ସରିଲା ରିହର୍ସଲ, ମଙ୍ଗଳବାର ମଞ୍ଚସ୍ଥ ହେବ ନିର୍ବାଚନର ମହାନାଟକ । କିଏ ହେବ ସଦରର ସର୍ଦ୍ଦାର ଓ କିଏ ପିନ୍ଧିବ ତିର୍ତ୍ତୋଲ ତାଜ ?

262

କନକ ବ୍ୟୁରୋ: ସରିଲା ପ୍ରଚାର, ମଙ୍ଗଳବାର ମହାପରୀକ୍ଷା । ଦିନକ ପରେ ଭୋଟ ଦେବ ବାଲେଶ୍ୱର- ତିର୍ତ୍ତୋଲ । କରୋନା କଟକଣା ଭିତରେ ହେବ ଓଡିଶାର ଦୁଇ ଦୁଇ ଉପ ନିର୍ବାଚନ । ଆସନ୍ତା ୩ ତାରିଖ ଦିନ ଉଭୟ ଆସନ ପାଇଁ ଭୋଟ ପଡୁଥିବାରୁ ଏଥିପାଇଁ ଜୋରଦାର କସରତ କରିଛନ୍ତି ସମସ୍ତ ଦଳ । ଆଉ ୟାରି ଭିତରେ ଆଜି ସରି ଯାଇଛି ସମସ୍ତ ପ୍ରସ୍ତୁତି, ସମସ୍ତ ପ୍ରଚାର । ସନ୍ଧ୍ୟା ୬ଟା ସୁଦ୍ଧା ସବୁ ଅଣ ଭୋଟରଙ୍କୁ ନିର୍ବାଚନ ମଣ୍ଡଳୀ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ତେବେ ୩ ତାରିଖ ପାଇଁ ସବୁ ଦଳ ପକ୍ଷରୁ ରିହର୍ସଲ ସରିଥିବା ବେଳେ ମଙ୍ଗଳବାର ମଞ୍ଚସ୍ଥ ହେବ ମହାନାଟକ ।

ସେପଟେ ଉପ ନିର୍ବାଚନ ତାରିଖ ଘୋଷଣା ପରେ ଭୋଟରଙ୍କୁ ଭିଡିବାକୁ ରଣନୀତି ପ୍ରସ୍ତୁତ କରିଥିଲେ ୩ ପ୍ରମୁଖ ଦଳ । ବାଲେଶ୍ୱର ଓ ତିର୍ତ୍ତୋଲରେ ତ୍ରିମୂଖୀ ଲଢେଇ ହେଉଥିବା ବେଳେ ସମସ୍ତଙ୍କ ନଜର କିନ୍ତୁ ଅଟକିଛି ବାଲେଶ୍ୱର ସଦର ଉପରେ । କାରଣ ବାଲେଶ୍ୱରରେ ଶାସକ ଦଳ ନୁହେଁ ବରଂ ବିଜେପି ଗତ ସାଧାରଣ ନିର୍ବାଚନରେ ବିଜୟୀ ହୋଇଥିଲା । ଆଉ ବିଧାୟକ ମଙ୍ଗୁ ଦତ୍ତଙ୍କ ବିୟୋଗ ପରେ ସେଠି ପୁଣି ନିର୍ବାଚନ ହେଉଛି । ଥରେ ଗଡ ହରାଇଥିବା ବିଜେଡି ଆଉ ଥରେ ସେ ସୁଯୋଗ ବିଜେପିକୁ ଦେବନି ବୋଲି ବାଲେଶ୍ୱର ବାଜି ଜିତିବାକୁ ଲାଗିପଡିଛନ୍ତି ମାଳ ମାଳ ନେତା ମନ୍ତ୍ରୀ । ବିଜେଡିର ଅନେକ ହେଭିୱେଟ ବି ବାଲେଶ୍ୱରରେ କ୍ୟାମ୍ପ ପକାଇଥିଲେ ।

୧୨ ଜଣ ମନ୍ତ୍ରୀ, ୪୦ରୁ ଅଧିକ ବିଧାୟକ ଓ ସାଂସଦ, ଛାତ୍ର, ଯୁବ ଓ ମହିଳା ସଂଗଠନର ଶହ ଶହ କର୍ମୀ । ପ୍ରଚାର ମୈଦାନରେ ତୁଙ୍ଗ ନେତାଙ୍କ ଉପସ୍ଥିତି ହିଁ ପ୍ରମାଣ କରୁଥିଲା, ବାଲେଶ୍ୱର ବାଜିକୁ କେଉଁ ଭଳି ନେଇଛି ବିଜୁ ଜନତା ଦଳ । ବାଲେଶ୍ୱର ଉପ-ନିର୍ବାଚନ ଜିତିବା ପାଇଁ ପୁରା ଶକ୍ତି ଖଟାଇ ଦେଇଛି ବିଜେଡି । ୨୦୧୯ ନିର୍ବାଚନରେ ନିଜ ହାତରୁ ଚାଲିଯାଇଥିବା ଆସନ ଫେରି ପାଇବା ପାଇଁ ଦଳ, ଭରପୁର ପ୍ରୟାସ କରିଛି ।

ଖାଲି ବିଜେଡି ନୁହେଁ ବିଜେପି ବି ପ୍ରଚାରରେ ପଛରେ ନାହିଁ । ୨୦୧୯ ନିର୍ବାଚନରେ ସବୁଜ ଗଡକୁ ଗେରୁଆ କରି ଯେଉଁ ପଦ୍ମ ଫୁଟାଯାଇଥିଲା ତାହାକୁ ସହଜରେ ହାତଛଡା କରିବାକୁ ଚାହେଁନି ବିଜେପି । ତେଣୁ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ଠାରୁ ଚର୍ଚ୍ଚିତ ସାଂସଦ ଓ ବିଭିନ୍ନ ଷ୍ଟାର ପ୍ରଚାରକଙ୍କୁ ବାଲେଶ୍ୱରରେ ଛାଉଣୀ କରିଥିଲା ବିଜେପି । ବାପାଙ୍କ ମୃତ୍ୟୁ ପରେ ତାଙ୍କ ଅଧୁରା ସ୍ୱପ୍ନକୁ ସାକାର କରିବାକୁ ପୁଅ ମାନଓ ମଙ୍ଗୁ ଦତ୍ତଙ୍କ ଫଟୋ ଧରି ଘର ଘର ବୁଲି ପ୍ରଚାର କରୁଥିଲେ । ଅନ୍ୟପଟେ ମାଆ ବି ପୁଅର ବିଜୟ ପାଇଁ କାନ୍ଦି କାନ୍ଦି କାନି ପତାଇ ଭୋଟ ଭିକ୍ଷା କରୁଥିଲେ । କହିବାକୁ ଗଲେ ଏକପ୍ରକାର ସିମ୍ପାଥୀ ଭୋଟ ଗୋଟାଇବାକୁ ବିଜେପି ଫୁଲଦମରେ ଲାଗି ପଡିଥିବା ଚର୍ଚ୍ଚା ହେଉଛି ।

ସେପଟେ ବାଲେଶ୍ୱର ମୈଦାନରେ ମାଟି  କାମୁଡି ପଡିଥିବା କଂଗ୍ରେସ ଏଥର ଉଠିବାକୁ ଚେଷ୍ଟା କରୁଛି । ଦୁଇ ଦଳ ପୁରୁଷ ଯୋଦ୍ଧାଙ୍କୁ କୁରୁକ୍ଷେତ୍ରକୁ ଛାଡିଥିବା ବେଳେ କଂଗ୍ରେସ ମହିଳା କାର୍ଡ ଖେଳିଛି । ଆଉ ସମାଜସେବୀ ମମତା କୁଣ୍ଡୁଙ୍କୁ ସାମ୍ନାକୁ ଆଣିଛି । ତେବେ ନେତା-ଅଭିନେତା, ନାଚ ଗୀତ, ବଡ ବଡ ରାଲି କରି ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ଲାଗି ପଡିଥିବା ୩ ଦଳ ଭିତରେ ହଠାତ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲେ ବେଣୁ ମଉସା ।

ସଦରର ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡା ହୋଇଥିବା ୯୦ ବର୍ଷୀୟ ବେଣୁଧର ବାରିକ ଲୋକଙ୍କ ସ୍ୱାର୍ଥ ଓ ବସ୍ତିବାସିନ୍ଦାଙ୍କ ହକ ପାଇଁ ଲଢୁଥିବା କହିବା ପରେ ତାଙ୍କ ପ୍ରତି ଜନ ସମର୍ଥନ ବାହାରିଥିଲା । ବଡ ବଡ ସେଲିବ୍ରିଟି ମାନେ ମଧ୍ୟ ତାଙ୍କୁ ସାହାଯ୍ୟ ସହଯୋଗ କରି ଜିତାଇବାକୁ ଜି ଜାନ ଲଗାଇ ଦେଇଛନ୍ତି । ତେବେ ଇତି ମଧ୍ୟରେ ପ୍ରଚାର ସରିଛି, ଆଉ ଏବେ ମତଦାନକୁ ଅପେକ୍ଷା । ଦିନକ ପରେ ବିଧାୟକ ଭାଛିବ ବାଲେଶ୍ୱର ଓ ତିର୍ତୋଲ । ଆଉ ତା ପରେ ଜଣାପଡିବ କିଏ ହେବ ସଦରର ସର୍ଦ୍ଦାର ଓ କିଏ ପିନ୍ଧିବ ତିର୍ତ୍ତୋଲ ତାଜ ?