ପିପିଲି ମୈଦାନରେ ଚାଲିଛି ଜୋରଦାର ଟକ୍କର । ବିଜୟ ନେଇ ଦମ୍ଭୋକ୍ତି ବାଢିଲେ ୩ ରାଜନୈତିକ ଦଳ ।

82

କନକ ବ୍ୟୁରୋ : ଚତୁର୍ଥ ଦିନରେ ଜୋରଦାର ହୋଇଛି ପିପିଲି ପ୍ରଚାର । ନିର୍ବାଚନ ଆୟୋଗ ଦେଇଥିବା ୭ଦିନର ସମୟକୁ କେହି ହାତଛଡା କରିବାକୁ ଚାହୁଁନାହାନ୍ତି । ଗଡ ରକ୍ଷା ସହ ବଡ ବ୍ୟବଧାନରେ ଜିତିବ ବୋଲି ବିଜେଡି ଦମ୍ଭୋକ୍ତି କରୁଛି । ହେଲେ ପୁଅ ରୁଦ୍ର ମହାରଥୀଙ୍କ ପାଇଁ ମା’ ପ୍ରତିଭା ପ୍ରଚାର ମୈଦାନକୁ ଏଯାଏଁ ନଆସିବା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେପଟେ ଫନି ସହାୟତା ପାଇନଥିବା ଡେଲାଙ୍ଗବାସୀଙ୍କ ଅସନ୍ତୋଷକୁ ଆଧାର କରି କାଉଣ୍ଟର ରଣନୀତି କରୁଛି ବିଜେପି । ଆଉ କଂଗ୍ରେସ କହିଛି ନିର୍ବାଚନ ସ୍ୱଚ୍ଛ ଉପାୟରେ ହେଲେ ଦଳ ଜିତିବ, ଅର୍ଥ ଓ ବାହୁବଳର ଉପଯୋଗ ହେଲେ କଂଗ୍ରେସ ପ୍ରାର୍ଥୀଙ୍କ ସ୍ଥିତି କ’ଣ ହେବ କହିହେବନାହିଁ ।

ପିପିଲି ଉପନିର୍ବାଚନ ପାଇଁ ଗତ ୨୦ ତାରିଖରୁ ପ୍ରଚାର ଆରମ୍ଭ ହୋଇଥିବାବେଳେ ଆଜି ଚତୁର୍ଥ ଦିନରେ ପହଞ୍ଚିଛି । ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରଚାର ପାଇଁ ମାତ୍ର ୮ ଦିନିଆ ସମୟ ଦିଆଯାଇଥିବାରୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ଜୋର ଲଗାଇ ଦେଇଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ । ବିଜେଡିର ଗଡ ହୋଇ ରହିଆସିଥିବା ପିପିଲିରୁ ଦିବଙ୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ପ୍ରାର୍ଥୀ କରି ବଡ ବ୍ୟବଧାନରେ ଜିତିବାକୁ ରଣନୀତି କରିଛି ବିଜୁ ଜନତା ଦଳ । ସେପଟେ ପ୍ରଦୀପ ମହାରଥୀଙ୍କ ବିରୋଧରେ ମାତ୍ର ୧୫ ହଜାର ଭୋଟରେ ହାରିଥିବା ବିଜେପି ପ୍ରାର୍ଥୀ ଆଶ୍ରୀତ ପଟ୍ଟନାୟକ ମଧ୍ୟ ବିଜେଡି ଗଡରେ ଧସେଇ ପଶିବାକୁ ଜୋରଦାର ପ୍ରୟାସ କରୁଛନ୍ତି । କଂଗ୍ରେସ କିନ୍ତୁ ପିପିଲିରେ ୧ ନମ୍ବର ହୋଇପାରିବ ନାହିଁ ବୋଲି ମୂଳରୁ ହାତ ଟେକି ଦେଇଛି ।

୨୦୦୯ ପରଠାରୁ କୌଣସି ଉପନିର୍ବାଚନ ହାରିନଥିବା ବିଜେଡି ଏଥର ପିପିଲିରେ ମଧ୍ୟ ସ୍ୱତନ୍ତ୍ର ରଣନୀତି ସହ ଆଗକୁ ବଢୁଛି । ଦଳର ସଂଗଠନକୁ ମଜଭୂତ କରି ଭୋଟ ବୃଦ୍ଧି କରିବା ଲକ୍ଷ୍ୟରେ ବିଜେଡି ସାଂସଦ, ବିଧାୟକ, ମନ୍ତ୍ରୀଙ୍କ ସମେତ ଯୁବ, ଛାତ୍ର ଓ ମହିଳା ସାମୁଖ୍ୟକୁ ଧରି ବିଭିନ୍ନ ପଞ୍ଚାୟତ ଓ ୱାର୍ଡରେ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି । ପୂର୍ବାପେକ୍ଷା ବିଜେଡି ଅଧିକ ଭୋଟ ବ୍ୟବଧାନରେ ଜିତିବ ବୋଲି ଦମ୍ଭ ଦେଖାଇଛି ।

ପିପିଲିରେ ପ୍ରଚାରକୁ ୪ ଦିନ ବିତିଥିଲେ ମଧ୍ୟ ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପତ୍ନୀ ଏଯାଏଁ ମୈଦାନକୁ ଓହ୍ଲାଇ ନାହାନ୍ତି । ପୁଅ ରୁଦ୍ରଙ୍କ ପାଇଁ ମାଆ ପ୍ରତିଭା ମହାରଥୀ ପ୍ରଚାରକୁ ନଆସିବା ବିଜେଡିକୁ ବ୍ୟାକଫୁଟରେ ରଖିପାରେ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ବାଲେଶ୍ୱର ପରାଜୟର ପ୍ରତିଶୋଧ ନେବାକୁ ପିପିଲିରେ ବିଜେପି ଜୋରଦାର ଉଦ୍ୟମ କରୁଛି । ବିଶେଷ କରି ଫନି ସହାୟତା ପାଇନଥିବା ଡେଲାଙ୍ଗରେ ସରକାର ବିରୋଧୀ ଜନମତକୁ ପ୍ରଭାବିତ କରିବାରେ କେତେକାଂଶରେ ବିଜେପି ସଫଳ ହେଉଥିବା ଦେଖାଯାଉଛି ।

ପିଲିଲି ବ୍ଲକର ୨୫ ପଞ୍ଚାୟତ, ଡେଲାଙ୍ଗ ବ୍ଲକର ୨୧ ପଂଚାୟତ ସହ ପିପିଲି ଏନଏସିର ୧୬ଟି ୱାର୍ଡକୁ ମିଶାଇ ପିପିଲି ବିଧାନସଭା କ୍ଷେତ୍ରରେ ଆଗାମୀ ୩୦ ତାରିଖରେ ପଡିବ ଭୋଟ୍ । ଅକ୍ଟୋବର ୩ ତାରିଖରେ ଭୋଟ ଗଣତି ପରେ ପିପିଲିକୁ ମିଳିଯିବ ନୂଆ ବିଧାୟକ । ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଏହି ଆସନ ପାଇଁ ଉପନିର୍ବାଚନ ହେଉଥିବାବେଳେ କରୋନା କଟକଣା ଭିତରେ ଭୋଟ ପଡିବାକୁ ଯାଉଛି ।