୨୦୨୪ ନିର୍ବାଚନ ପାଇଁ ସରିଲା ପ୍ରଚାର । ଅନ୍ତିମ ପରୀକ୍ଷାକୁ ଅପେକ୍ଷା, ଫଳାଫଳ ଉପରେ ନେତା-ଜନତାଙ୍କ ନଜର…

71

କନକ ବ୍ୟୁରୋ: ସବୁଆଡେ ଶୂନଶାନ, ସବୁଠି ନିରବତା । ସରିଗଲା ଘୋଘା, ସରିଗଲା ପ୍ରଚାର । ମାରାଥନ ରାଲି, ବିଶାଳ ଶୋଭାଯାତ୍ରାରେ ସବୁଦିନ ପାଇଁ ଲାଗିଲା ବ୍ରେକ୍ । କାରଣ ୨୦୨୪ ପାଇଁ ଆଜିଠୁ ପ୍ରଚାର ଶେଷ । ଚଳିତ ନିର୍ବାଚନରେ ଆଉ ନାହିଁ କୌଣସି ବି ପର୍ଯ୍ୟାୟ । ଜୁନ ୧ରେ ଦେଶର ଅନ୍ତିମ ତଥା ସପ୍ତମ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ ଓଡିଶାରେ ଏହା ୪ର୍ଥ ପର୍ଯ୍ୟାୟ ମତଦାନ ହେବ । ଆଉ ସେହି ମତଦାନ ପାଇଁ ଆଜି ସରିଛି ପ୍ରଚାର ପ୍ରକ୍ରିୟା ଅର୍ଥାତ ଆଜିଠୁ ଆଉ କେଉଁଠି ଦେଖିବାକୁ ମିଳିବନି ପ୍ରଚାର, କି କେଉଁ ନେତା ଘର ଘର ଯାଇ ଭୋଟ୍ ମାଗିବାର ଦୃଶ୍ୟ ବି ସାମ୍ନାକୁ ଆସିବନି ।

ଜୁନ ୧ରେ ୬ଟି ଲୋକସଭା କ୍ଷେତ୍ରରେ ମତଦାନ ଥିବାରୁ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ । ଆଉ ଜନତା ସେମାନଙ୍କ ଭାଗ୍ୟ ଲେଖି ଇଭିଏମରେ ପକାଇବେ । ଶନିବାର ଭୋଟ୍ ଥିବାରୁ ଏବଂ ଆଜି ଶେଷ ପ୍ରଚାର ଥିବାରୁ ନେତାଏ ଏବେ ଖାଲି ଆଶା ବାନ୍ଧି ଅପେକ୍ଷା ନେଇ ବସି ରହିବେ । ମତଦାନ ଦିନକୁ ଅନେଇ ବସିବେ ଏବଂ ଫଳାଫଳ ଦିନକୁ ଚାହିଁ ରହିବେ । କାରଣ ଏବେ ଜୁନ ୪ ଯାଏଁ ନେତା-ଜନତାଙ୍କ ପାଇଁ ଖାଲି ଅପେକ୍ଷା ହିଁ ଅପେକ୍ଷା…

ତେବେ ମେ’ ୧୩ରୁ ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଥିବା ବେଳେ ଜୁନ ୧ରେ ଶେଷ ହେବ । କିନ୍ତୁ ଏହି ମତଦାନ ପାଇଁ ରାଜ୍ୟରେ ମାହୋଲ ଅନେକ ଦିନ ଆଗରୁ ସରଗରମ ଥିଲା । ନିର୍ବାଚନ ତାରିଖ ଘୋଷଣା ଦିନଠୁ ନେଇ ଟିକେଟ୍ ଘୋଷଣା ପର୍ଯ୍ୟନ୍ତ ରାଜନୈତିକ ପାଣିପାଗ ବେଶ ରୋଚକ ଥିଲା । ସବୁଦିନ ଦଳ ଡିଆଁ ପର୍ବ ଓ ମିଶ୍ରଣ ପର୍ବର ଚିତ୍ର ଆସୁଥିଲା । ନେତାଙ୍କ ରାଗ, ଅଭିମାନ, ଅଭିଯୋଗର ମେଳି ବସୁଥିଲା । କିଏ ଶକ୍ତି ପ୍ରଦର୍ଶନ କରୁଥିଲା ତ କିଏ ଅଭିଯୋଗ ଲମ୍ବା ଫର୍ଦ୍ଦ ବଖାଣୁଥିଲା । ଜନତାଙ୍କୁ ନିଜ ଆଡକୁ ଟାଣିବାକୁ ବିଭିନ୍ନ ଦଳ ଲୋଭନୀୟ ଇସ୍ତାହାର ରଖିଥିଲା ଏବଂ ନିଇତି ବିଜେପି-ବିଜେଡି ନେତା ପ୍ରେସମିଟରେ କାଦୁଅ ଫିଙ୍ଗାଫିଙ୍ଗି ହୋଇ ବିଭିନ୍ନ ଅଭିଯୋଗ ନେଇ ସିଇଓଙ୍କ ଦ୍ୱାରସ୍ଥ ହେଉଥିଲେ ।

ଖାଲି କଣ ସେତିକି ଗ୍ରାଉଣ୍ଡରେ ଗର୍ଜୁଥିଲେ ନେତା । ଘର ଘର ବୁଲି ଭୋଟ୍ ମାଗିବା ସହ ବଡ ବଡ ନେତାଙ୍କୁ ଧରି ବିରାଟ ଶୋଭାଯାତ୍ରା କରୁଥିଲେ । ଓଡିଶାରେ ରାଜନୀତି ପାରଦ ଏତେ ଅଧିକ ଥିଲା ଯେ, ଦିଲ୍ଲୀର କେନ୍ଦ୍ରୀୟ ନେତାଙ୍କ ବାରମ୍ବାର ଓଡିଶା ଗସ୍ତ ହେଉଥିଲା । ଉଭୟ ବିଜେପି ଏବଂ କଂଗ୍ରେସର ହେଭିୱେଟମାନେ ଓଡିଶା ମୁହାଁ ହୋଇ ପ୍ରଚାର କରୁଥିଲେ ଆଉ ବିଜେଡି ମଧ୍ୟ ପଛରେ ନଥିଲା । ମୁଖ୍ୟମନ୍ତ୍ରୀ ନବୀନ ଏବଂ ଷ୍ଟାରପ୍ରଚାରକ ପାଣ୍ଡିଆନ ବିଭିନ୍ନ ନିର୍ବାଚନ ମଣ୍ଡଳୀ ବୁଲି ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ ।

ଅନେକ ସ୍ଥାନରେ ବିଭିନ୍ନ ଦଳ ପକ୍ଷରୁ ବଡ ବଡ ଷ୍ଟାରଙ୍କୁ ପ୍ରଚାରରେ ନିୟୋଜିତ କରାଯାଇଥିଲା ଏବଂ ଅନେକ ସ୍ଥାନରେ କିଏ ନିଜ ସ୍ୱାମୀ ପାଇଁ ପ୍ରଚାର କରୁଥିଲା ତ କିଏ ସ୍ତ୍ରୀ ପାଇଁ ପୁଣି କିଏ ନିଜ ପୁଅ-ଝିଅଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଥିଲା । ତେବେ ଏତେ ସବୁ ହୋହଲ୍ଲା, ଘୋଘା, ନାରାବାଜି, ସ୍ଳୋଗାନ, ଗୀତ, ବାଜା ବାଣ, ଏବଂ ପ୍ରଚାର ପୋଷ୍ଟରରେ ୨୦୨୪ ପାଇଁ ଗଣତନ୍ତ୍ରର ଏହି ପର୍ବ ପାଳନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଜୁନ ୧ରେ ଶେଷ ପରୀକ୍ଷା ଏବଂ ଜୁନ ୪ରେ ଫଳାଫଳ ପ୍ରକାଶ ପାଇବ । ଯାହାକୁ ଅପେକ୍ଷା କରିଛନ୍ତି ସମସ୍ତେ ।