କନକ ବ୍ୟୁରୋ : କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡ ପଛରେ ମେମୋରି ଚିପ୍ ମୁଖ୍ୟ କାରଣ ବୋଲି କୁହାଯାଉଛି । ଶର୍ମିଷ୍ଠା ରାଉତ ଗିରଫ ହେବା ପରେ ମେମୋରି ଚିପ୍ ରହସ୍ୟ ଖୋଲି ପାରିବ ତ କ୍ରାଇମବ୍ରାଞ୍ଚ ? ଏହି ମେମୋରି ଚିପରେ ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ଓ କିଛି ପ୍ରଭାବଶାଳୀଙ୍କ ଭିଡ଼ିଓ ରହିଥିବା କୁହାଯାଉଛି । ଏପରିକି ପୁରୀ ସମୁଦ୍ର କୂଳ, ହୋଟେଲରେ ନିରଞ୍ଜନ ଓ ଯୁବତୀଙ୍କ ସହ ଅନ୍ତରଙ୍ଗ ଓ ଅଶ୍ଳୀଳ ମୂହୁର୍ତ୍ତର ଭିଡିଓ ରହିଥିଲା ।

Advertisment

ମାନସ ପାଖରେ ଏହି ଚିପ୍ ରହିଥିବା ବେଳେ ସେ ଜାନୁଆରୀ ୩୦ ତାରିଖରେ ଚାକିରି ଛାଡିଥିଲେ । ଚିପ୍ ଫେରାଇ ଦେବା ପାଇଁ ଶର୍ମିଷ୍ଠା ଓ ନିରଞ୍ଜନ ଚାପ ପକାଉଥିଲେ । ଦରମା ଦେଲେ ଚିପ୍ ଫେରାଇବେ ବୋଲି କହୁଥିଲେ ମାନସ । ଯେଉଁଥି ପାଇଁ ତାଙ୍କୁ ଅପହରଣ ପରେ ହତ୍ୟା କରାଗଲା । ଖାଲି ନିରଞ୍ଜନ ନୁହଁ, ପ୍ରଭାବଶାଳୀ ଓ ରାଜନେତାଙ୍କ ସଂପୃକ୍ତି ରହିଥିବା ମଧ୍ୟ ଅଭିଯୋଗ ହେଉଛି । ତେବେ ଏହି ରହସ୍ୟ ଉପରୁ କ୍ରାଇମବ୍ରାଞ୍ଚ ପରଦା ଉଠାଇ ପାରିବ ତ ?

ଚିପକୁ ଅଭିଯୁକ୍ତମାନେ ନଷ୍ଟ କରିଦେଇଛନ୍ତି ନା ମାନସ କେଉଁଠି ଲୁଚାଇ ରଖିଥିଲେ? ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଏବେ କେଉଁଠି ? ଶର୍ମିଷ୍ଠାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେବା ପାଇଁ ପୋଲିସ ଉପରେ କିଏ ଚାପ ପକାଉଥିଲା ? ଶର୍ମିଷ୍ଠା ଫେରାର ହେବା ପରେ କିଏ ତାଙ୍କୁ ଲୁଚାଇଥିଲା ? ଫେରାର କରାଇବା ପରେ କିଏ ସହଯୋଗ କରିଥିଲା ? ଏସବୁ ପ୍ରଶ୍ନର ଉତ୍ତର ଖୋଜିବ କ୍ରାଇମବ୍ରାଞ୍ଚ ।