ନିର୍ବାଚନ ପାଇଁ ଜୋରଦାର ହେଉଛି ପ୍ରଚାର । ପ୍ରାର୍ଥୀଙ୍କ ପ୍ରତିଶ୍ରୁତିକୁ ରେକର୍ଡ କଲେ ଭୋଟର ।

104

କନକ ବ୍ୟୁରୋ: ନିର୍ବାଚନ ପାଇଁ ଜୋରଦାର ହେଉଛି ପ୍ରଚାର । କୋରାପୁଟ ଦଶମନ୍ତପୁର ବ୍ଲକ ଗୌଡ଼କଂଟା ଗାଁ ନିକଟରେ କର୍ମୀ ସମ୍ମିଳନୀ କରିଛି ଦଳ । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସାଂସଦ ସପ୍ତଗିରି ଉଲାକା, ବିଧାୟକ ତାରାପ୍ରସାଦ ବାହିନୀପତି, ଲକ୍ଷ୍ମୀପୁର ବିଧାୟକ ପ୍ରାର୍ଥୀ ପବିତ୍ର ସାଉନ୍ତା, କଂଗ୍ରେସର ଅନେକ ନେତା ଓ କର୍ମୀ । ରାଧାକୃଷ୍ଣ ମନ୍ଦିର ଛକରୁ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିବା ସହ ସଭାସ୍ଥଳରେ ପହଁଚିଥିଲେ ସମସ୍ତ ଅତିଥି । କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ଚଳିତ ନିର୍ବାଚନରେ କଂଗ୍ରେସକୁ ଭୋଟ ଦେବାକୁ ଲୋକଙ୍କୁ ଆହ୍ୱାନ କରାଯାଇଛି ।

ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ମଧ୍ୟ ବିଜେଡି ପ୍ରଚାର ଜମୁଥିବା ଦେଖିବାକୁ ମିଳିଛି । ବିଭିନ୍ନ ଦଳର ପ୍ରାର୍ଥୀ ମାନେ ଦଳ ବଳ ଘେନି ଘର ଘର ବୁଲି ପ୍ରଚାର ଆରମ୍ଭ କରିଛନ୍ତି । ବ୍ରହ୍ମପୁର ବିଜେଡି ବିଧାୟକ ପ୍ରାର୍ଥୀ ରମେଶ ଚ୍ୟାଉ ପଟ୍ଟନାୟକ ସମର୍ଥକଙ୍କୁ ସାଙ୍ଗରେ ଧରି ପ୍ରଚାର କରୁଛନ୍ତି । ଚା ଖଟି ହେଉ ଅବା ଖେଳ ପଡିଆକୁ ଯାଇ ବିଜେଡି ପ୍ରାର୍ଥୀ ନିଜର ପ୍ରଚାର ଅଭିଯାନ ଚଳାଇଛନ୍ତି ।

ରାୟଗଡା ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଅନୁସୟା ମାଝୀ ମଧ୍ୟ ନିଜର ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି । ନିଜ ଇଷ୍ଟଦେବୀ ଏବଂ ଗ୍ରାମ ଦେବତୀଙ୍କୁ ପୂଜାର୍ଚ୍ଚନା କରିବା ପରେ ନିଜ ସମ୍ପର୍କୀୟ ଓ ଦଳୀୟ କର୍ମୀଙ୍କୁ ଧରି ସେ ନିଜର ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନାର ସଫଳତା ଆଧାରରେ ନିଜ ପାଇଁ ଭୋଟ ଭିକ୍ଷା କରୁଛନ୍ତି ଅନୁସୟା ।

ଭଦ୍ରକ ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ହେଭିୱେଟ୍ ନିରଞ୍ଜନ ପଟ୍ଟନାୟକ ନିରଞ୍ଜନ ପଟ୍ଟନାୟକ । ବନ୍ତ ସ୍ଥିତ ନୀଳକ ବଜାରରୁ ବିଶାଳ ବାଇକ ଶୋଭାଯାତ୍ରାରେ ବନ୍ତ ବଜାର ପରିକ୍ରମା କରିବା ସହିତ କଂଗ୍ରେସ କାର୍ଯ୍ୟାଳୟର ଉଦଘାଟନ କରିଛନ୍ତି ନିରଞ୍ଜନ ପଟ୍ଟନାୟକ । ଏହି ଅବସରରେ ସ୍ୱାସ୍ଥ୍ୟ ଖରାପ ଗୁଜବକୁ ନେଇ ମଧ୍ୟ ସେ ମୁହଁ ଖୋଲିଛନ୍ତି, ମୁଁ ବଚିଥିବା ଯାଏ ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀର ଲୋକଙ୍କ ସେବା କରିବି ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।