କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ଗାଁରେ ପ୍ରଚାର ଜମୁଥିବାବେଳେ ବିଭିନ୍ନ ସ୍ଥାନରୁ ଆସିଛି ରୋଚକ ଦୃଶ୍ୟ । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନିଆରା ତରିକା ଆପଣାଉଛନ୍ତି ପ୍ରାର୍ଥୀ । ନିର୍ବାଚନରେ ମିଳିଥିବା ଚିହ୍ନର ସାମଗ୍ରୀକୁ ଧରି ପ୍ରଚାର କରୁଛନ୍ତି । ଅନ୍ୟପଟେ ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ଘର ଘର ବୁଲି ପ୍ରଚାର କରୁଛନ୍ତି ନେତା ।
ହାତରେ ଛତା ଧରି ଘରକୁ ଘର ବୁଲି ଭୋଟ ମାଗୁଛନ୍ତି ପ୍ରାର୍ଥୀ । କେବଳ ପ୍ରାର୍ଥୀ ନୁହେଁ ସମର୍ଥକ ମଧ୍ୟ ଛତା ଧରି ପ୍ରଚାର କରୁଛନ୍ତି । କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଆନନ୍ଦପୁର ପଞ୍ଚାୟତରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ସରପଞ୍ଚ ପ୍ରାର୍ଥୀ ବିନୋଦିନୀ ବିଶ୍ୱାଳଙ୍କୁ ଛତା ଚିହ୍ନ ମିଳିଥିବାରୁ ଛତା ଧରି ଭୋଟରଙ୍କ ପାଖକୁ ଯାଉଛନ୍ତି ଓ ଛତା ଚିହ୍ନରେ ଭୋଟ ଦେବାକୁ ନିବେଦନ କରୁଛନ୍ତି ।
ପରିବାରକୁ ଭାଗ ଭାଗ କଲା ପଞ୍ଚାୟତ ନିର୍ବାଚନ । କେନ୍ଦୁଝରରେ ସରପଞ୍ଚ ପାଇଁ ତିନି ଯାଆଙ୍କ ଲଢେଇ । ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀଙ୍କ ତିନି ଜଣ ଯାଆ ପରସ୍ପର ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଘର ଘର ବୁଲି ଲୋକଙ୍କୁ ଭୋଟ୍ ଦେବାକୁ ଅନୁରୋଧ କରୁଛନ୍ତି । କେନ୍ଦୁଝର ଜିଲ୍ଲା ଡଅଁର ପଞ୍ଚାୟତରେ ସରପଞ୍ଚ ପାଇଁ ତିନି ଯାଆଙ୍କ ଲଢେଇ ଚର୍ଚ୍ଚାର ବିଷୟ ପାଲଟିଛି । ବଡ ଯାଆ ଆରତି ଜେନା ଓ ମଝିଆ ଯାଆ ସୁପ୍ରିୟା ଜେନା ପ୍ରଚାର ଆରମ୍ଭ କରିଥିବା ବେଳେ ସାନ ଯାଆ ସୌଦାମିନୀ ଜେନା ପ୍ରଚାର ଆରମ୍ଭ କରି ନାହାନ୍ତି ।
ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମୈଦାନରେ ବିଧାୟକ । ଘର ଘର ବୁଲି ମାଗୁଛନ୍ତି ଭୋଟ୍ । ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପ୍ରଚାର କରୁଛନ୍ତି ସ୍ଥାନୀୟ ଅଞ୍ଚଳର ବିଧାୟକ । ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି । ବାଲେଶ୍ୱର ମୁକୁଳିଶି ପଞ୍ଚାୟତରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ବସ୍ତା ବିଧାୟକ, ଘର ଘର ବୁଲି ଭୋଟ ମାଗୁଛନ୍ତି । ବିଧାୟକ ନିତ୍ୟାନନ୍ଦ ସାହୁ ରାଜ୍ୟ ସରକାରଙ୍କ ବିକାଶର କଥା କହି ଲୋକଙ୍କ ପାଖକୁ ଯାଉଛନ୍ତି ।
ସେପଟେ ପ୍ରଚାର ବେଳେ ପୁଣି ହଟ୍ଟହଟା ହୋଇଛନ୍ତି ଦଶପଲ୍ଲା ବିଧାୟକ ରମେଶ ବେହେରା । ବାଣିଗୋଚ୍ଛା ପଞ୍ଚାୟତ ବୁରିପାଲ ଗାଁରେ ଗ୍ରାମବାସୀଙ୍କ ବିରୋଧର ସମ୍ମୁଖୀନ ହୋଇଛନ୍ତି ବିଧାୟକ । ଦୁର୍ନୀତିଗ୍ରସ୍ତ ବ୍ଳକ ଚେୟାରମ୍ୟାନଙ୍କ ସ୍ୱାମୀ ଉପେନ୍ଦ୍ର ସାହୁଙ୍କୁ ସାଙ୍ଗରେ ଆଣିଥିବାରୁ ବିଧାୟକଙ୍କୁ ବିରୋଧ କରିଥିବା କହିଛନ୍ତି ଗ୍ରାମବାସୀ ।