ଝାରସୁଗୁଡା ଉପନିର୍ବାଚନର ଶେଷଦିନରେ ଜମିଲା ପ୍ରଚାର। ଦଳୀୟ ପ୍ରାର୍ଥୀଙ୍କ ପାଇଁ କ୍ୟାମ୍ପେନ କଲେ ଷ୍ଟାର ପ୍ରଚାରକ

91

କନକ ବ୍ୟୁରୋ: ଝାରସୁଗୁଡା ଉପନିର୍ବାଚନ ପାଇଁ ସରିଛି ପ୍ରଚାର । ଆଉ ଶେଷଦିନରେ ଭୋଟରଙ୍କ ସମର୍ଥନ ପାଇଁ ସବୁ ପ୍ରକାର ଜୋର ଲଗାଇଦେଇଛନ୍ତି ବିଜେଡି, ବିଜେପି. କଂଗ୍ରେସ । ବିଜେଡିର ପ୍ରଚାର ମହିଳା ବ୍ରିଗେଡ ସମ୍ଭାଳିଥିବାବେଳେ ବିଜେପି ପାଇଁ ପ୍ରଚାର କରିଛନ୍ତି ଜୁଏଲ । ସେପଟେ ଝାରସୁଗୁଡାରେ ରୋଡ ଶୋ କରି ଶକ୍ତି ପ୍ରଦର୍ଶନ କରିଛନ୍ତି କଂଗ୍ରେସ ନେତୃବୃନ୍ଦ ।

ପ୍ରଚାରର ଶେଷଦିନରେ ଝାରସୁଗୁଡା ସହରରେ ଘରକୁ ଘର ବୁଲି ଭୋଟ ମାଗିଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ସହରର ୩ ଓ ୧୯ ନମ୍ବର ୱାର୍ଡରେ ଶ୍ରୀମୟୀ ମିଶ୍ର ଓ ସ୍ନେହାଙ୍ଗିନୀ ଛୁରିଆଙ୍କ ସହ ପ୍ରଚାର କରିଥିଲେ ଦୀପାଳି । ଏଥିରେ ସ୍ଥାନୀୟ ବିଜେଡି ନେତାଙ୍କ ବି ଦେଖିବାକୁ ମିଳିଥିଲା । ସେହିଭଳି ଝାରସୁଗୁଡାର ବିଭିନ୍ନ ୱାର୍ଡରେ ପ୍ରଚାର କରିଛନ୍ତି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ । ବିଜେପି ନେତା ଓ କର୍ମୀଙ୍କ ସହ ମିଶି ସେ ପ୍ରଚାରର ସାମିଲ ହୋଇଥିଲେ । ସେହିଭଳି ଶେଷଦିନରେ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ସେ ବିଜେପି ପାଇଁ ଭୋଟ ମାଗିଥିବାବେଳେ ରାଜ୍ୟ ସରକାରଙ୍କୁ ଟର୍ଗେଟ କରିଥିଲେ । ସେପଟେ ଝାରୁସୁଗୁଡା ସହରରେ ରୋଡ ଶୋ କରି ଶକ୍ତି ପ୍ରଦର୍ଶନ କରିଛନ୍ତି କଂଗ୍ରେସ ନେତା । ଏଥିରେ ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ମୁଖ୍ୟ ବିଜୟ ପଟ୍ଟନାୟକଙ୍କ ସହ ଅନ୍ୟ ନେତାମାନେ ସାମିଲ ହୋଇଥିଲେ ।

ସେପଟେ ୧୦ ତାରିଖ ଉପନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ପୋଲିଂ ବୁଥରେ ପହଞ୍ଚିଛନ୍ତି କର୍ମଚାରୀ । ସବୁ ବୁଥକୁ ଇଭିଏମ ପଠାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଝାରସୁଗୁଡା ଉପନିର୍ବାଚନ ପାଇଁ
-ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହେବ
-ସବୁ ବୁଥରେ ଶତପ୍ରତିଶତ ୱେବକାଷ୍ଟିଂ କରାଯିବ
-ମୋଟ ୨୫୩ ବୁଥରେ ହେବ ମତଦାନ
-ଭୋଟଦାନ ପାଇଁ ୨୬ଟି ପିଙ୍କ ବୁଥ ପ୍ରତିଷ୍ଠା କରାଯାଇଛି
-୧୦୬ ସମ୍ବେଦନଶୀଳ ବୁଥରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି

ଝାରସୁଗୁଡାରେ ୧୦ ତାରିଖରେ ଭୋଟଗ୍ରହଣ ହେବ । ଆଉ ଫଳାଫଳ ୧୩ ତାରିଖରେ ପ୍ରକାଶ ପାଇବ ।