କନକ ବ୍ୟୁରୋ : ପୌର ନିର୍ବାଚନ ପାଇଁ ଧୂଆଁଧାର ପ୍ରଚାର ଚାଲିଛି । ଆସନ୍ତାକାଲି ପ୍ରଚାର ସରୁଥିବାରୁ ଶେଷ ସମୟରେ ଭୋଟରଙ୍କୁ ମନେଇବାକୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ହେଭିୱେଟ ନେତା । ଗୋପାଳପୁର ଏନଏସିରେ ବିଜେଡି ପାଇଁ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ । ଯାଜପୁରରେ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବିଶାଳ ରୋଡ ସୋ କରି ପ୍ରଚାର କରିଛନ୍ତି । ଜଟଣୀରେ ଭୁବନେଶ୍ୱର ସାଂସଦ ପ୍ରଚାର କରି ବିକାଶ ପାଇଁ ୨୦ ବର୍ଷ ନୁହେଁ ୨ ବର୍ଷ ଦେବାକୁ ଭୋଟରଙ୍କୁ ସମୟ ମାଗିଛନ୍ତି ।

Advertisment

ଦିନକ ପରେ ସରୁଛି ପୌର ନିର୍ବାଚନ ପାଇଁ ପ୍ରଚାର । ଶେଷ ସମୟରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସ । ଗୋପାଳପୁର ଏନଏସି ଅଞ୍ଚଳରେ ସେ ବିଜେଡିର ପ୍ରଚାର ମଙ୍ଗ ଧରିଛନ୍ତି । ବିଶାଳ ରାଲି କରିବା ସହ ଛକ ଛକରେ ଭାଷଣ ଦେଇ ବିଜେଡି ସରକାରଙ୍କ ଲୋକାଭିମୁଖୀ ଯୋଜନା ବାବଦରେ ଭୋଟରଙ୍କୁ ଜଣାଇ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଅନୁରୋଧ କରୁଛନ୍ତି ।

ଯାଜପୁରରେ ଓଲିଉଡ ଅଭିନେତ୍ରୀଙ୍କ ପ୍ରଚାର । ବିଜେଡି ପାଇଁ ଭୋଟ ମାଗିଲେ ବର୍ଷା ପ୍ରିୟଦର୍ଶିନୀ । ଯାଜପୁର ପୌରପାଳିକାରେ ବିଜେଡି ପାଇଁ ମୈଦାନକୁ ଓହ୍ଲାଇଛନ୍ତି ଓଲିଉଡ ଷ୍ଟାର୍ । ବାଇକ ରାଲି କରି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ବିଜେଡି ମହିଳା ମୋର୍ଚ୍ଚାର ମହାସଚିବ ଏଲିନା ଦାସ ସହରର ୧୮ଟି ୱାର୍ଡରେ ବୁଲି ବୁଲି ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ପ୍ରଚାରରେ ପୌରପାଳିକାର ୧୮ ଜଣ କାଉନସିଲର ଓ ପୌରଧ୍ୟକ୍ଷା ପ୍ରାର୍ଥୀ ସାମିଲ ହୋଇଥିଲେ ।

ଜଟଣୀରେ ବିଜେପିର ପୌର ଅଧ୍ୟକ୍ଷ ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କ ପାଇଁ ପ୍ରଚାର କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ବିକାଶ ପାଇଁ ଜଟଣୀବାସୀ ୨୦ ବର୍ଷ ନୁହେଁ ମାତ୍ର ଦୁଇ ବର୍ଷ ଦିଅନ୍ତୁ ବୋଲି କହିଛନ୍ତି ସାଂସଦ । ଏଥିସହ ବିଜେପି ପ୍ରାର୍ଥୀ ବିଜୟୀ ହେଲେ ଜଟଣୀର ପାନୀୟ ଜଳ, ଡ୍ରେନେଜ ସମସ୍ୟାର ସମାଧାନ କରିବାକୁ ଭୋଟରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ରାୟଗଡା ପୌରପରିଷଦ ପାଇଁ ସବୁ ଦଳ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି । ବିଜେଡିର ପ୍ରଚାର ମଙ୍ଗ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ଧରିଥିବା ବେଳେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲାକା । ଜିଲ୍ଲାରେ ଦୁଇଟି ପୌରପରିଷଦ ଓ ଗୋଟିଏ ଏନଏସି ରହିଛି । ମୋଟାମୋଟି କହିବାକୁ ଗଲେ ରାୟଗଡା ପୌର ନିର୍ବାଚନ ଦୁଇ ସାଂସଦଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ଦେବଗଡରେ ପୌର ନିର୍ବାଚନ ପାଇଁ ମାରାଥନ ପ୍ରଚାର କରିଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ । ପ୍ରବଳ ଖରାରେ ଦଳୀୟ କର୍ମୀଙ୍କ ସହ ବାଇକ ରାଲି କରି ୱାର୍ଡରୁ ୱାର୍ଡ ବୁଲି ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ଦେବଗଡ ଜିଲ୍ଲାରେ ରାଜନୈତିକ ପାରା ଶୀର୍ଷକୁ ଛୁଇଁଥିବା ବେଳେ ମନ୍ତ୍ରୀଙ୍କ ରୋଡ ସୋ କର୍ମୀଙ୍କ ଭିତରେ ନୂଆ ଉତ୍ସାହ ଭରିଦେଇଛି ।