କଲେଜ କ୍ୟାମ୍ପେନିଂର ହେଟଷ୍ଟୋରୀ ! ମହିଳା ପ୍ରାର୍ଥୀ ହନିଟ୍ରାପ କରୁଥିବା ନେଇ ସୋସିଆଲ ମିଡିଆରେ ଆକ୍ଷେପମୂଳକ ପୋଷ୍ଟ

23

କନକ ବ୍ୟୁରୋ: ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ହୋଇଥିବା ବେଳେ କଟକରୁ ଆସିଛି ସାଂଘାତିକ ଅଭିଯୋଗ । ପ୍ରତିପକ୍ଷ ପ୍ରାର୍ଥୀଙ୍କୁ ବଦନାମ କରିବା ପାଇଁ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ ଅଭିଯୋଗ । ମହିଳା ପ୍ରାର୍ଥୀଙ୍କ ହନିଟ୍ରାପରେ ପଡନ୍ତୁ ନାହିଁ । ଏଭଳି ଆପତ୍ତିଜନକ ମନ୍ତବ୍ୟ ଥିବା ପୋଷ୍ଟ ସୋସିଆଲ ମିଡିଆରେ ଘୁରିବୁଲିବା ପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ମହିଳା ପ୍ରାର୍ଥୀ ।

ସୂଚନା ମୁତାବକ, କଟକ ମଧୁସୂଦନ ଆଇନ ମହାବିଦ୍ୟାଳୟର କିଛି ମହିଳା ପ୍ରାର୍ଥୀ ମାଲଗୋଦାମ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏଭଳି ଆପତ୍ତିଜନକ ପୋଷ୍ଟ କରି ପ୍ରତିପକ୍ଷ ଛାତ୍ର ଗୋଷ୍ଠୀ ତାଙ୍କ ଚରିତ୍ର ସଂହାର କରିଥିବା ଅଭିଯୋଗ ବାଢିଛନ୍ତି । ଏଭଳି ଆପତ୍ତିଜନକ ପୋଷ୍ଟ ଲିଙ୍ଗଡୋ କମିଶନଙ୍କ ନିୟମର ଉଲ୍ଲଂଘନ ଓ ସାଇବର ଅପରାଧ ବୋଲି କହିଛନ୍ତି ସଂପୃକ୍ତ ମହିଳା ପ୍ରାର୍ଥୀ ।

ତେଣୁ ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି । ଛାତ୍ର ସଂସଦ ନିର୍ବାଚନ ପାଖେଇ ଆସୁଥିବାବେଳେ ବିଭିନ୍ନ କଲେଜରେ ହିଂସାତ୍ମକ ରୁପ ନେଉଛି ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ବିବାଦ । ହେଲେ ଏହାରି ଭିତରେ କଟକରେ ସୋସିଆଲ ମିଡିଆରେ ପ୍ରତିପକ୍ଷ ପ୍ରାର୍ଥୀଙ୍କ ଚରିତ୍ର ସଂହାର ଭଳି ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି ।