କନକ ବ୍ୟୁରୋ : ଆସନ୍ତାକାଲିଠାରୁ ଆରମ୍ଭ ହେବ ପଂଚାୟତ ନିର୍ବାଚନର ଅସଲ ଲଢେଇ । କାରଣ ପସନ୍ଦର ପ୍ରାର୍ଥୀ ବାଛିବାକୁ ମତଦାନ କେନ୍ଦ୍ରକୁ ଯିବେ ଭୋଟର । ଜିଲ୍ଲା ପରିଷଦ, ସରପଂଚ, ସମିତି ସଭ୍ୟ, ଏବଂ ୱାର୍ଡ ମେମ୍ବର ଚୟନ କରିବେ ମତଦାତା । ହେଲେ ଏମାନଙ୍କ ବିଜୟକୁ ଆଧାର କରି ସ୍ଥାନୀୟ ଅଂଚଳର ବଡ ନେତାଙ୍କ ପତିଆରାର ହେବ ମୂଲ୍ୟାୟନ ।
ସେଥିପାଇଁ ସବୁ କଳ, କୌଶଳ ଲଗାଇ ଦେଇଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳର ନେତା । ପ୍ରଥମ ପର୍ଯ୍ୟାୟ ପଂଚାୟତ ଭୋଟ୍ ପାଇଁ ସୋମବାର ଶେଷ ହୋଇଛି ପ୍ରଚାର । ବୁଧବାର ସକାଳ ୭ଟାରୁ ଗୋଟାଏ ଯାଏଁ ଭୋଟ୍ ଗ୍ରହଣ ହେବ । ୩୦ ଜିଲ୍ଲାର ୭୧ ବ୍ଲକରେ ୨୦୦ ଜିଲ୍ଲା ପରିଷଦ ଜୋନ ପାଇଁ ପ୍ରଥମ ପର୍ଯ୍ୟାୟରେ ଭୋଟ୍ ପଡିବ । ୧ ହଜାର ୬୬୯ ପଂଚାୟତରେ ଚୟନ ହେବେ ସରପଂଚ ଓ ସମିତି ସଭ୍ୟ । ସେହିପରି ୨୨ହଜାର ୩୭୯ ୱାର୍ଡ ମେମ୍ବରଙ୍କୁ ବାଛିବେ ଭୋଟର ।
କୁହାଯାଉଛି ଜିଲ୍ଲା ପରିଷଦ ଦଖଲ ହେବ ଶାସକ ଦଳର ନେତା ଓ ମନ୍ତ୍ରୀଙ୍କ ପତିଆରାର ମାପକାଠି । ଦଳୀୟ ଚିହ୍ନରେ ଜିଲ୍ଲା ପରିଷଦ ପ୍ରାର୍ଥୀ ଲଢୁଥିବାରୁ ସିଧାସଳଖ ଦାୟିତ୍ୱରେ ଥିବା ନେତାଙ୍କ ମୂଲ୍ୟାୟନ ହେବ । ସେଥିପାଇଁ ସବୁ କଳ କୌଶଳ ଲଗାଇ ଦେଇଛନ୍ତି ବିଜେଡି ନେତା । ପ୍ରଥମ ପର୍ୟ୍ୟାୟରେ ଭୋଟକୁ ଯାଉଥିବା ବରଗଡ ଜିଲ୍ଲାର ଭଟଲିରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ନେତୃତ୍ୱର ମୂଲ୍ୟାୟନ ହେବ । ବୌଦ୍ଧାର କଂଟାମାଳରେ ମନ୍ତ୍ରୀ ପଦ୍ମନାଭ ବେହେରା, କଟକ ମାହାଙ୍ଗାରେ ମନ୍ତ୍ରୀ ପ୍ରତାପ ଜେନା, ଗଞ୍ଜାମ ଦିଗପହଣ୍ଡିରେ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର, ଯାଜପୁରରେ ବିଧାୟକ ତଥା ବିଜେଡି ସାଂଗଠିନକ ସଂପାଦକ ପ୍ରଣବ ପ୍ରକାଶ ଦାସଓ ଧର୍ମଶାଳାରେ ପ୍ରଣବ ବଳବନ୍ତରାୟଙ୍କ ପତିଆରାର ପରୀକ୍ଷା ହେବାକୁ ଯାଉଛି ।
ରାଜ୍ୟ ସରକାରଙ୍କ ବିକାଶ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନାକୁ ମାଧ୍ୟମ କରି ଗାଁ ଗାଁରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ସମର୍ଥନ ଯୋଗାଡ କରିଛନ୍ତି ବିଜେଡି ନେତା, ମନ୍ତ୍ରୀ । ହେଲେ ଗତଥର ଭଳି ଏଥର ମଧ୍ୟ ନିର୍ବାଚନୀ ପ୍ରଚାର ମୈଦାନକୁ ଓହ୍ଲାଇ ନାହାନ୍ତି ବିଜେଡି ସୁପ୍ରିମୋ । ତଥାପି ଦଳୀୟ ପ୍ରାର୍ଥୀ କିମ୍ବା ସମର୍ଥିତ ସରପଂଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ପାଇଁ ରଣନୀତି ପ୍ରସ୍ତୁତି ଓ ପ୍ରଚାରରେ ହେଳା କରିନାହାନ୍ତି ସ୍ଥାନୀୟ ବିଧାୟକ ଓ ନେତା ।
ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ବିରୋଧୀ ବିଜେପି ଓ କଂଗ୍ରେ ଅପେକ୍ଷା ବିଜେଡି ଭଲ ସ୍ଥିତିରେ ଥିବା ପରି ଦେଖାଯାଉଛି । ବିଜେଡିକୁ ବିରୋଧୀଙ୍କ ପଟୁ ଯେତିକି ଭୟ ନାହିଁ, ନିଜ ଦଳରୁ କଂଟା ସାଜିଥିବା ବିଦ୍ରୋହୀଙ୍କ ପଟୁ ସେତିକି ଅଡୁଆ ରହିଛି । ସେପଟେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ ପ୍ରଚାର ଠାରୁ ଦୂରେଇ ରହିଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଏଯାଏଁ ପ୍ରଚାରକୁ ଓହ୍ଲାଇ ନାହାନ୍ତି ।
ବିଜେପି ପାଇଁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ କିଛି କିଛି ଯାଗାରେ ପ୍ରଚାର କରିଛନ୍ତି । ପୂର୍ବତନ ମନ୍ତ୍ରୀ ଜୁଏଲ ଓରାମ ଓ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ମଧ୍ୟ ଘନଘନ ଜିଲ୍ଲା ଗସ୍ତ କରିଛନ୍ତି । ହେଲେ କଂଗ୍ରେସ କ୍ୟାମ୍ପ ଆରମ୍ଭରୁ ପଛରେ ପଡିଯାଇଛି । ପ୍ରାର୍ଥୀ ଓ ଦଳର ବରିଷ୍ଠ ନେତାମାନେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ବଖାଣି ଭୋଟରଙ୍କ ମନ ଜିଣିବାକୁ ପ୍ରୟାସ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/1-22.jpg)