ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋର ଧରୁଛି ପ୍ରଚାର । ବୋଲଗଡରେ ଅରୂପ ଓ ରାଜେନ୍ଦ୍ରଙ୍କ ଶକ୍ତି ପ୍ରଦର୍ଶନ

ଘଷିପୁରାରେ ପିସିସି ସଭାପତିଙ୍କ ପ୍ରଚାର; କହିଲେ କେନ୍ଦୁଝର ଜିଲ୍ଲାରେ ଏଥର ହେବ ପରିବର୍ତ୍ତନ

218

କନକ ବ୍ୟୁରୋ: ବେଗୁନିଆରେ ବିଜେଡିର ମେଗା ରୋଡ-ସୋ’ । ତୃତୀୟ ପର୍ଯ୍ୟାୟ ନିର୍ବାଚନକୁ ଆଉ ହାତ ଗଣତି କେଇଟା ଦିନ ବାକି ଥିବା ବେଳେ ପ୍ରଚାରକୁ ଯୋରଦାର କରିଛନ୍ତି ପ୍ରାର୍ଥୀ । ଖୋର୍ଦ୍ଧାର ଚର୍ଚ୍ଚିତ ନିର୍ବାଚନ ମଣ୍ଡଳି ବେଗୁନିଆରେ କଂଗ୍ରେସ ତାର ପୂର୍ବଗୌରବ ଫେରି ପାଇବା ପାଇଁ ଉଦ୍ୟମ କରୁଥିବା ବେଳେ ଶାସକ ବିଜେଡି ରାଜେନ୍ଦ୍ର ସାହୁଙ୍କୁ ପ୍ରାର୍ଥୀ କରି ଗାଦି ହାତେଇବାକୁ ଅଂଟା ଭିଡିଛି ।

ବିଜେଡି ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ସାହୁ ଓ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅରୁପ ପଟ୍ଟନାୟକ ବିରାଟ ରୋଡ ସୋ କରିଛନ୍ତି । ବୋଲଗଡ ବ୍ଲକ ଦିଘିରି ଠାରୁ ବେଗୁନିଆ ବ୍ଲକ ସରୁଆ ଯାଏଁ ପ୍ରାୟ ୩୦ କିଲୋମିଟର ବାଇକ୍ ରାଲି କରିଛନ୍ତି ବିଜେଡିର ଏହି ଦୁଇ ପ୍ରାର୍ଥୀ । ଏହି ରାଲିରେ ପ୍ରାୟ ୫ ହଜାରରୁ ଅଧିକ ବାଇକ୍ ସାମିଲ ହୋଇଥିଲା ।

ଅନ୍ୟପଟେ, ତୃତୀୟ ପର୍ଯ୍ୟାୟରେ କେନ୍ଦୁଝର ପାଇଁ ଭୋଟ ଗ୍ରହଣ କରାଯିବ । ୨୩ ତାରିଖରେ ଭୋଟିଂ ହେବାକୁ ଥିବା ବେଳେ କେନ୍ଦୁଝର ଘସିପୁରା ନିର୍ବାଚନ ମଣ୍ଡଳିରେ ପ୍ରଚାର କରିଛନ୍ତି ବିଧାୟକ ପ୍ରାର୍ଥୀ ତଥା ପିସି ସଭାପତି ନିରଂଜନ ପଟ୍ଟନାୟକ । ପିସିସି ସଭାପତି ନିରଞନ ପଟ୍ଟନାୟକ ବାଇକ୍ ରାଲି କରି ନିଜ ପାଇଁ ପ୍ରଚାର କରିଛନ୍ତି ।

ରାଲିରେ ଶହ ଶହ ସମର୍ଥକଙ୍କୁ ଦେଖି ଘସିପୁରା ସମେତ କେନ୍ଦୁଝରର ଅନ୍ୟ ବିଧାନସଭା ଆସନ ଓ ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହେବେ ବୋଲି ନିରଂଜନ ଆଶା ରଖିଥିବା କହିଛନ୍ତି । ନିର୍ବାଚନକୁ ଆଉ କମ୍ ସମୟ ଥିବାରୁ ପ୍ରତି ଭୋଟରଙ୍କ ପାଖରେ ପହଂଚିବା ପାଇଁ ଯଥା ସମ୍ଭବ ଚେଷ୍ଟା କରିବେ ବୋଲି ସେ କହିଛନ୍ତି । ଏଥର ଭୋଟର କଂଗ୍ରେସ ଦଳକୁ ସୁଯୋଗ ଦେଲେ ରାଜ୍ୟରେ ବିକାଶ ହେବ ବୋଲି କହିଛନ୍ତି ନିରଞ୍ଜନ ପଟନାୟକ ।