ପଡୋଶୀ ରାଜ୍ୟରେ ଭୋଟ୍, ଓଡିଶା ସୀମାନ୍ତରେ ତାତି: ଛତିଶଗଡରେ ଓଡିଆ ନେତାଙ୍କ ପ୍ରଚାର

99

କନକ ବ୍ୟୁରୋ: ଛତିଶଗଡରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଛି । ଆଉ ପଡୋଶୀ ରାଜ୍ୟରେ ଭୋଟ ପଡୁଥିବାବେଳେ ଏହାର ତାତି ଦେଖିବାକୁ ମିଳଛି ସୀମାନ୍ତ ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକରେ । ଏହି ବ୍ଲକର ଅନେକ ସୀମାନ୍ତ ଗାଁରେ ଓଡିଆ ନେତାଙ୍କୁ ଧରି ଜୋରଦାର ପ୍ରଚାର ଚଳାଇଛନ୍ତି କଂଗ୍ରେସ ଓ ବିଜେପି ନେତା । ନବରଙ୍ଗପୁରର ନେତା ଛତିଶଗଡ ଯାଇ ଓଡିଆରେ ପ୍ରଚାର କରୁଛନ୍ତି । ଆଉ ଛତିଶଗଡ ନେତା ବି କିଛି ସ୍ଥାନରେ ଓଡିଆରେ ପ୍ରଚାର କରୁଥିବା ଦେଖିବାକୁ ମିଳିଛି ।

ଛତିଶଗଡରେ ଏବେ ଜମିଛି ବିଧାନସଭା ନିର୍ବାଚନ ପ୍ରଚାର । ପଡୋଶୀ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ସରିଥିବାବେଳେ ୧୭ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ହେବ । ଆଉ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ସୀମାନ୍ତ ଗାଁ ଗୁଡିକରେ ଛତିଶଗଡ ନିର୍ବାଚନ ପ୍ରଚାରର ପ୍ରଭାବ ଦେଖିବାକୁ ମିଳିଛି । ଚନ୍ଦାହାଣ୍ଡି ବ୍ଲକର ଫଟକି, କୋଇଲିମୁଣ୍ଡା ଭଳି ଅନେକ ଗାଁ ଛତିଶଗଡ ସୀମାକୁ ଲାଗିଛି । ଏହାଛଡା ଛତିଶଗଡର ବିଭିନ୍ନ ସୀମାନ୍ତ ଗାଁରେ ଅନେକ ଓଡିଆ ରହୁଛନ୍ତି । ତେଣୁ ଛତିଶଗଡର ନେତାମାନେ ସୀମାନ୍ତ ଗାଁର ଭୋଟରଙ୍କୁ ଆକୃଷ୍ଟ କରିବାକୁ ଓଡିଆ ନେତାଙ୍କ ସାହାରା ନେଇଛନ୍ତି । ଛତିଶଗଡର ବିନ୍ଦ୍ରାନୟାଗଡ ପ୍ରାର୍ଥୀ ଗୋବର୍ଦ୍ଧନ ମାଝିଙ୍କ ପାଇଁ ପ୍ରଚାର କରୁଛନ୍ତି ନବରଙ୍ଗପୁର ଜିଲ୍ଲା ବିଜେପି ନେତା ଗୋବିନ୍ଦ ଜୈନ ।

ନବରଙ୍ଗପୁରର ସୀମାନ୍ତ ଗାଁଗୁଡିକରେ ଶାସକ କଂଗ୍ରେସ ଦଳର ପଚାର ବି ପଛରେ ପଡିନାହିଁ । ନବରଙ୍ଗପୁର ଜିଲ୍ଲା କଂଗ୍ରେସର ଟାଣୁଆ ନେତା କ୍ଷେମରାଜ ବାଘ ସୀମାନ୍ତକୁ ଲାଗିଥିବା ଛତିଶଗଡ ଅଂଚଳର ବିଭିନ୍ନ ଗାଁକୁ ଯାଇ ଓଡିଆରେ ପ୍ରଚାର କରୁଛନ୍ତି । ସୀମାନ୍ତକୁ ଆସି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ବି ପ୍ରଚାର କରୁଛନ୍ତି । ଆଉ ତାଙ୍କୁ ସାଥ୍ ଦେଉଛନ୍ତି ଓଡିଆ ନେତା । ଛତିଶଗଡ ନେତା ଓଡିଆଙ୍କ ମନ ଜିତିବା ପାଇଁ ଓଡିଆରେ ଭାଷଣ ଦେଉଥିବା ଦେଖିବାକୁ ମିଳିଛି ।

ଛତିଶଗଡ ବିଧାନସଭା ନିର୍ବାଚନରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ହେଉଛି । ଶୁକ୍ରବାରର ଭୋଟ ପାଇଁ ପ୍ରଚାର ବି ଜୋର ଧରିଛି । ବୁଧବାର ସନ୍ଧ୍ୟାରେ ପ୍ରଚାର ସରିବ । ତେଣୁ ଉଭୟ ଦଳ ଭୋଟରଙ୍କୁ ନିଜ ସପକ୍ଷରେ ଆଣିବାକୁ ଜୋରଦାର ଉଦ୍ୟମ ଚଳାଇଛନ୍ତି ।