ଆଜି ସରିବ ବାଲେଶ୍ୱର ଓ ତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ପ୍ରଚାର : ଭୋଟରଙ୍କୁ ମନାଇବା ପାଇଁ ପ୍ରାର୍ଥୀଙ୍କ ପାଇଁ ଶେଷ ସୁଯୋଗ; ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି ନେତା ଓ ଅଭିନେତା 

93

କନକ ବ୍ୟୁରୋ : ହାତରେ ଗୋଟିଏ ଦିନ । ଆଜି ସରିବ ବାଲେଶ୍ୱର ଓ ତିର୍ତ୍ତୋଲ ଉପ-ନିର୍ବାଚନ ପାଇଁ ପ୍ରଚାର । ସେଥିପାଇଁ ଶେଷ ମୁହୁର୍ତ୍ତରେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ୩ ପ୍ରମୁଖ ଦଳର ଉଦ୍ୟମ ଜାରି ରଖିଛନ୍ତି । ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ଭୋଟ୍ ମାଗୁଛନ୍ତି ନେତା । ବିଜେଡି ପକ୍ଷରୁ ପ୍ରଚାର କରୁଛନ୍ତି ନେତା ଓ ଅଭିନେତା । ସେହିପରି କଂଗ୍ରେସ ପ୍ରାର୍ଥୀ ମଧ୍ୟ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ସେପଟେ ଭୋଟ ହାତେଇବା ପାଇଁ ବିଜେପି ମଧ୍ୟ ରାଲି ଓ ଜନସଭାର ଆୟୋଜନ କରୁଛି ।

ପ୍ରଚାର ପାଇଁ ସମୟ ସରି ଆସୁଥିବା ବେଳେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଶେଷ ମୁହୁର୍ତ୍ତରେ ଜୋର ଲଗାଇ ଦେଇଛନ୍ତି ନେତା । ଭୋଟରଙ୍କ ମନ ଜିଣିବାକୁ ପ୍ରୟାସ କରୁଛନ୍ତି । ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କ ସପକ୍ଷରେ ବାଲେଶ୍ୱରରେ ପ୍ରଚାର କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ୱାର୍ଡ ୱାର୍ଡ ବୁଲିବା ସହ ପୀର ବାବାଙ୍କ ପୀଠରେ ଫୁଲ ଚଢ଼ାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ନବ ଦାସଙ୍କ ସହ ପ୍ରଚାରରେ ସାମିଲ ହୋଇଥିଲେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ପତ୍ନୀ ସୁବାସିନୀ ଜେନା ।