ନିର୍ବାଚନ ପ୍ରଚାରରେ କମ୍ପୁଛି ରାଜଧାନୀ । ଘର ଘର ବୁଲି ପ୍ରଚାର କରୁଛନ୍ତି ନେତା ଓ କର୍ମୀ, ଶୋଭାଯାତ୍ରାରେ କରୁଛନ୍ତି ଶକ୍ତି ପ୍ରଦର୍ଶନ ।

107

କନକ ବ୍ୟୁରୋ : ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ଜୋରଦାର ହେଉଛି ପ୍ରଚାର । ବିଶେଷକରି ତିନି ଦଳର ମେୟର ପ୍ରାର୍ଥୀ ଡୋର ଟୁ ଡୋର କ୍ୟାମ୍ପେନିଂ କରୁଛନ୍ତି । ତେବେ ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି ରାଜଧାନୀରେ ଲାଗି ରହିଥିବା ଡ୍ରେନ ଓ ସ୍ୱରେଜ ସମସ୍ୟା । କାରଣ ମୁକୁଳା ଡ୍ରେନ୍ ଯୋଗୁଁ ବାରମ୍ବାର ଅଘଟଣ ଘଟୁଥିବା ବେଳେ ଅସରାଏ ବର୍ଷାରେ ବିଭିନ୍ନ ଅଞ୍ଚଳ ପାଣିରେ ଉବୁଟୁବୁ ହେଉଛି । ତେବେ ପ୍ରାର୍ଥୀମାନେ ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେଇ ଭୋଟ ହାତେଇବାକୁ ଉଦ୍ୟମ କରୁଛନ୍ତି ।

ଭୁବନେଶ୍ୱର ମହାନଗର ନିଗମର ନିର୍ବାଚନ ପ୍ରଚାରରେ କମ୍ପୁଛି ରାଜଧାନୀ । ତିନି ପ୍ରମୁଖ ଦଳର ପ୍ରାର୍ଥୀ ରାଜଧାନୀ ଦଖଲ କରିବା ପାଇଁ ଘର ଘର ବୁଲି ପ୍ରଚାର କରୁଛନ୍ତି । ବିଶେଷକରି ତିନି ଦଳର ମେୟର ପ୍ରାର୍ଥୀ ଡୋର ଟୁ ଡୋର କ୍ୟାମ୍ପେନିଂ କରି ଭୋଟରଙ୍କ ନିକଟରେ ପହଞ୍ଚୁଛନ୍ତି । ବିଜେଡି ପ୍ରାର୍ଥୀ ସୁଲୋଚନା ଦାସ, ଶୋଭାଯାତ୍ରା କରିବା ସହ ଘର ଘର ବୁଲି ଭୋଟ ମାଗୁଛନ୍ତି । ସେହିପରି ବିଜେପି ପ୍ରାର୍ଥୀ ପାର୍କରେ ବୁଲି ଲୋକଙ୍କ ସହ କଥା ହୋଇଛନ୍ତି । ଏମିତି ରାଜଧାନୀ ଭୁବନେଶ୍ୱରରେ ମେୟର ପ୍ରାର୍ଥୀଙ୍କ ପ୍ରଚାର ରାଜନୈତିକ ପରିବେଶକୁ ସରଗରମ କରି ଦେଇଥିଲା ।

ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ଏକ ବଡ ପ୍ରସଙ୍ଗ ପାଲଟିଛି ସହରରେ ଲାଗି ରହିଥିବା ଡ୍ରେନ ଓ ସ୍ୱେରେଜ ସମସ୍ୟା । ପ୍ରାର୍ଥୀମାନେ ଏହି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇ ଭୋଟରଙ୍କୁ ମନାଇବାକୁ ଉଦ୍ୟମ ଜାରି ରଖିଛନ୍ତି । ବିଜୟୀ ହେଲେ, ଡ୍ରେନ ଓ ସ୍ୱେରେଜ ସମସ୍ୟା ଦୂର କରିବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି ।

ଭୁବନେଶ୍ୱରରେ ପ୍ରତିବର୍ଷ ଦେଖିବାକୁ ମିଳେ ବର୍ଷାରେ ବିଭିଷିକାର ଚିତ୍ର । ଅସରାଏ ବର୍ଷା ହେଲେ ସହରର ବିଭିନ୍ନ ଅଞ୍ଚଳ ବର୍ଷା ପାଣିରେ ଉବୁଟୁବୁ ହୁଏ । ରାସ୍ତା ଉପରେ ଲହଡି ଭାଙ୍ଗେ ବର୍ଷା ପାଣି । କେବଳ ଏତିକି ନୁହେଁ, ମୁକୁଳା ଡ୍ରେନ୍ ଯୋଗୁଁ ରାଜଧାନୀରେ ବାରମ୍ବାର ଅଘଟଣ ଘଟେ । ଜୀବନ ବି ଯାଏ । ଅଘଟଣ ଘଟିବା ପରେ ସମସ୍ୟା ସମାଧାନ ହୋଇଯିବ ବୋଲି ପ୍ରଶାସନ ପ୍ରତିଶ୍ରୁତି ଓ ନେତା ପ୍ରତିଶ୍ରୁତି ଦିଅନ୍ତି । ହେଲେ, ସମସ୍ୟାର ସମାଧାନ ହୁଏନାହିଁ ।

ଭୁବନେଶ୍ୱରର ବଡ ସମସ୍ୟା ମୁକୁଳା ଡ୍ରେନ୍ । ସମାଧାନ ପାଇଁ କ’ଣ ରହିଛି ପ୍ରାର୍ଥୀଙ୍କ ପ୍ଲାନ୍ ? ଭୁବନେଶ୍ୱରର ମହାନଗର ନିଗମର ଡ୍ରେନ ଓ ସ୍ୱେରେଜ ସମସ୍ୟା ସବୁଠାରୁ ବଡ ସମସ୍ୟା ହୋଇଥିବାରୁ, ଏହାର ସମାଧାନ ପାଇଁ ମେୟର ପ୍ରାର୍ଥୀଙ୍କ କଣ ଯୋଜନା ରହିଛି । ତାହା ଜାଣିବାକୁ ଚାହିଁଛନ୍ତି ଜନତା । ତେବେ ନିର୍ବାଚନ ସରିବ, ହେଲେ ବିଜୟୀ ପ୍ରାର୍ଥୀ ସମସ୍ୟା ସମାଧାନ କରିବାରେ କେତେ ସଫଳ ହେଉଛନ୍ତି ତାହା ଆଗାମି ଦିନରେ ସ୍ପଷ୍ଟ ହେବ ।