ଦିନକ ପରେ ଭୋଟ୍, ନେତାଙ୍କ ଛାତିରେ ଛନକା ! ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଲା ପ୍ରଚାର, ଏଣିକି ଜନତାଙ୍କ ହାତରେ ନେତାଙ୍କ ଭାଗ୍ୟ ।

134

କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଲା ପ୍ରଚାର, ଏଣିକି ଜନତାଙ୍କ ହାତରେ ନେତାଙ୍କ ଭାଗ୍ୟ । ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ପାଇଁ ଆଜି ସମସ୍ତ ରାଜନୈତିକ ଦଳର ନେତା ନିଜ ନିଜ ପ୍ରଚାର ଶେଷ କରିଛନ୍ତି । ଏହି ୪ଟି ଲୋକସଭାରେ କିଏ କାହାକୁ ଟକ୍କର ଦେବେ ଏବଂ ପରିଣାମକୁ ନେଇ କଣ ରହିଛି ନେତାଙ୍କ ଆଶା ଆସନ୍ତୁ ଜାଣିବା ।

ପ୍ରଚାର ସରିଲା, ଲଢ଼େଇକୁ ଅପେକ୍ଷା । ପ୍ରଥମ ପର୍ଯ୍ୟାୟ ପାଇଁ କ୍ଷେତ୍ର ପ୍ରସ୍ତୁତ । ପ୍ରଚାର ମୈଦାନରେ ଖୁବ୍ ଝାଳ ବୁହାଇଲେ ନେତା, ଏବେ ଅପେକ୍ଷା ଜନତାଙ୍କ ଫୈସଲାକୁ । ଦୀର୍ଘ ଦିନ ଧରି, ନିର୍ବାଚନୀ ମୈଦାନରେ ଚାଲିଥିବା ନେତାଙ୍କ କସରତରେ ଲାଗିଛି ବ୍ରେକ୍ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜରାସ୍ତାରେ ଆଉ ଶୁଣିବାକୁ ମିଳିବ ନାହିଁ ନେତା ଓ ଦଳର ଜୟ ଜୟକାର । କାରଣ ଆସନ୍ତା ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ।

ଜନତାଙ୍କ ହାତରେ ନେତାଙ୍କ ଭାଗ୍ୟ । ୪ ଲୋକସଭା, ୨୮ ବିଧାନସଭା ଆସନ ପାଇଁ ମତଦାନ । କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଏବଂ ବ୍ରହ୍ମପୁର ଲୋକସଭା ସମେତ ୨୮ଟି ବିଧାନସଭା ଆସନ ପାଇଁ ପ୍ରସ୍ତୁତ ହୋଇ ରହିଛି ମତଦାନର କ୍ଷେତ୍ର । ଆଉ ମୈଦାନରେ ସାମ୍ନା ସାମ୍ନି ହେଉଛନ୍ତି ତୁଙ୍ଗ ନେତା । କଳାହାଣ୍ଡିରେ ଭକ୍ତ ଦାସ, ବସନ୍ତ ପଣ୍ଡା ଏବଂ ପୁଷ୍ପେନ୍ଦ୍ର ସିଂଦେଓ ସିଧାସଳଖ ମୁହାଁମୁହିଁ ହେଉଥିବା ବେଳେ ନବରଙ୍ଗପୁରରେ ପ୍ରଦୀପ ମାଝୀ, ବଳଭଦ୍ର ମାଝୀ ଏବଂ ରମେଶ ମାଝୀ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି ।

ସେହିପରି ବ୍ରହ୍ମପୁର ଲୋକସଭା ରାଜନୀତିରେ ଚନ୍ଦ୍ରଶେଖର ସାହୁ, ଭୃଗୁ ବକ୍ସି ପାତ୍ର ଏବଂ ଭି. ଚନ୍ଦ୍ରଶେଖର ନାଇଡୁଙ୍କ ରାଜନୈତିକ ଭବିଷ୍ୟତ ନିର୍ଦ୍ଧାରଣ କରିବାକୁ ଯାଉଛନ୍ତି ଭୋଟର । ଏପଟେ କୋରାପୁଟ ଲୋକସଭାରେ ସପ୍ତଗିରି ଉଲାକା, ଜୟରାମ ପାଙ୍ଗି ଏବଂ କୌଶଲ୍ୟା ହିକକାଙ୍କ ମଧ୍ୟରେ କଡ଼ା ମୁକାବିଲା ହେବାକୁ ଯାଉଛି । ଲୋକସଭାର ଏହି ୪ଟି ମହାମୁକାବିଲା ଭିତରେ ୨୮ଟି ବିଧାନସଭା ଆସନ ଭିତରେ ସୂର୍ଯ୍ୟନାରାୟଣ ପାତ୍ର, ତାରା ବାହୀନିପତି, ଭୁଜବଳ ମାଝୀ, ଭୂପିନ୍ଦର ସିଂହ ଏବଂ ଦୁଷ୍ମନ୍ତ ନାଏକଙ୍କ ଭଳି ତୁଙ୍ଗ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା ।