ସରଗରମ କ୍ୟାମ୍ପସ ! ଜମୁଛି କ୍ୟାମ୍ପେନ ! ପାଖଉଛି ଛାତ୍ର ସଂସଦ ନିର୍ବାଚନ

49

କନକ ବ୍ୟୁରୋ: ଜମିଲାଣି ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରଚାର । କଲେଜକୁ ନୂଆ ନୂଆ ଆସିଥିବା ଛାତ୍ରଛାତ୍ରୀଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଲାଗି ପଡିଛନ୍ତି ସବୁ ଛାତ୍ର ସଂଗଠନ । କଲେଜ ପରିସରରେ ଗିଫ୍ଟ, କାର୍ଡ ଓ ଚକୋଲେଟର ଆସର ଦେଖିବାକୁ ମିଳୁଛି ।

ସେପ୍ଟେମ୍ବର ୨୩ରେ ଛାତ୍ର ସଂସଦ ନିର୍ବାଚନ । କିନ୍ତୁ ଏବେଠୁ ଜମିଲାଣି ପ୍ରଚାର । କଲେଜ ବାହାରେ ହୋଡିଂ ଛାଇଗଲାଣି ପୁଣି କ୍ୟାମ୍ପସ ବି ପୁରା ସରଗରମ । ବିଧିବଦ୍ଧ ଭାବେ ପ୍ରାର୍ଥୀ ତାଲିକା ଘୋଷଣା ହୋଇନଥିଲେ ବି ପ୍ରାର୍ଥୀ ଚୟନ ଏକରକମ ଶେଷ ହୋଇଛି । କଲେଜ ଗେଟ ବାହାରେ ଆଶାୟୀ ପ୍ରାର୍ଥୀଙ୍କ ଫଟୋ ଲଗା ବ୍ୟାନର ଲାଗିଲାଣି । ତେବେ କ୍ୟାମ୍ପସରେ ନିଜ ଆଡକୁ ଆକର୍ଷିତ କରିବାକୁ ଲାଗିପଡିଛନ୍ତି ସଭିଏଁ ।

କଲେଜ ପରିସରରେ ଯଦିଓ ମିଲ୍ସର ସୁବିଧା ନଥାଏ ତଥାପି ଫାଷ୍ଟଫୁଡରେ ଆପ୍ୟାୟିତ କରିବାକୁ ସବୁ ସଂଗଠନ ଚେଷ୍ଟା କରୁଛନ୍ତି । ନିର୍ବାଚନ ଜିତିବାକୁ କ୍ୟାମ୍ପେନିଂ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ । ଯେଉଁ ପ୍ରାର୍ଥୀଙ୍କ କ୍ୟାମ୍ପେନ ଯେତେ ଆକର୍ଷଣୀୟ ହେବ , ସେହି ପ୍ରାର୍ଥୀଙ୍କ ଜିତିବା ସମ୍ଭାବନା ଅଧିକ ରହିଥାଏ । ତେଣୁ ଏ ସୁଯୋଗକୁ ହାତଛଡା କରିବାକୁ ଆଦୌ ଚାହୁଁ ନାହାଁନ୍ତି ଛାତ୍ରନେତାଏ ।

କ୍ୟାମ୍ପେନିଂର ତରିକା ଧିରେଧିରେ ବଦଳୁଛି । ନୂଆ ଟ୍ରେଣ୍ଡ ସହ ତାଳଦେଇ ରଣନୀତି ପ୍ରସ୍ତୁତ କରାଯାଉଛି । ଆଗରୁ କଲେଜ ନିକଟ କୌଣସି ସ୍ଥାନରେ ସମର୍ଥକଙ୍କୁ ଏକାଠି କରି ଭୋଜିଭାତରେ ଆପ୍ୟାୟିତ କରାଯାଉଥିଲା । କିନ୍ତୁ ଏବେ କଲେଜ କ୍ୟାମ୍ପସରେ ଦହିବରା, ଗୁପଚୁପ ଷ୍ଟଲ ସାହାରାରେ ନିର୍ବାଚନୀ ପ୍ରଚାର କରାଯାଉଛି । ପୁଣି ଛାତ୍ରଛାତ୍ରୀଙ୍କ ସୁବିଧା ଅସୁବିଧା ବାବଦରେ ବି ବୁଝୁଛନ୍ତିି ଛାତ୍ର ନେତାମାନେ । ହାତରେ ପୁସିଂକାର୍ଡ ଦେଇ ଭୋଟ ଦେବାକୁ ନିବେଦନ କରୁଛନ୍ତିି ।

ତେବେ କ୍ୟାମ୍ପେନିଂରେ ଏବେ ପ୍ରମୁଖ ମାଧ୍ୟମ ସାଜିଛି ସୋସିଆଲ ମିଡିଆ । ଫେସବୁକ, ହ୍ୱାଟସଆପରେ ମୁଖ୍ୟତଃ ପ୍ରଚାର କରାଯାଉଛି । ପୁସିଂକାର୍ଡକୁ ଫଟୋ ଆକାରରେ ପୋଷ୍ଟ କରାଯାଇ କଲେଜର ସାଙ୍ଗସାଥୀଙ୍କୁ ଟ୍ୟାଗ କରି ଭୋଟ ନିବେଦନ କରାଯାଉଛି । ପୁଣି ଫେସବୁକ ଲାଇଭ କରି ଭୋଟ ପାଇଁ ଅପିଲ କରିବାକୁ ଭୁଲୁ ନାହାଁନ୍ତି ଆଶାୟୀ ପ୍ରାର୍ଥୀ ।

ଲିଙ୍ଗଡୋ କମିଶନଙ୍କ ଛାଟକୁ ଧ୍ୟାନରେ ରଖି ଖର୍ଚ୍ଚ କରିବାକୁ ପଡେ କଲେଜ ଇଲେକ୍ସନରେ । କ୍ୟାମ୍ପେନିଂକୁ ଜୋରଦାର କରି ବିଜୟୀ ହେବାକୁ ସମସ୍ତେ ଚେଷ୍ଟା କରନ୍ତିି । ହେଲେ ବିଜୟୀ କିଏ ହେବ ତାହା କେବଳ ନିର୍ଭର କରେ ଛାତ୍ରଛାତ୍ରୀଙ୍କ ପସନ୍ଦ ଉପରେ ।