ତାତି ସତ୍ୱେ ସରଗରମ ହେଉଛି ପ୍ରଚାର ମଇଦାନ: ଜାରି ରହିଛି ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନ ପ୍ରଚାର, କଳସ ଯାତ୍ରା କରି ପ୍ରଚାରକୁ ଜୋରଦାର କଲେ ପଦ୍ମପୁର ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା

123

କନକ ବ୍ୟୁରୋ: ପାଇକମାଲରେ ଶହ ଶହ ମହିଳାଙ୍କ ବିଶାଳ କଳସ ଶୋଭାଯାତ୍ରା । ଧାର୍ମିକ ଶୋଭାଯାତ୍ରାରୁ ପ୍ରଚାର ଆରମ୍ଭ କରିଛନ୍ତି ପଦ୍ମପୁର ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା । ଚୈତ୍ର ପୂର୍ଣ୍ଣମୀ ଅବସରରେ ବିଞ୍ଝାଲ ସମାଜ ପକ୍ଷରୁ ଇଷ୍ଟଦେବୀ ବିନ୍ଧ୍ୟବାସିନୀଙ୍କ ପୂଜା ଆରମ୍ଭ ହୋଇଛି । ବର୍ଷା ସିଂହ ବରିହା ଶହ ଶହ ମହିଳାଙ୍କ ସହ କଳସ ଯାତ୍ରାରେ ସାମିଲ ହୋଇ ଶକ୍ତି ପ୍ରଦର୍ଶନ କରିଛନ୍ତି । କଳସ ଧରି ଶୋଭାଯାତ୍ରାରେ ଆସି ମା ବିନ୍ଧ୍ୟବାସିନୀଙ୍କ ପୂଜା କରି ଆଶୀର୍ବାଦ ନେଇଛନ୍ତି । ଲୋକଙ୍କ ସମର୍ଥନକୁ ମୂଳ ପୁଞ୍ଜି କରି ପ୍ରଚାର ମୈଦାନରେ ପାଦ ଦେଇଛନ୍ତି ବର୍ଷା ସିଂ ବରିହା ।

ଖୋର୍ଦ୍ଧା ବେଗୁନିଆରେ ଶକ୍ତି ପ୍ରଦର୍ଶନ କରିଛି କଂଗ୍ରେସ । ଦଳୀୟ କର୍ମୀ ଓ ସମର୍ଥକଙ୍କୁ ନେଇ ବିରାଟ ବାଇକ ରାଲି କରିଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ଓ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ୟାସିର ନୱାଜ । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭଙ୍କ ନବମ ଶ୍ରଦ୍ଧାଞ୍ଜଳି ଦିବସରେ ସାରୁଆ ଠାରୁ ହଜାର ହଜାର ସମର୍ଥକଙ୍କ ସହ ବାଇକ ଶୋଭାଯାତ୍ରାରେ ବାହାରି ଦିଘିରି ଯାଏଁ ଯାଇଥିଲେ । କଂଗ୍ରେସକୁ ଛାଡି ଅନ୍ୟ କୌଣସି ଦଳ ବେଗୁନିଆ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହାନ୍ତି ।

ସୁନ୍ଦରଗଡରେ ପ୍ରଚାର କଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ସୁଧାରାଣୀ ରାଉଡିଆ ଓ ଲୋକସଭା ପ୍ରାର୍ଥୀ ଜନାର୍ଦନ ଦେହୁରୀ । ବଜାରରେ ବୁଲି ବୁଲି ବାଂଟିଲେ କଂଗ୍ରେସର ଗ୍ୟାରେଂଟି କାର୍ଡ । ମହିଳା, ଯୁବ ଓ ଚାଷୀଙ୍କୁ ସୁହାଇଲା ଭଳି ୯ଟି ଗ୍ୟାରେଂଟି ଦେଉଛି କଂଗ୍ରେସ । ଏହାଛଡା ସ୍ଥାନୀୟ ସାମସ୍ୟା, ବିସ୍ଥାପିତଙ୍କ ସମସ୍ୟାର ସମାଧାନ ସଂପର୍କରେ ଭୋଟରଙ୍କ ସହ ଆଲୋଚନା କରିଛନ୍ତି ଉଭୟ ପ୍ରାର୍ଥୀ । ଏଠାରେ ବିଜେଡି ଦୁଇ ଦୁଇ ଥରର ବିଧାୟକ ଯୋଗେଶ ସିଂଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି କୁସୁମ ଟେଟେଙ୍କୁ ପ୍ରାର୍ଥୀ କରିଛି । ଅନ୍ୟପଟେ କଂଗ୍ରେସ ପୁଣି ତାର ଗଡ ଦଖଲ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି । ନିର୍ବାଚନ ପାଖେଇ ଆସୁଥିବା ବେଳେ ନିଜ ନିଜ ନିର୍ବାଚନ ମଣ୍ଡଳିରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ପ୍ରଚାରକୁ ଜୋରଦାର କରୁଛନ୍ତି ।