କନକ ବ୍ୟୁରୋ : ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ବିଭିନ୍ନ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ପରେ, ଗାଁ ଗାଁରେ ଜମିଲାଣି ନିର୍ବାଚନ ପ୍ରଚାର । ସାଂସଦ ଓ ବିଧାୟକ ପ୍ରାର୍ଥୀ ନିଜ ନିଜ ସମର୍ଥକଙ୍କୁ ଧରି ଭୋଟ୍ ଯୋଗାଡରେ ଲାଗିପଡିଲେଣି ।
.. ଝାରସୁଗୁଡା ବିଧାୟିକା ଦୀପାଳୀ ଦାସଙ୍କ ଉପରେ ପୁଣି ମୁଖ୍ୟମନ୍ତ୍ରୀ ଭରସା କରିବା ପରେ ସେ ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ପ୍ରଚାର ଆରମ୍ଭ କରିଛନ୍ତି । ନବୀନଙ୍କ ବିକାଶମୂଳକ କାର୍ଯ୍ୟକୁ ପ୍ରସଙ୍ଗ କରି ସେ ଲୋକଙ୍କ ପାଖକୁ ଯିବେ ବୋଲି କହିଛନ୍ତି ।
..ଯାଜପୁର ବିଧାନସଭା ବିଜେପି ପାର୍ଥୀ ଗୌତମ ରାୟ, ମା ବିରଜାଙ୍କ ଆର୍ଶୀବାଦ ନେଇ ପ୍ରଚାର ଆରମ୍ଭ କରିଛନ୍ତି । ଗୌତମଙ୍କୁ ଦଳୀୟ କର୍ମକର୍ତା ଓ ଶୁଭେଚ୍ଛୁ ସ୍ୱାଗତ କରିଥିଲେ । ସେ ମୋଦୀ ସରକାରଙ୍କ ଗ୍ୟାରେଟିଂ ଓ ବିକଶିତ ଭାରତର ବାର୍ତା ନେଇ ଲୋକମାନଙ୍କ ପାଖକୁ ଭୋଟ ଭିକ୍ଷା ପାଇଁ ଯିବେ ବୋଲି କହିଛନ୍ତି ।
.. ଟିକେଟ ପାଇବା ପରେ ଜୟପୁର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ପ୍ରଚାର ଆରମ୍ଭ କରିଛନ୍ତି । ବୋରିଗୁମ୍ମା ବ୍ଲକର ଭୈରବୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ବିଶାଳ ଶୋଭାଯାତ୍ରାରେ ଯାଇ ଶକ୍ତି ପ୍ରଦର୍ଶନ କରିଛନ୍ତି । ଆଉ ଏଥର ହ୍ୟାଟ୍ରିକ୍ ମାରିବେ ବୋଲି ଦୃଢ଼ୋକ୍ତି ଦେଖାଇଛନ୍ତି ।
ପ୍ରାର୍ଥୀମାନେ ପ୍ରଚାର ଆରମ୍ଭ କରିଥିଲେ ବି ପ୍ରଥମେ କର୍ମୀ ସମ୍ମିଳନୀକୁ ଗୁରୁତ୍ୱ ଦେଉଛନ୍ତି । ଏହି କ୍ରମରେ କାମାକ୍ଷାନଗର ଅଂଚଳରେ ଢ଼େଙ୍କାନାଳ ବିଜେପି ସାଂସଦ ପ୍ରାର୍ଥୀ ରୁଦ୍ର ପାଣି ଓ ବିଧାୟକ ପ୍ରାର୍ଥୀ, ଶତ୍ରୁଘ୍ନ ଜେନା କର୍ମୀ ସମ୍ମିଳନୀ କରି, ରଣନୀତି ପ୍ରସ୍ତୁତ କରିଛନ୍ତି । ଲୋକଙ୍କ ମନକୁ କେମିତି ଜିଣିବେ ସେଥିପାଇଁ ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି ।
ସୁନ୍ଦରଗଡ ବିଜେଡି ବିଧାୟକ ପ୍ରାର୍ଥୀ ଯୋଗେଶ ସିଂ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ସୁନ୍ଦରଗଡ ସର୍ଗିପାଲିସ୍ଥିତ ମା ସମଲେଶ୍ୱରୀ ମନ୍ଦିରରେ ମାଆଙ୍କ ପୂଜାର୍ଚ୍ଚନା କରି ପ୍ରଚାର ଆରମ୍ଭ କରିଛନ୍ତି । ସମର୍ଥକଙ୍କ ସହ ଘର ଘର ବୁଲି ଭୋଟ ମାଗିଛନ୍ତି ।
ପ୍ରଚାର ଜମିଆସୁଥିବା ବେଳେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରାର୍ଥୀ ଦିନରାତି ଏକ କରୁଛନ୍ତି । ହେଲେ ଭୋଟର କାହାକୁ ଆଶୀର୍ବାଦ ଦେଉଛନ୍ତି, ତାହା ଜୁନ୍ ୪ରେ ହିଁ ସ୍ପଷ୍ଟ ହେବ ।