କନକ ବ୍ୟୁରୋ : ପୌର ନିର୍ବାଚନ ପାଇଁ ଯାଜପୁର ବ୍ୟାସନଗର ପୌରାଞ୍ଚଳରେ ପ୍ରାର୍ଥୀ ଓ ଭୋଟରଙ୍କ ମଧ୍ୟରେ ଉଷ୍ମତା ବଢିବାରେ ଲାଗିଛି । ଗତ ନିର୍ବାଚନରେ ପୌରପାଳିକାର ଅଧ୍ୟକ୍ଷ ଆସନ ବିଜେଡ଼ି ଦଖଲ କରିଥିବା ବେଳେ ଚଳିତ ନିର୍ବାଚନ ପାଇଁ ଏଠାରେ ତ୍ରିମୁଖୀ ଲଢେଇ ହେଉଛି । ସେହିପରି ଯୋଡ଼ା ପୌରାଞ୍ଚଳରେ ମଧ୍ୟ ଜମୁଛି ପ୍ରଚାର ।
ପୌର ନିର୍ବାଚନ ପାଇଁ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଯାଜପୁର ବ୍ୟାସନଗର ପୌରପରିଷଦରେ ଭୋଟ୍ ହାତେଇବା ପାଇଁ ନେତା ଓ ପ୍ରାର୍ଥୀ ଡୋର ଡ଼ୁ ଡୋର୍ କ୍ୟାମ୍ପେନ କରୁଛନ୍ତି । ୨୬ଟି ୱାର୍ଡ଼ ବିଶିଷ୍ଟ ଏହି ପୌର ପରିଷଦରେ ମୋଟ ୩୫ ହଜାର ୩୪୮ ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ । ଦଳୀୟ ଓ ନିର୍ଦ୍ଦଳୀୟ କାଉନସିଲର ପ୍ରାର୍ଥୀ ଭାବେ ୯୭ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ଦାଖଲ କରିଛନ୍ତି । ଚଳିତ ପୌର ନିର୍ବାଚନରେ ଅଧ୍ୟକ୍ଷ ପଦ ପାଇଁ ସିଧାସଳଖ ନିର୍ବାଚନ କରାଯାଉଛି । ଅଧ୍ୟକ୍ଷା ପଦ ଆଦିବାସୀ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ବିଜେପି, ବିଜେଡ଼ି ଓ କଂଗ୍ରେସ ପକ୍ଷରୁ ୩ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି ।
ସେହିପରି କେନ୍ଦୁଝର ଯୋଡ଼ା ପୌରାଞ୍ଚଳରେ ଜମୁଛି ନିର୍ବାଚନୀ ପ୍ରଚାର । ଯୋଡ଼ା ଟିସ୍କୋ ଖେଳ ପଡ଼ିଆରେ ଆୟାଜିତ ଏକ ନିର୍ବାଚନୀ ସଭାରେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ହେବିୱେଟ୍ । ଗୋଟିଏ ନିର୍ବାଚନୀ ସଭାରେ ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ପୂର୍ବତନ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼, ବିଧାୟିକା ମିନାକ୍ଷୀ ମହାନ୍ତ, ସାଂସଦ ଚନ୍ଦ୍ରାଣି ମୁର୍ମୁ ।
ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ ପାଇଁ ମତ ସାବ୍ୟସ୍ତ କରିବେ ଭୋଟର । ତେବେ ପୂର୍ବରୁ ବିଜେଡ଼ି ଦଖଲରେ ଥିବା ବ୍ୟାସନଗର ପୌରପାଳିକା ଚଳିତ ଥର କାହା କବଜାକୁ ଯାଉଛି, ତାହା ଦେଖିବାକୁ ବାକି ରହିଲା ।