ଚତୁର୍ଥ ପର୍ଯ୍ୟାୟ ପାଇଁ କମ୍ପୁଛି ପ୍ରଚାର ମଇଦାନ । ଦମ୍ ଦେଖାଉଛନ୍ତି ନେତା, ପ୍ରତିଶ୍ରୁତି ଦେଇ ମାଗୁଛନ୍ତି ଭୋଟ୍ ।

112

କନକ ବ୍ୟୁରୋ : ପାଣିପାଗ ଗରମ ଆଉ ପ୍ରଚାର ବି ଗରମ । ପ୍ରବଳ ଖରାରେ ଝାଳ ବୁହାଇ ଖଣ୍ଡେ ଖଣ୍ଡେ ଭୋଟ ପାଇଁ ପୁରା ଦମରେ ଲାଗିଛନ୍ତି ନେତା । ଜନତାଙ୍କ ପାଖରେ ପହଂଚୁଛନ୍ତି, ପ୍ରତିଶ୍ରୁତି ଦେଉଛନ୍ତି ଆଉ ଭୋଟ ମାଗୁଛନ୍ତି । ପ୍ରଚାର ମାଧ୍ୟମରେ ଆଗାମୀ ନିର୍ବାଚନରେ ବିଜୟର ରାସ୍ତା ପ୍ରସ୍ତୁତ କରୁଛନ୍ତି ନେତା । ଚତୁର୍ଥ ପର୍ଯ୍ୟାୟ ମତଦାନ ସାରା ଦିନ ଆଜି ପ୍ରଚାରରେ ଲାଗିଥିଲେ ତିନି ପ୍ରମ୍ରୁଖ ଦଳର ନେତା । ଆସନ୍ତୁ ଜାଣିବା କେମିତି ଚାଲିଥିଲା ନେତାଙ୍କ ମାରାଥନ ପ୍ରଚାର ।

ପ୍ରଚାରରେ ଦମ ଦେଖାଇଲେ ନେତା । ପ୍ରତିଶ୍ରୁତି ଦେଲେ, ଭୋଟ ମାଗିଲେ । ନିମାପଡା ବଜାରରେ ଆଜି ଶକ୍ତି ପ୍ରଦର୍ଶନ କରିଛି ବିଜେପି । ବିଜେପିର ନିମାପଡା ବିଧାନସଭା ପ୍ରାର୍ଥୀ ପ୍ରଭାତି ପରିଡାଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନିମାପଡାରେ ବିଶାଳ ଶୋଭାଯାତ୍ରାରେ ଜନତାଙ୍କ ପାଖରେ ପହଂଚିବାକୁ ଉଦ୍ୟମ କରିଥିଲେ ଧର୍ମେନ୍ଦ୍ର । ହଜାର ହଜାର ସମର୍ଥକଙ୍କ ବାଇକ ରାଲିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ ଧର୍ମେନ୍ଦ୍ର । ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହିତ ମୋଦିଙ୍କ ବିକାଶର ଧାରାକୁ ପ୍ରସଙ୍ଗ କରି ଭୋଟ ଭିକ୍ଷା କରିଛନ୍ତି ପ୍ରଭାତି ପରିଡା ।

ସେପଟେ ବିଜେପିକୁ ଟକ୍କର ଦେଇ ବିଜେଡି ମଧ୍ୟ ପ୍ରଚାର ଅଭିଯାନକୁ ଜୋରଦାର କରିଛି । ବିଜେଡିର ନିମାପଡା ବିଧାୟକ ପ୍ରାର୍ଥୀ ସମୀର ଦାସ ଆଜି ନିମାପଡାର ବାମନାଳରେ କରିଥିଲେ ମାରାଥନ ପ୍ରଚାର । ନବୀନଙ୍କ ବିଭିନ୍ନ ଜନହିତକାରୀ ଯୋଜନାକୁ ପାଥେୟ କରି ଭୋଟ ମାଗିଛନ୍ତି ସମୀର ।

ସେହିପରି ଯାଜପୁର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ରାଲି ଶୋଭାଯାତ୍ରା ମାଧ୍ୟମରେ କରିଛନ୍ତି ପ୍ରଚାର । ସେହିପରି କଂଗ୍ରେସ ପ୍ରାର୍ଥୀ ମାନସ ଜେନା ଏବଂ ବିଜେପି ପ୍ରାର୍ଥୀ ଅମିୟ ମଲ୍ଲିକ ଜନତାଙ୍କୁ ଭୋଟ ମାଗିଛନ୍ତି । ଆଳି ବିଧାନସଭାର ବିଜେଡି ପ୍ରାର୍ଥୀ ପ୍ରତାପ ଦେବ ରାଜକନିକାରେ ବିରାଟ ଶୋଭାଯାତ୍ରାରେ ମାଗିଛନ୍ତି ଭୋଟ । ଆଳି ବିଧାନସଭାର କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ଶର୍ମା ଏବଂ ବିଜେପି ପ୍ରାର୍ଥୀ ଦୋଳଗୋବିନ୍ଦ ନାୟକ ରାସ୍ତାରେ ଚାଲି ଚାଲି ଭୋଟ ଭିକ୍ଷା କରିଛନ୍ତି ।

ସେପଟେ ଜଗତସିଂହପୁରରେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲିଙ୍କ ପାଇଁ ପ୍ରଚାର କରିଛନ୍ତି ତାଙ୍କ ପତ୍ନୀ । ଘର ଘର ବୁଲି ସ୍ୱାମୀଙ୍କ ପାଇଁ ଭୋଟ ମାଗିଛନ୍ତି । ଏହି ଆସନରୁ କଂଗ୍ରେସର ଚିରଞ୍ଜୀବ ବିଶ୍ୱାଳ ଟକ୍କର ଦେଉଛନ୍ତି ପ୍ରଶାନ୍ତଙ୍କୁ । ଜଗତସିଂହପୁର ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ରମାକାନ୍ତ ଭୋଇ ମଧ୍ୟ ଲାଗିଛନ୍ତି ପ୍ରଚାରରେ । ନିଜ ସମର୍ଥକଙ୍କ ସହ ରୋଡ ସୋ କରିଛନ୍ତି ରମାକାନ୍ତ ।

ଚାନ୍ଦବାଲିରେ କଂଗ୍ରେସର ଜୋରଦାର ପ୍ରଚାର । ଭଦ୍ରକ ଲୋକସଭା ନିର୍ବାଚନ ପ୍ରାର୍ଥୀ ମଧୁମିତା ସେଠୀ ଓ ଚାନ୍ଦବାଲି ବିଧାନସଭା କଂଗ୍ରେସ ପ୍ରାର୍ଥୀ ଦିଗମ୍ବର ଦାସ ପ୍ରଚାରରେ ଦମ ଲଗାଇ ଦେଇଛନ୍ତି । ବାଲେଶ୍ୱରରେ ପ୍ରାର୍ଥୀମାନେ ଡୋର ଟୁ ଡୋର କ୍ୟାମ୍ପେନିଙ୍ଗ କରି ଭୋଟ ମାଗୁଛନ୍ତି । ବାଲେଶ୍ୱର ସଦର ବିଧାନସଭା କଂଗ୍ରେସ ପ୍ରାର୍ଥୀ ମାନସ ଦାସ ପଟ୍ଟନାୟକ ଘର ଘର ବୁଲି କରୁଛନ୍ତି ନିର୍ବାଚନୀ ପ୍ରଚାର ।