କନକ ବ୍ୟୁରୋ : କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଖୋଜିପାଉନି କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠା, ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ନେଇ ଗୋଟିଏ ପରେ ଗୋଟିଏ ସ୍ଥାନ ବଦଳାଇ ଚାଲିଛନ୍ତି । ରାଜ୍ୟ ବାହାରେ ଓ ଭିତରେ ପ୍ରଥମେ ପୋଲିସ ତାଙ୍କୁ ଖୋଜିଥିଲା ଓ ଏବେ କ୍ରାଇମବ୍ରାଞ୍ଚ ବି ଖୋଜୁଛି କିନ୍ତୁ ତାଙ୍କର ପତା ମିଳୁନାହିଁ । ଏହାରି ଭିତରେ ଏକ ରୋଚକ କଥା ସାମ୍ନାକୁ ଆସିଛି, ଶର୍ମିଷ୍ଠା ପୋଲିସର ସନ୍ଦେହ ଘେରକୁ ଆସିଯାଇଥିବା ଜାଣିବା ପରେ ଭଗବାନଙ୍କ ଶରଣକୁ ଯାଇଥିଲେ ।

Advertisment

ଶର୍ମିଷ୍ଠା ରାଉତ୍ କେଉଁଠି ? ପତ୍ତା ପାଉନି କ୍ରାଇମବ୍ରାଞ୍ଚ ! ରାଜ୍ୟ ବାହାରେ, ରାଜ୍ୟ ଭିତରେ ପ୍ରଥମେ ଖୋଜିଲା ଭଦ୍ରକ ପୁଲିସ, ଏବେ କ୍ରାଇମବ୍ରାଞ୍ଚ । ହେଲେ ଶର୍ମିଷ୍ଠାଙ୍କ ବାବଦରେ କିଛି ବି ଖୋଜଖବର ମିଳୁନାହିଁ । ମାନସ ସ୍ୱାଇଁ ହତ୍ୟାକାଣ୍ଡରେ ସମ୍ପୃକ୍ତ ସହଯୋଗୀ ଝୁନା ଭୋଇଙ୍କୁ ଧରି ଗୋଟିଏ ପରେ ଗୋଟିଏ ସ୍ଥାନ ବୁଲୁଥିଲେ ମଧ୍ୟ ମୋବାଇଲ ଫୋନ୍ ବ୍ୟବହାର କରୁନଥିବାରୁ ତାଙ୍କ ପତା ମିଳିବା କଷ୍ଟକର ହୋଇପଡୁଛି । ଯେଉଁଠିକି ତଦନ୍ତକାରୀ ଅଧିକାରୀ ସନ୍ଦେହ କରି ଯାଉଛନ୍ତି, ସେଠାରୁ ଗାୟବ ହୋଇଯାଉଛନ୍ତି ଶର୍ମିଷ୍ଠା ।

ଚର୍ଚ୍ଚା ଅନୁସାରେ, କାଳିଆପାଣି ଏବଂ ଆଗରପଡାରେ ଶର୍ମିଷ୍ଠା ଭଗବାନଙ୍କ ଶରଣକୁ ଯାଇଥିଲେ । ହତ୍ୟାର ମାସେ ପରେ ପୁଲିସର ସନ୍ଦେହ ଘେରକୁ ଆସିବାରୁ ଚଣ୍ଡିପୁଜା ଏବଂ ଶନିମେଳା କରିଥିବା କୁହାଯାଉଛି । ବାସ୍, ଏହା ପରଠାରୁ ତାଙ୍କର ଆଉ କିଛି ଖୋଜଖବର ନାହିଁ ।

ଶର୍ମିଷ୍ଠାଙ୍କୁ ଠାବ କରିବାକୁ ଉଦ୍ୟମ ଭିତରେ ତାଙ୍କୁ ନେଇ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସୁଛି । ଆଶ୍ରମ ଭିତରୁ ଏକ ଡାଏରୀ ତଦନ୍ତକାରୀ ସଂସ୍ଥାକୁ ମିଳିଛି । ଏଥିରେ ଥିବା ବ୍ୟକ୍ତିଙ୍କ ବାବଦରେ ତଥ୍ୟକୁ ନେଇ ଅନୁସନ୍ଧାନ କରାଯିବ । ସେହିଭଳି ଆଶ୍ରମ ରେଜିଷ୍ଟ୍ରରରେ ଯେଉଁ ବ୍ୟକ୍ତି ମାନେ ଆସିଥିବା ନେଇ ତଥ୍ୟ ରହିଛି, ସେମାନଙ୍କୁ ମଧ୍ୟ ଶର୍ମିଷ୍ଠାଙ୍କ ସହ ସମ୍ପର୍କ ନେଇ ପଚରାଉଚୁରା କରିପାରେ ପୁଲିସ । କିଏ, କେଉଁ ଉପାୟରେ ଶର୍ମିଷ୍ଠାଙ୍କୁ ଅନୁକମ୍ପା ଦେଖାଇଥିଲେ, ତାଉପରେ ନଜର ରହିଛି ।

କ୍ରାଇମବ୍ରାଞ୍ଚ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦୁଇଟି ଟିମ୍ ଏହି କେସ୍ ପାଇଁ ଗଠନ କରାଯାଇଛି । ଗୋଟିଏ ଟିମ୍, ଅପରାଧୀକୁ ଧରିବାକୁ ଚେଷ୍ଟା କରିବାର ଦାୟିତ୍ୱରେ ଥିବା ବେଳେ ଆଉ ଏକ ଟିମ୍ ତଦନ୍ତ କରିବ । ତଥ୍ୟ ପ୍ରମାଣ ସଂଗ୍ରହ କରି କିଭଳି କେସକୁ ଶକ୍ତ କରାଯାଇପାରିବ, ସେନେଇ କାର୍ଯ୍ୟ କରିବ ।

ଜେଲ୍ ବୁଲି ସୁଧାରମୂଳକ କାର୍ଯ୍ୟ କରୁଥିଲେ, ଏବେ ଗିରଫଦାରୀ ଏଡାଇବାକୁ ଲୁଚୁଛନ୍ତି । ଶର୍ମିଷ୍ଠାଙ୍କ ପହଁଚ କିଛି ଏଭଳି ସ୍ତର ଯାଏଁ ଥିଲା ଯେ, ସେ ଜେଲରୁ ଜେଲ ବୁଲି କଏଦୀଙ୍କୁ ସୁଧାରମୂଳକ କାର୍ଯ୍ୟ ଶିଖାଉଥିଲେ । ଜେଲ ସ୍ତରରେ ଚାଲିଥିବା କିରଣ୍ କାର୍ଯ୍ୟରେ ଜଣେ ସ୍ୱେଚ୍ଛାସେବୀ ଏବଂ ପୁଲିସ ଅଧିକାରୀଙ୍କ ସହ ଶର୍ମିଷ୍ଠାଙ୍କ ଫଟୋ ଏବେ ଅନେକ ଚର୍ଚ୍ଚା ସୃଷ୍ଟି କରୁଛି ।