ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି ସିନେ ଷ୍ଟାର । ଭୁବନେଶ୍ୱରରେ ବିଜେଡି ପାଇଁ ଭୋଟ ଅପିଲ୍ କଲେ ଅଭିନେତ୍ରୀ ବର୍ଷା, ପର୍ଜଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଅନୁ ।

219

କନକ ବ୍ୟୁରୋ : ପ୍ରଚାର ମୈଦାନରେ ପୁରା ଦମ ଲଗାଇ ଦେଇଛନ୍ତି ନେତା । କିପରି ଜନତାଙ୍କ ପାଖରେ ପହଂଚିହେବ ଏବଂ ଭୋଟ ହାତେଇହେବ ସେଥିପାଇଁ ଦଳ ବଳ ସଂଗ୍ରହ କରି ଲାଗିପଡିଛନ୍ତି । ଭାଷଣରେ ପ୍ରତିଶ୍ରୁତି ହେଉ ଅବା ପିଠି ଥାପୁଡା, ଜନତାଙ୍କ ମନ ଜିତିବାକୁ ଅଂଟାଭିଡିଛନ୍ତି ନେତ।। କିଛି ସ୍ଥାନରେ ମଧ୍ୟ ସିନେ ତାରକାମାନେ ଓହ୍ଲାଇଥିଲେ ପ୍ରଚାର ମୈଦାନକୁ । ପ୍ରଚାର ମୈଦାନରେ ଆଜି ଦିନ ତମାମ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ।

ନିର୍ବାଚନ ଯେତିକି ପାଖଉଛି, ସେତିକି ଜୋର ଲଗାଇ ନେତା କରୁଛନ୍ତି ପ୍ରଚାର । ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନମଣ୍ଡଳୀରେ ପ୍ରଚାର ଆରମ୍ଭ କରିଛନ୍ତି ବିଜେଡିର ବିଧାନସଭା ପ୍ରାର୍ଥୀ ପ୍ରୀତିରଞ୍ଜନ ଘଡେଇ । ତେଲିବାହାଳି ହିଙ୍ଗୁଳାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଏକ ଶୋଭାଯାତ୍ରାରେ ନିର୍ବାଚନମଣ୍ଡଳୀ ପରିକ୍ରମା କରିଥିଲେ ପ୍ରତିରଞ୍ଜନ । ସୁକିନ୍ଦାରେ ବିଜେଡିର ବିଜୟ ହେବ ବୋଲି କହିଛନ୍ତି ଦଳର ଉପସଭାପତି ପ୍ରଫୁଲ୍ଲ ଘଡେଇ ।

ସେହିଭଳି ଭୁବନେଶ୍ୱରରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । ଭୁବନେଶ୍ୱର ଉତର ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତଙ୍କ ପାଇଁ ସାଲିଆ ସାହିରେ ଭୋଟ ମାଗିଛନ୍ତି ବର୍ଷା । ବର୍ଷାଙ୍କୁ ଦେଖିବା ପାଇଁ ଲୋକମାନଙ୍କ ମଧ୍ୟରେ ନାହିଁନଥିବା ଆଗ୍ରହ ଦେଖିବାକୁ ମିଳିଥିଲ୍ା ।ସେହିଭଳି ନୟାଗଡରେ ବିଜେଡି ବିଧାୟକ ପ୍ରାର୍ଥୀ ସମର୍ଥକଙ୍କ ସହିତ ଲୋକଙ୍କ ପାଖରେ ପହଂଚିବାକୁ ଉଦ୍ୟମ କରୁଛନ୍ତି । ନବୀନଙ୍କ ବିକାଶମୂଳକ କାର୍ଯ୍ୟକ୍ରମକୁ ପାଥେୟ କରି ପ୍ରଚାର କରି ଭୋଟ ମାଗୁଛନ୍ତି ବିଜେଡି ପ୍ରାର୍ଥୀ ଅରୁଣ ସାହୁ ।

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନମଣ୍ଡଳୀରେ ବିଜେପି ପ୍ରାର୍ଥୀ ବିଭୂତି ପ୍ରଧାନଙ୍କ ପାଇଁ ପ୍ରଚାର କରିଛନ୍ତି ଫିଲ୍ମ ଷ୍ଟାର ଅନୁ ଚୌଧୁରୀ । ଅନୁ ହେଲିକପ୍ଟରରେ ଆସି ପାଟରାପଡାରେ ପଂହଚିଥିଲେ । ଏକ ବିରାଟ ଶୋଭାଯାତ୍ରାରେ ବାହାରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ । ଅନୁଙ୍କୁ ଗୋଟିଏ ଝଲକ ପାଇବା ପାଇଁ ଲୋକମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ନାହିଁନଥିବା ଆଗ୍ରହ ।

କଟକ ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଭତୃହରି ମହତାବ ପ୍ରଚାରକୁ ଜୋରଦାର କରିଛନ୍ତି । ସମର୍ଥକଙ୍କ ସହ ଘରକୁ ଘର ବୁଲି ଭୋଟ ଦେବାକୁ ନିବେଦନ କରିଛନ୍ତି ଭତୃହରି ।ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ତଥା ମନ୍ତ୍ରୀ ନିରଞ୍ଜନ ପୂଝାରୀଙ୍କ ପାଇଁ ପ୍ରଚାର କରୁଛନ୍ତି ତାଙ୍କ ଝିଅ ସିନ୍ଧୁ ନନ୍ଦିନୀ ପୂଝାରୀ ଓ ପତ୍ନୀ ବୀଣାପାଣି ପୂଝାରୀ । ସିନ୍ଧୁ ନନ୍ଦିନୀ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନାକୁ ପ୍ରସଙ୍ଗ କରି ଭୋଟ ମାଗୁଛନ୍ତି ।

ଭଦ୍ରକରେ ରୋଡ ସୋ କରି ଭୋଟ ମାଗିଛନ୍ତି ବିଜେଡି ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ । ଯାଜପୁରରେ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଏବଂ ସାଂସଦ ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ଜୋରଦାର କରିଛନ୍ତି ପ୍ରଚାରକୁ । ଘଷିପୁରାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଲି ଶୋଭାଯାତ୍ରା ମାଧ୍ୟମରେ କଂଗ୍ରେସର ପ୍ରତିଶ୍ରୁତିକୁ ଲୋକଙ୍କ ପାଖରେ ପହଂଚାଇବାକୁ ଉଦ୍ୟମ କରୁଛନ୍ତି । କୋରେଇରେ ସମସ୍ତଙ୍କ ନଜର, କାହା ମୁଣ୍ଡରେ ହାତୀ ଢାଳିବ ସୁନାକଳସ । ବିଜେଡି ପ୍ରାର୍ଥୀ ଅଶୋକ ବଳ ପୁରା ଦମରେ ପ୍ରଚାର ଚଳାଇଛନ୍ତି । ବିଜେଡିରେ ଭୋଟ ଦେବା ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି ଅଶୋକ ।