆପ୍ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଥିଲା କିନ୍ତୁ ରିପବ୍ଲିକର ଆକଳନ ଅନୁଯାୟୀ ଗୁଜରାଟରେ ଆପକୁ ଆଶାନୁରୂପକ ଫଳ ମିଳିନପାରେ ।

ସେହିଭଳି ଟିଭି-୯ର ଆକଳନ ଅନୁଯାୟୀ, ଗୁଜରାଟରେ ବିଜେପିକୁ ୧୨୫ରୁ ୧୩୦ ଆସନ, କଂଗ୍ରେସକୁ ୪୦ରୁ ୫୦, ଆପକୁ ୩ରୁ ୫ ଓ ଅନ୍ୟାନ୍ୟଙ୍କୁ ୩ରୁ ୭ଟି ଆସନ ମିଳିପାରେ । ଆଉ ଟିଭି-୯ର ଏକଜିଟ୍ ପୋଲରେ ବିଜେପିକୁ ଏକାକୀ ବହୁମତ ମିଳିପାରେ ବୋଲି ଆକଳନ କରାଯାଇଛି । ନ୍ୟୁଜ୍ ଏକ୍ସର ଏକଜିଟ୍ ପୋଲ ଅନଯାୟୀ, ଗୁଜରାଟରେ ବିଜେପିକୁ ୧୧୭ରୁ ୧୪୦, କଂଗ୍ରେସକୁ ୩୪ରୁ ୫୧ ଓ ଆପକୁ ୬ରୁ ୧୩ଟି ଆସନ ମିଳିପାରେ । ଆଉ ନ୍ୟୁଜ୍ ଏକ୍ସର ଆକଳନ ଯଦି ସତ ହୁଏ ତେବେ ବେଶ ସହଜରେ ମ୍ୟାଜିକ ନମ୍ବର ହାସଲ କରିବ ବିଜେପି । ସେହିଭଳି ଜନ୍ କି ବାତର ଆକଳନ ଅନୁଯାୟୀ, ଗୁଜରାଟରେ ବିଜେପିକୁ ୧୧୭ରୁ ୧୪୦, କଂଗ୍ରେସକୁ ୩୪ରୁ ୫୧, ଆପକୁ ୬ରୁ ୧୩ ଆସନ ମିଳିପାରେ ।