ଧାମନଗରରେ ଜମୁଛି ପ୍ରଚାର । ଭିନ୍ନ ଭିନ୍ନ ଢଙ୍ଗରେ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି ନେତା । ପଢନ୍ତୁ, କିଏ କରୁଛି କେମିତି ପ୍ରଚାର?

151

କନକ ବ୍ୟୁରୋ: ଉପନିର୍ବାଚନ ପାଇଁ ଏବେ ଧାମନଗରରେ ଜୋର ସୋରରେ ଚାଲିଛି ପ୍ରଚାର । ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ସ୍ୱାଧୀନ ପ୍ରାର୍ଥୀ ଭୋଟରଙ୍କ ମନ ଜିଣିବାକୁ ନିଜ ନିଜ ଢ଼ଙ୍ଗରେ ପ୍ରଚାର କରୁଛନ୍ତିି । ଆଉ ପ୍ରଚାର ସମୟରେ ସାମନାକୁ ଆସିଛି ରାଜନୀତିର କେତେକ ରୋଚକ ଦୃଶ୍ୟ । ଯାହା ଚର୍ଚ୍ଚାର ବିଷୟ ହୋଇଛି ।

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଆସିଥିବା ସାରସକଣାର ବିଜେପି ବିଧାୟକ ବୁଧନ ମୁର୍ମୁ ପ୍ରଚାରବେଳେ ଧାମନଗରରେ କରୁଛନ୍ତି ରୋଗୀ ସେବା । ସେ ପେଶାରେ ଜଣେ ଡାକ୍ତର ହୋଇଥିବାରୁ ଓ ଭୋଟରଙ୍କ ମନ ଜିଣିବା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ, ପ୍ରଚାର କରିବା ସମୟରେ କରୁଛନ୍ତି ରୋଗୀ ସେବା । ଚିକିତ୍ସା ପାଇଁ ଲୋକମାନେ ଲାଇନ ଲଗାଉଛନ୍ତି । ଭୋଟ ପାଇଁ ରାଜନୀତିର ରୋଚକ ଦୃଶ୍ୟ ଚର୍ଚ୍ଚାର ବିଷୟ ହୋଇଛି ।

ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂରଜ ସୂର୍ଯ୍ୟବଂଶୀ ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି । ପ୍ରଚାରବେଳେ ବାପାଙ୍କୁ ହରାଇଥିବା ସୂରଜଙ୍କ ପ୍ରତି ସମବେଦନା ଦେଖିବାକୁ ମିଳୁଛି । ପ୍ରଚାର ସମୟରେ ମା’ ମାଉସୀଙ୍କ ଆଶୀର୍ବାଦ ଲୋଡୁଛନ୍ତି ସୂରଜ । ଆଉ ବୃଦ୍ଧ ବୃଦ୍ଧା ସୂରଜଙ୍କୁ ଆର୍ଶୀବାଦ କରୁଥିବାର ଦୃଶ୍ୟ ବେଶ୍ ଭାଇରାଲ ହେଉଛି । କେଉଁଠି ବୃଦ୍ଧ ମହିଳା ଅତି ଆପଣାର ଭାବେ ସୂରଜଙ୍କୁ ଆଉଁସି ଦେଉଛନ୍ତି ତ କେଉଁଠି ସୂରଜଙ୍କ ମୁଣ୍ଡରେ ହାତ ଦେଇ ଆଶୀର୍ବାଦ କରୁଛନ୍ତି ମା’ ମାନେ ।

ସେହିପରି ଭିନ୍ନ ପ୍ରଚାର ଶୈଳୀକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ବିଜେଡି ବିରୋଧରେ ବିଦ୍ରୋହ କରି ସ୍ୱାଧୀନ ଭାବେ ପ୍ରତିଦ୍ୱନ୍ଦିତା କରୁଥିବା ରାଜେନ୍ଦ୍ର ଦାସ । ଯେଉଁ ଗାଁକୁ ଯାଉଛନ୍ତି, ସେହି ଗାଁର ଠାକୁରାଣୀ ମନ୍ଦିରକୁ ଯାଇ ଆଶୀର୍ବାଦ ନେବା ପରେ ଘରକୁ ଘର ବୁଲି ଲୋକଙ୍କ ଆଶିର୍ବାଦ ଓ ସମର୍ଥନ ଲୋଡୁଛନ୍ତି । ସେହିପରି ସନ୍ଧ୍ୟାରେ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ଆରାଧନା ସ୍ଥଳୀ ମଝାରକୁ ଯାଇ ଚାଦର ଚଢାଉଛନ୍ତି ।

ଅନ୍ୟପଟେ ବିଜେଡି ପ୍ରାର୍ଥୀ ପ୍ରାର୍ଥୀ ଅବନ୍ତୀ ଦାସ ପ୍ରଚାରକୁ ଜୋରଦାର କରିଛନ୍ତି । ବିଭିନ୍ନ ପଞ୍ଚ।।ୟତ ବୁଲି ସେ ପ୍ରଚାର କରୁଛନ୍ତି । ଜଣେ ମିଶନ ଶକ୍ତି ମହିଳା ହୋଇଥିବାରୁ ତାଙ୍କୁ ମହିଳା ଭୋଟ୍ ମିଳିବ ବୋଲି ଆଶା ରଖିଛନ୍ତି । ଏଥିସହ ନବୀନଙ୍କ ନିର୍ମଳ ଭାବମୂର୍ତ୍ତିକୁ ଆଧାର କରି ଲଢ଼େଇ କରୁଛନ୍ତି । ସେପଟେ କଂଗ୍ରେସ ପ୍ରାର୍ଥୀ ବାବା ବାବା ହରେକୃଷ୍ଣ ସେଠୀ ତାଙ୍କର ସମର୍ଥକଙ୍କ ସହ ଯାଇ ପ୍ରଚାର କରୁଛନ୍ତି ।