କରୋନାକୁ ଡାକିଲେ : କେହି ମାନିଲେନି, ହାତ ଟେକିଦେଲା ପୁଲିସ; ପୂଜା ବଜାରରେ ଅସମ୍ଭାଳ ଭିଡ଼, ନିୟମ ଉଲ୍ଲଙ୍ଘନ କରି ତଣ୍ଡ ଗଣିଲେ ୪୬୪

Advertisment
କରୋନାକୁ ଡାକିଲେ : କେହି ମାନିଲେନି, ହାତ ଟେକିଦେଲା ପୁଲିସ; ପୂଜା ବଜାରରେ ଅସମ୍ଭାଳ ଭିଡ଼, ନିୟମ ଉଲ୍ଲଙ୍ଘନ କରି ତଣ୍ଡ ଗଣିଲେ ୪୬୪

କନକ ବ୍ୟୁରୋ : ଆନୁଷ୍ଠାନିକ ତଥା ଆଡ଼ମ୍ବରପୂର୍ଣ୍ଣ ଗଣେଶ ପୂଜା ଉପରେ ପ୍ରଶାସନ ପକ୍ଷରୁ ରୋକ୍ ଲଗାଯାଇଛି। ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। କିନ୍ତୁ ଗଣେଶ ପୂଜା ଅବ୍ୟବହିତ ପୂର୍ବରୁ ଆଜି ରାଜଧାନୀ ପୂଜା ବଜାରରେ ଦେଖିବାକୁ ମିଳିଥିଲା ଅସମ୍ଭାଳ ଭିଡ଼। କରୋନାକୁ କାହାରି ଖାତିର୍‌ ନଥିଲା। ହାଟ ବଜାରଠାରୁ ଆରମ୍ଭ କରି ରାସ୍ତାଘାଟ ସବୁଠାରେ ଭିଡ଼। ଅଣାୟତ୍ତ ଭିଡ଼କୁ ନିୟନ୍ତ୍ରଣ କରି ନପାରି ଶେଷରେ ପୁଲିସ୍‌ ବି ହାତ ଟେକି ଦେଇଥିଲା।

ମୂର୍ତ୍ତି ଦୋକାନ ହେଉ କି ପୂଜା ସାମଗ୍ରୀ‌; ସବୁଠି ଗହଳି ଆଉ ଗହଳି। ପରିସ୍ଥିତି ଏପରି ହୋଇଥିଲା ଯେ ଲୋକ ଠେଲାପେଲା, ଦେହକୁ ଦେହ ଘଷି ହେଉଥିଲେ ମଧ୍ୟ ସେଥିପ୍ରତି କାହାର ନିଘା ନଥିଲା। ଆଜି ଏକ ନମ୍ବର ହାଟର ଚିତ୍ର ଥିଲା ଏମିତି ବିଚିତ୍ର। ରାଜମହଲ ଛକଠାରୁ ଆରମ୍ଭ କରି ମହିଳା ଥାନା ପର୍ଯ୍ୟନ୍ତ ରାସ୍ତାକଡ଼ ଦୋକାନମାନଙ୍କରେ ଲାଗିଥିଲା ଲୋକଙ୍କ ଗହଳି। ମୂର୍ତ୍ତି ଦୋକାନ, ପୂଜା ସାମଗ୍ରୀ, ଭୋଗ, ଫଳ ଦୋକାନ ସବୁଠି ଲୋକ ହାଉଯାଉ। କ୍ୟାପିଟାଲ ଥାନା କଡ଼ରେ ଶହ ଶହ ଲୋକ ମୂର୍ତ୍ତି, ପୂଜା ସାମଗ୍ରୀ ଓ ଭୋଗ କିଣୁଥିଲେ। ନା ଥିଲା ସାମାଜିକ ଦୂରତ୍ବ ନା ଥିଲା ସତର୍କତା। ଅଧିକାଂଶ ଲୋକ ଓ ଦୋକାନୀଙ୍କ ମୁହଁରେ ମାସ୍କ ମଧ୍ୟ ନ ଥିଲା। ଥାନା କଡ଼ରେ ପ୍ରବଳ ଭିଡ଼ ହୋଇଥିଲେ ମଧ୍ୟ ପୁଲିସ୍‌ କର୍ମଚାରୀଙ୍କୁ ଦେଖିବାକୁ ମିଳି ନ ଥିଲା। ସନ୍ଧ୍ୟାରେ ସ୍ଥିତି ଆହୁରି ସାଂଘାତିକ ହୋଇଯାଇଥିଲା।

ରାଜଧାନୀରେ ଏବେ କରୋନା ସଂକ୍ରମଣ ଶିଖର ଛୁଇଁଛି। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ତିନିଦିନ ହେଲା ଆକ୍ରାନ୍ତଙ୍କ ସଂଖ୍ୟା ୩ ଶହକୁ ଟପି ଯାଇଛି। ଆଗକୁ ସ୍ଥିତି ଆହୁରି ସାଂଘାତିକ ହେବ ବୋଲି ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। ତଥାପି ଆଜି କେହି କରୋନା କଟକଣାକୁ ମାନି ନଥିଲେ। ତେଣୁ ପୂଜା ବଜାରର ଭିଡ଼ କରୋନାକୁ ଆମନ୍ତ୍ରଣ କରିବା ସଦୃଶ ହୋଇଥିଲା। ଆଜିର ଏହି ଭିଡ଼ କରୋନା ସଂକ୍ରମଣକୁ ଆହୁରି ବଢ଼ାଇବ ବୋଲି ଆଲୋଚନା ହେଉଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଲିସ ଗଣେଶ ପୂଜା ଉପରେ କଟକଣା ଲଗାଇଥିବା ବେଳେ ପୂଜା ବଜାର ଭିଡ଼କୁ କାହିଁକି ନିୟନ୍ତ୍ରଣ କରିପାରିଲା ନାହିଁ? ଥାନାକଡ଼ରେ ପ୍ରବଳ ଭିଡ଼ ହୋଇଥିଲେ ମଧ୍ୟ କାହିଁକି ଭିଡ଼ ନିୟନ୍ତ୍ରଣ କରିବାକୁ ପଦକ୍ଷେପ ନେଲା ନାହିଁ ପୁଲିସ? ମାତ୍ର ୫୦ମିଟର ଦୂର ରାଜମହଲ ଛକରେ ପୁଳାପୁଳା ପୁଲିସ ଗାଡ଼ି ମଟର ଯାଞ୍ଚ କରୁଥିଲେ ବି ଏକ ନମ୍ବର ହାଟରେ କାହାରିକୁ ଦେଖିବାକୁ ମିଳି ନ ଥିଲା କାହିଁକି? ଏ ସବୁ ପ୍ରଶ୍ନ ଆଜି ବୁଦ୍ଧିଜୀବୀମହଲରେ ଚିନ୍ତାର କାରଣ ହୋଇଛି। କେବଳ ଏକ ନମ୍ବର ହାଟ ନୁହେଁ, ରାଜଧାନୀର ଆଜି ସବୁ ଛକ ଓ ବଜାରରେ ଭିଡ଼ ଲାଗିଥିଲା। ମାର୍କେଟ୍‌ ବିଲ୍ଡିଂରେ ମଧ୍ୟ ଲୋକଙ୍କ ଗହଳି ହୋଇଥିଲା।

ଅପରପକ୍ଷେ କମିସନରେଟ୍‌ ପୁଲିସ୍‌ ପକ୍ଷରୁ କୁହାଯାଇଛି ଯେ ସାମାଜିକ ଦୂରତା ଉଲ୍ଲଙ୍ଘନ ଅଭିଯୋଗରେ ଆଜି କମିସନରେଟ୍‌ ପୁଲିସ ୪୬୪ ଜଣଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ସେହିପରି ମାସ୍କ ପିନ୍ଧି ନଥିବା ଅଭିଯୋଗରେ ୧୪୭ଜଣଙ୍କଠାରୁ ଜରିମାନା ଆଦାୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe