ହାଇଭୋଲଟେଜ ଆସନ ପାଇଁ ଜମାଣିଆ ପ୍ରଚାର । ବାଲେଶ୍ୱରରେ ସାଇକେଲରେ ବୁଲି ପ୍ରଚାର କଲେ ନବଜ୍ୟୋତି, କେନ୍ଦ୍ରାପଡାରେ ଘରକୁ ଘର ବୁଲି ପ୍ରଚାର କଲେ ଅନୁଭବ ।

112

କନକ ବ୍ୟୁରୋ : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଏବେ ଜୋର ଧରିଛି ପ୍ରଚାର । ଖରାକୁ ନେତାଙ୍କ ଖାତିର ନାହିଁ । କର୍ମୀ ଓ ସମର୍ଥକଙ୍କ ସହ ର‌୍ୟାଲି ଶୋଭାଯାତ୍ରାରେ ବାହାରୁଛନ୍ତି ନେତା । ନେତାଙ୍କ ସହ ମୁଖ୍ୟ ଆକର୍ଷଣ ପାଲଟୁଛନ୍ତି ଅଭିନେତା । ଜନସଭାରେ ଭାଷଣ ମାଧ୍ୟମରେ ଭୋଟ ମାଗୁଛନ୍ତି ନେତା ।

ଗୀତ ଗାଇ ଭୋଟରଙ୍କୁ ମନେଇବାକୁ ଚେଷ୍ଟା କରୁଛନ୍ତି ହ୍ୟୁମାନ ସାଗର । ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଖଉଥିବା ବେଳେ ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀରେ କିଛି ଏହିଭଳି ଢଙ୍ଗରେ ପ୍ରଚାର କରିଛନ୍ତି ନେତା । ବିଜେଡି ପ୍ରାର୍ଥି ପ୍ରଣବ ବଳବନ୍ତରାୟଙ୍କ ପାଇଁ ପ୍ରଚାର କରିଛନ୍ତି ଓଲିଉଡର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର ।

ବାଲେଶ୍ୱର ଲୋକସଭା ଆସନ ପାଇଁ ନୂଆ ରଣନୀତି ଆପଣାଇଛିି କଂଗ୍ରେସ । ସାଇକେଲରରେ ବୁଲି ବୁଲି ପ୍ରଚାର କରୁଛନ୍ତି ନବଜ୍ୟୋତି ଓ ଅନ୍ୟ କଂଗ୍ରେସ ପ୍ରାର୍ଥୀ । ସାଙ୍ଗରେ ସାମିଲ ହୋଇଛନ୍ତି ବାଲେଶ୍ୱର ବିଧାୟକ ପ୍ରାର୍ଥୀ ମାନସ ଦାସ ପଟ୍ଟନାୟକ । ଦୁଇ ପୁରୁଣା ପ୍ରତିଦ୍ୱନ୍ଦୀ ବିଜେଡିର ରବୀନ୍ଦ୍ର ଜେନା ଓ ବିଜେପିର ବଡ ନେତା ପ୍ରତାପ ଷଡଙ୍ଗୀଙ୍କୁ ଟକ୍କର ଦେଉଛନ୍ତି ନବଜ୍ୟୋତି ।

କେନ୍ଦ୍ରାପଡ଼ାରେ ଜମୁଛି ପ୍ରର୍ଥୀଙ୍କ ପ୍ରଚାର । ଅଭିନେତା ତଥା ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି ତାଙ୍କ ସମର୍ଥକଙ୍କ ସହ କରିଛନ୍ତି ଜୋରଦାର ପ୍ରଚାର । ନିର୍ବାଚନ ପାଖଉଥିବା ବେଳେ ଅନୁଭବ ଭୋଟରଙ୍କ ମନ କିଣିବାକୁ ଉଦ୍ୟମ କରୁଛନ୍ତି ।

ଭଦ୍ରକ ପ୍ରଚାର ମଇଦାନରେ ବଲିଉଡ ଷ୍ଟାର ରାଜ ବବର । ଭଦ୍ରକର କଂଗ୍ରେସ ବିଧାୟକ ପ୍ରାର୍ଥୀ ନଳିନୀ ମହାନ୍ତି ଓ ସାଂସଦ ପ୍ରାର୍ଥୀ ମଧୁମିତା ସେଠୀଙ୍କ ପାଇଁ ରୋଡ ସୋ କରିଛନ୍ତି ରାଜ୍ ବବର । ପୁରୁଣା ବଜାରରୁ ରୋଡ ସୋ ଆରମ୍ଭ ହୋଇ ସହର ପରିକ୍ରମା କରିବା ପରେ ପାର୍ଟି ଅଫିସର ପହଂଚିଥିଲା ରାଜ ବବରଙ୍କ ରୋଡ ସୋ’ ।

ଆଜି ମୟୁରଭଞ୍ଜରେ ବିଜେପିର ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିସହ ମୟୁରଭଞ୍ଜର ବିଭିନ୍ନ ସ୍ଥାନରେ ସଭା କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ଧର୍ମନ୍ଦ୍ର । ଡବଲ ଇଞ୍ଜିନ ସରକାର ଗଠନ ପାଇଁ ସହ ଯୋଗ କରିବାକୁ ନିବେଦନ କରିଥିଲେ ଧର୍ମେନ୍ଦ୍ର ।

ଭଦ୍ରକର ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ଧାମନଗରରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଦାସ ପ୍ରଚାରରେ ଦମ ଲଗାଇଛନ୍ତି । ରୋଡ ଶୋ ମାଧ୍ୟମରେ ଭୋଟରଙ୍କ ନିକଟତର ହେବାକୁ ଉଦ୍ୟମ କରୁଛନ୍ତି ରାଜେନ୍ଦ୍ର । ସାରା ଦେଶରେ ମୋଦି ଲହର ଚାଲୁଥିବା ବେଳେ ଭଦ୍ରକରେ ଏହାର କୌଣସି ପ୍ରଭାବ ପଡିବନି ବୋଲି ସେ କହିଛନ୍ତିି । ଜଗତସିଂହପୁର ଲୋକସଭା ଅଧିନ ତିର୍ତୋଲ ନିର୍ବାଚନ ମଣ୍ଡଳିର ବିଜେଡି ପ୍ରାର୍ଥୀ ବିଷ୍ଣୁ ଦାସ ନିଜ ପାଇଁ ପ୍ରଚାର କରିଛନ୍ତି । ଦଳୀୟ କର୍ମୀଙ୍କ ସହ ଭୋଟ ଭିକ୍ଷା କରୁଛନ୍ତି ବିଷ୍ଣୁ । ଏଭଳି ହାଇଭୋଲଟେଜ ପ୍ରଚାର ଭିତରେ ନିର୍ବାଚନ ମୈଦାନରେ କିଏ ବାଜି ମାରିବ ତାହା ଉପରେ ସମସ୍ତଙ୍କର ନଜର ରହିବ ।