କନକ ବ୍ୟୁରୋ : ଆନୁଷ୍ଠାନିକ ତଥା ଆଡ଼ମ୍ବରପୂର୍ଣ୍ଣ ଗଣେଶ ପୂଜା ଉପରେ ପ୍ରଶାସନ ପକ୍ଷରୁ ରୋକ୍ ଲଗାଯାଇଛି। ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। କିନ୍ତୁ ଗଣେଶ ପୂଜା ଅବ୍ୟବହିତ ପୂର୍ବରୁ ଆଜି ରାଜଧାନୀ ପୂଜା ବଜାରରେ ଦେଖିବାକୁ ମିଳିଥିଲା ଅସମ୍ଭାଳ ଭିଡ଼। କରୋନାକୁ କାହାରି ଖାତିର୍ ନଥିଲା। ହାଟ ବଜାରଠାରୁ ଆରମ୍ଭ କରି ରାସ୍ତାଘାଟ ସବୁଠାରେ ଭିଡ଼। ଅଣାୟତ୍ତ ଭିଡ଼କୁ ନିୟନ୍ତ୍ରଣ କରି ନପାରି ଶେଷରେ ପୁଲିସ୍ ବି ହାତ ଟେକି ଦେଇଥିଲା।
ମୂର୍ତ୍ତି ଦୋକାନ ହେଉ କି ପୂଜା ସାମଗ୍ରୀ; ସବୁଠି ଗହଳି ଆଉ ଗହଳି। ପରିସ୍ଥିତି ଏପରି ହୋଇଥିଲା ଯେ ଲୋକ ଠେଲାପେଲା, ଦେହକୁ ଦେହ ଘଷି ହେଉଥିଲେ ମଧ୍ୟ ସେଥିପ୍ରତି କାହାର ନିଘା ନଥିଲା। ଆଜି ଏକ ନମ୍ବର ହାଟର ଚିତ୍ର ଥିଲା ଏମିତି ବିଚିତ୍ର। ରାଜମହଲ ଛକଠାରୁ ଆରମ୍ଭ କରି ମହିଳା ଥାନା ପର୍ଯ୍ୟନ୍ତ ରାସ୍ତାକଡ଼ ଦୋକାନମାନଙ୍କରେ ଲାଗିଥିଲା ଲୋକଙ୍କ ଗହଳି। ମୂର୍ତ୍ତି ଦୋକାନ, ପୂଜା ସାମଗ୍ରୀ, ଭୋଗ, ଫଳ ଦୋକାନ ସବୁଠି ଲୋକ ହାଉଯାଉ। କ୍ୟାପିଟାଲ ଥାନା କଡ଼ରେ ଶହ ଶହ ଲୋକ ମୂର୍ତ୍ତି, ପୂଜା ସାମଗ୍ରୀ ଓ ଭୋଗ କିଣୁଥିଲେ। ନା ଥିଲା ସାମାଜିକ ଦୂରତ୍ବ ନା ଥିଲା ସତର୍କତା। ଅଧିକାଂଶ ଲୋକ ଓ ଦୋକାନୀଙ୍କ ମୁହଁରେ ମାସ୍କ ମଧ୍ୟ ନ ଥିଲା। ଥାନା କଡ଼ରେ ପ୍ରବଳ ଭିଡ଼ ହୋଇଥିଲେ ମଧ୍ୟ ପୁଲିସ୍ କର୍ମଚାରୀଙ୍କୁ ଦେଖିବାକୁ ମିଳି ନ ଥିଲା। ସନ୍ଧ୍ୟାରେ ସ୍ଥିତି ଆହୁରି ସାଂଘାତିକ ହୋଇଯାଇଥିଲା।