ବନ୍ଦ ହେବ କରୋନା କଲର ଟ୍ୟୁନ୍ ! ମୋବାଇଲ୍ ୟୁଜର୍ସଙ୍କ ପାଇଁ ଖୁସି ଖବର । ଜାଣନ୍ତୁ କେବେଠୁ…?

465

କନକ ବ୍ୟୁରୋ: ଏଣିକି ଆଉ କାହାକୁ ଫୋନ କଲେ ଶୁଭିବନି କରୋନା କଲର ଟ୍ୟୁନ୍ । ଫୋନ ରିସିଭ କରିବା ପୂର୍ବରୁ ଆଉ ବାଜିବନି କରୋନା ସତର୍କତାପୂର୍ଣ୍ଣ ବାର୍ତ୍ତା କି ଜରୁରୀକାଳୀନ ଫୋନ ଲାଗିବା ବି ବିଳମ୍ବ ହେବନି ।

ଫୋନ୍ କଲେ ଏବେ ଆଉ ଶୁଭିବନି କରୋନା କଲର ଟ୍ୟୁନ୍ । ଜରୁରୀ ଫୋନ୍ କଲ୍ ବେଳେ କୋଭିଡ୍ କଲର ଟ୍ୟୁନକୁ ନେଇ ଆଉ ବିରକ୍ତି ହେବେନି ବ୍ୟବହାରକାରୀ । କାରଣ ବନ୍ଦ ହେବାକୁ ଯାଉଛି କୋଭିଡ୍ ୧୯ କଲର ଟ୍ୟୁନ୍ । ଦୀର୍ଘ ୨ ବର୍ଷ ପରେ କରୋନା ସମ୍ପର୍କୀତ କଲର ଟ୍ୟୁନକୁ ବନ୍ଦ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଖୁବଶୀଘ୍ର ଏହା ଲାଗୁ ହେବା ନେଇ ଖବର ସରବରାହ ସଂସ୍ଥା ଏଏନଆଇ ସୂତ୍ରରୁ ପ୍ରକାଶ ପାଇଛି ।

ତେବେ କରୋନା କଲର ଟ୍ୟୁନ୍ ଶୁଣି ଲୋକେ ବିରକ୍ତି ହେଉଥିଲେ । ଯଦି କୌଣସି ଦରକାର ସମୟରେ ବା ଏମରଜେନ୍ସି କଲ କରିବାକୁ ଚାହୁଁଥିବ ତେବେ ଏହି ଟ୍ୟୁନ୍ ସେହି ଦରକାରୀ କଲକୁ ଅଯତାରେ ବିଳମ୍ବ କରେ । ଯାହାକୁ ନେଇ ସାଧାରଣ ଲୋକେ ବିରକ୍ତି ହେବା ସହ ମନରେ ଅସନ୍ତୋଷ ଭାବନା ଆସୁଥିଲା । ତେବେ ଏହି କଲର ଟ୍ୟୁନକୁ ନେଇ ଆପତ୍ତି ଅଭିଯୋଗ ପାଇବା ପରେ ଏହାକୁ ହଟାଇବା ଦିଗରେ ବିଚାର କରିବାକୁ ଟେଲିକମ୍ ମନ୍ତ୍ରାଳୟ ପକ୍ଷରୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ କୁହାଯାଇଛି । ଦେଶରେ କୋଭିଡ ସ୍ଥିତିରେ ଅନେକ ସୁଧାର ଆସିଥିବାରୁ କରୋନା କଲର ଟ୍ୟୁନ ପ୍ରତ୍ୟାହାର କରିବା ବିଷୟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗମ୍ଭୀରତାର ସହ ବିଚାର କରୁଛି ।

ସାରା ଦେଶ ଯେତେବେଳେ କରୋନା ମହାମାରୀର ସାମ୍ନା କରିଥିଲା । କରୋନା କବଳରେ କଲବଲ ହେଉଥିଲା ସେତେବେଳେ ସଂକ୍ରମଣର ମୁକାବିଲା ପାଇଁ ୨ ବର୍ଷ ତଳେ ଏହା ଆରମ୍ଭ ହୋଇଥିଲା । ଲୋକଙ୍କ ମଧ୍ୟରେ କରୋନା ସଚେତନତା ସୃଷ୍ଟି କରିବାକୁ କୋଭିଡ୍-୧୯ କଲର ଟ୍ୟୁନ୍ ବ୍ୟବସ୍ଥା କରାଯାଇଥିଲା । ମୋବାଇଲ୍ ଗ୍ରାହକମାନେ କଲ୍ ଲଗାଇବା ବେଳେ ପ୍ରଥମେ ସେହି କଲର ଟ୍ୟୁନ୍ ଶୁଣନ୍ତି । ସେହି ବାର୍ତ୍ତା ଶେଷ ହେବା ପରେ ହିଁ କଲ୍ ସମ୍ଭବ ହୁଏ । ପ୍ରାରମ୍ଭିକ ପର୍ଯ୍ୟାୟରେ ବିଗ୍ ବି ଅମିତାଭ ବଚ୍ଚନଙ୍କ ସ୍ୱରରେ ଏହା ଶୁଣିବାକୁ ମିଳୁଥିଲା । ଲୋକଙ୍କୁ କରୋନା ବାବଦରେ ସତର୍କ କରାଉଥିଲେ ବିଗ୍ ବି । ଏହାପରେ ଜସଲ୍ଲିନ୍ ଭଲ୍ଲା କଲର ଟ୍ୟୁନର ସ୍ୱର ଦେଇଛନ୍ତି । ତେବେ ଗତ ଦୁଇବର୍ଷ ଧରି ଏହି କରୋନା କଲର ଟ୍ୟୁନ୍ ଶୁଣିବାକୁ ମିଳୁଥିବା ବେଳେ ଆଗକୁ ଆଉ ଶୁଣିବାକୁ ମିଳିବନି । ଯାହା ଗ୍ରାହକଙ୍କ ପାଇଁ ଏକ ଆଶ୍ୱସ୍ତିର ଖବର ।