କୃଷକ ଆନ୍ଦୋଳନକୁ ପୁରିବାକୁ ଯାଉଛି ୬ ମାସ । ମେ ୨୬ ତାରିଖରେ ସାରା ଦେଶରେ କଳାଦିବସ ପାଳନ କରିବାକୁ କୃଷକ ନେତାଙ୍କ ଆହ୍ୱାନ

161

କୃଷି କାନୁନ ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା କୃଷକମାନେ ଏବେ ବି ପଛକୁ ହଟିବାକୁ ନାରାଜ । କରୋନା ମହାମାରୀ ସମୟରେ ବି ସେମାନେ ନିଜ ଜିଦରେ ଅଟଳ ରହିଛନ୍ତି । ଏହାରି ମଧ୍ୟରେ କୃଷକ ନେତା ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଅନେକ ଥର ଆଲୋଚନା ହୋଇଥିଲେ ବି କୌଣସି ନିଷ୍କର୍ସ ବାହାରିପାରି ନାହିଁ ।
କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଚଳାଇଥିବା ଦେଶର ୪୦ କୃଷକ ସଂଗଠନ ବା ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଶନିବାର ଦିନ କୁହାଯାଇଛି କି ଦିଲ୍ଲୀ ସୀମାରେ ଚାଲିଥିବା ଆନ୍ଦୋଳନକୁ ୬ ମାସ ପୁରିବାକୁ ଯାଉଛି । ଏନେଇ ମେ ୨୬ ତାରିଖ ଦିନ ସାରା ଦେଶରେ କୃଷକମାନେ କଳା ଦିବସ ପାଳନ କରିବେ ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମ୍ବାଦିକ ସମ୍ମିଳନୀ କରି କୃଷକ ନେତା ବଲବୀରସିଂ ରାଜେବାଲ ଦେଶର କୃଷକ ମାନଙ୍କୁ ଆହ୍ୱାନ ଦେଇଛନ୍ତି କି ମେ ୨୬ ତାରିଖରେ କୃଷକମାନେ ନିଜ ଘରେ, ଗାଡିରେ ଓ ଦୋକାନରେ କଳା ପତାକା ଲଗାଇ କୃଷି କାନୁନକୁ ବିରୋଧ କରାଯାଉ । ସେ ଆହୁରି କହିଛନ୍ତି କି ମେ ୨୬ ତାରିଖରେ କୃଷି ଆନ୍ଦୋଳନକୁ ୬ ମାସ ପୁରୁଥିବା ବେଳେ କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରକୁ ୭ ବର୍ଷ ପୁରୁଛି । ଏହି ଅବସରରେ କେନ୍ଦ୍ର ସରକାରଙ୍କ କୃଷିନୀତିକୁ ବିରୋଧ କରି ସାରା ଦେଶରେ କୃଷକମାନେ କଳା ଦିବସ ପାଳନ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।

କହିରଖୁ କି କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷି ଆଇନକୁ ବିରୋଧ କରି ଦୀର୍ଘଦିନ ହେବ ଆନ୍ଦୋଳନରେ ବସିଛନ୍ତି କୃଷକ । ଏନେଇ ନଭେମ୍ବର ୨୬ ତାରିଖ ଦିନ ଆନ୍ଦୋଳନରତ କୃଷକ ମାନେ ଦିଲ୍ଲୀ ସୀମାକୁ ପଶିଥିଲେ । ଏଥିରେ ପୋଲିସ ତରଫରୁ ବି ସେମାନଙ୍କ ଉପରେ ପାଣିମାଡ ସହ ଲାଠିଚାର୍ଜ କରାଯାଇଥିଲା । ପୋଲିସର ବର୍ବରତା , କରୋନାର କରାଳ ରୂପ ଓ ସରକାରଙ୍କ ଉଦାସୀନତା ପରେ ବି କୃଷକ ମାନେ ଧର୍ଯ୍ୟର ସହ ଆନ୍ଦୋଳନ ଜାରି ରଖିଛନ୍ତି ।