କନକ ବ୍ୟୁରୋ : ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରୁଥିଲେ ବି ପ୍ରଚାରକୁ ଯାଇନାହାନ୍ତି ତିନି ଦଳର ଶୀର୍ଷ ନେତୃତ୍ୱ । ପ୍ରଚାର ପାଇଁ ଗାଁ ଗାଁରେ ପ୍ରଚାର ଜମୁଛି । କିନ୍ତୁ ବର୍ତମାନ ସୁଦ୍ଧା ବିଜେଡି, ବିଜେପି ଓ କଂଗ୍ରେସର ବଡ ନେତା ପ୍ରଚାରକୁ ଓହ୍ଲାଇନାହାନ୍ତି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗତ ଥର ଭଳି ଏଥର ବି ପ୍ରଚାରର ସାମିଲ ହୋଇନାହାନ୍ତି । ବିଜେପିର ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ ମଧ୍ୟ ପ୍ରଚାର ମୈଦାନରେ ଓହ୍ଲାଇନାହାନ୍ତି ।

Advertisment

ଧର୍ମେନ୍ଦ୍ର ପ୍ରଧାନ ଉତରପ୍ରଦେଶ ବିଧାନସଭା ନିର୍ବାଚନରେ ବ୍ୟସ୍ତ ଅଛନ୍ତି । ଅଶ୍ୱିନୀ ବୈଷ୍ଣବ ଗତ ସପ୍ତାହରେ ଓଡିଶା ଆସିଥିଲେ ବି ପ୍ରଚାରକୁ ଯାଇନଥିଲେ । ସମାନ ସ୍ଥିତି କଂଗ୍ରେସରେ ବି ଦେଖିବାକୁ ମିଳିଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବି ପ୍ରଚାର ମୈଦାନକୁ ଓହ୍ଲାଇନାହାନ୍ତି । ବିଭିନ୍ନ ଦଳର ବିଧାୟକମାନେ ନିଜ ନିଜ ନିର୍ବାଚନମଣ୍ଡଳୀରେ ବ୍ୟସ୍ତ ଅଛନ୍ତି । କେହି ନିଜ ଅଂଚଳ ଛାଡି ଯାଉନାହାନ୍ତି । ୨୦୧୭ ପଂଚାୟତ ନିର୍ବାଚନରେ ନିଜ ନିର୍ବାଚନମଣ୍ଡଳୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ପ୍ରଚାରରେ ସାମିଲ ହୋଇନଥିଲେ ନବୀନ ପଟ୍ଟନାୟକ ।

ଏଥର ମଧ୍ୟ ସେ ପ୍ରଚାରରେ ସାମିଲ ହୋଇନାହାନ୍ତି । ନବୀନ ଭର୍ଚୁଆଲ ଫ୍ଲାଟଫର୍ମରେ ପ୍ରଚାରରେ ସାମିଲ ହେବେ ବୋଲି ନେତାମାନେ ଆଶା କରିଥିଲେ । କିନ୍ତୁ ଏ ଯାଏଁ ସେଭଳି କୌଣସି ପ୍ରଚାରର ଆୟୋଜନ କରାଯାଇନାହିଁ । ଗତ ପଂଚାୟତ ନିର୍ବାଚନରେ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଙ୍କ ସହ ବଡ ବଡ ନେତା ବିଜେପି ପାଇଁ ମାରାଥନ ପ୍ରଚାର କରିଥିଲେ । କିନ୍ତୁ ଧର୍ମେନ୍ଦ୍ରଙ୍କୁ ଏ ଯାଏଁ ପ୍ରଚାରରେ ଦେଖିବାକୁ ମିଳିନାହିଁ । କେବଳ ଭର୍ଚୁଆଲ ପ୍ଲାଟଫର୍ମରେ ଜିଲ୍ଲାପରିଷଦ ପ୍ରାର୍ଥୀ ଓ ଦଳୀୟ ନେତାଙ୍କୁ ଧର୍ମେନ୍ଦ୍ର ସମ୍ବୋଧିତ କରିଥିଲେ ।