କରୋନା ଛଡାଇନେଲା ଘୋଡା, ଓଟଙ୍କ ଆହାର । ଦିନେ ବେଳାଭୂମିରେ ପିଠିରେ ବସାଇ ଲୋକଙ୍କୁ ବୁଲାଉଥିଲେ, ଆଜି କଟକଣା ପାଇଁ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି ।

129

କନକ ବ୍ୟୁରୋ: ଦିନେ ବେଳାଭୂମିରେ ମନୋରଞ୍ଜନ କରି ମାଲିକର ପକେଟକୁ ଦି ପଇସା ଦେଇଥିଲେ । କୁନି କୁନି ପିଲା ସହ ଲୋକଙ୍କୁ ନିଜ ପିଠିରେ ବସାଇ ବେଳାଭୂମିରେ ବୁଲାଉଥିଲେ ଓଟ ଏବଂ ଘୋଡା । ମାଲିକ ଯାହା ରୋଜଗାର କରୁଥିଲା ସେଥିରେ ପଶୁଙ୍କୁ ପେଟପୂରା ଖାଇବାକୁ ଦେଉଥିଲା । ହେଲେ ଏବେ କରୋନା କଟକଣା ପାଇଁ ବେଳାଭୂମି ମନା, ପର୍ଯ୍ୟଟକ ମନା । ଲୋକ ଆସିଲେ ତ ଘୋଡା ବୁଲିବ, ଓଟ ଚାଲିବ । ଆଉ ଟଙ୍କା ଆସିଲେ ମାଲିକ ସହ ପୋଷା ଜନ୍ତୁଙ୍କ ଜୀବନ ବଞ୍ଚିବ । କିନ୍ତୁ ଏବେ କଟକଣା ପାଇଁ କାନ୍ଦୁଛନ୍ତି ଉଭୟ ମାଲିକ ଆଉ ରାଜୁ, କାଳୁ…

ପୁରୀ ବେଳାଭୂମିରେ ଲୋକଙ୍କୁ ଖୁସି ଦେଉଥିବା ଘୋଡା, ଓଟଙ୍କ ଆଖିରେ ଏବେ ଲକଡାଉନ ଦେଇଛି ଲୁହ । ଭୂତାଣୁ ପାଇଁ ଭୋକର ଯନ୍ତ୍ରଣାରେ ଖାଲି ମଣିଷ ନୁହେଁ ବରଂ ପଶୁ ବି କଲବଲ ହେଉଛି । ଏଇ ଯେମିତି ଏ ପଶୁଙ୍କର ଖାଦ୍ୟ ଛଡାଇ ନେଇଛି କରୋନା । ଦିନକୁ ୩ ଥର ଖାଇବା ବଦଳରେ ବକତେ ଖାଇ ବଞ୍ଚୁଛନ୍ତି ଏ ପୋଷା ପଶୁ । ବେଳାଭୂମିରେ ଲୋକଙ୍କୁ ଖୁସି କରିବା ପରେ ଲୋକେ ଯାହା ମାଲିକକୁ ପାଉଣା ଦିଅନ୍ତି ସେଥିରେ ମାଲିକ ଖୁସ ହୁଏ ଆଉ ମାଲିକ ଖୁସ ହେଲେ ରାଜୁ ବି ଖୁସି ରହେ । କାରଣ ତାକୁ ଭଲରେ ଖାଦ୍ୟ ଗଣ୍ଡେ ମିଳିବ । ହେଲେ ଏବେ ବେପାର ବନ୍ଦ ଥିବାରୁ ଭୋକରେ ରହୁଛି ପେଟର ଭୋକ କହି ପାରୁନଥିବା ଘୋଡା ।
ଖାଲି ରାଜୁ କାହିଁକି ଓଟ କାଳୁର ବି ଅବସ୍ଥା ଠିକ ସେମିତି । ବେଳାଭୂମି ଖାଁ ଖାଁ ବୋଲି ଖାଦ୍ୟ ଏମାନଙ୍କ ପାଇଁ ସ୍ୱପ୍ନ ପାଲଟିଛି । ଖାଦ୍ୟ କିଣିବାକୁ ମାଲିକ ପାଖରେ ଟଙ୍କା ନଥିବାରୁ ଗଛର ଡାଳ ପତ୍ର ଦେଉଛନ୍ତି ମାଲିକ । ଆଉ ଜନ୍ତୁଙ୍କ ଏଭଳି ଅବସ୍ଥା ଦେଖି ଦୁଃଖ କରୁଛି ମାଲିକ । ଘୋଡା, ଓଟକୁ ଖାଇବାକୁ ଦେଇପାରୁନି ବୋଲି ମାଲିକ ପଶୁଙ୍କ ପାଖରେ କ୍ଷମା ମାଗୁଛି । ଆଉ ତାଙ୍କ ମୁଣ୍ଡ ଆଉଁଷି ନିଜର ଦୁଃଖ କହୁଛି ମାଲିକ ।

କାଳୁ, ରାଜୁଙ୍କ ପରି ଏବେ ଶହେରୁ ଅଧିକ ଘୋଡା, ଓଟଙ୍କୁ ଅବସ୍ଥା ଏମିତି । କରୋନାର ପ୍ରଥମ ଲହରରେ ଖାଦ୍ୟ ନପାଇ ଏମିତି ୩୦ରୁ ଅଧିକ ଓଟ, ଘୋଡାଙ୍କ ମୃତ୍ୟୁ ହୋଇଥିଲା । ଯେଉଁଥିପାଇଁ ବଡ କ୍ଷତି ସହିଥିଲେ ମାଲିକ । ହେଲେ ଏବେ ପୁଣି ୨ୟ ଲହର ଦୁଃଖ ଦେଇ ଚାଲିଛି । ଓଟ ଦିନକୁ ୨୦ କେଜି ଦାନା ଖାଉଥିବା ବେଳେ ଏବେ ୫ରୁ ୬ କେଜି ଦିଆଯାଉଛି । ସମୂଦ୍ର କୂଳରେ ଓଟ ଚାଲିଲେ ମାଲିକଙ୍କ ଘରେ ଚୁଲି ଜଳେ, ସଂସାର ଚାଲେ । ହେଲେ ଏବେ ନିଜେ ବଞ୍ଚିବା ତ ମୁସକିଲ ହୋଇପଡୁଛି ତେଣୁ ଉପାସରେ ରହୁଛନ୍ତି ପଶୁ । ଏଇ ଖାଦ୍ୟାଭାବରୁ ପ୍ରଥମ ଲହରରେ ଅନେକ ଓଟ, ଘୋଡାଙ୍କ ମୃତ୍ୟୁ ଏବେ ମାଲିକଙ୍କ ମନରେ ଛନକା ପଶାଇଥିବା ବେଳେ ତୃତୀୟ ଲହର ମନରେ ଆଶଙ୍କା ବଢାଇଛି ।