ବାତ୍ୟା ଓ ବର୍ଷା ଯୋଗୁଁ ବେହାଲ କାଲିଫର୍ଣ୍ଣିଆ । ଗଲାଣି ୧୯ଜଣଙ୍କ ଜୀବନ, ୨୪ହଜାର ଲୋକଙ୍କୁ ସ୍ଥାନାନ୍ତର

101

କନକ ବ୍ୟୁରୋ : ସବୁକିଛି ପାଣିରେ ବୁଡ଼ି ରହିଛି । ଘରବାଡ଼ି ଠାରୁ ଆରମ୍ଭ କରି ଗାଡ଼ିସବୁ ବୁଡ଼ି ରହିଛି ପାଣିରେ । ଯୁଆଡ଼େ ଚାହିଁବ ଖାଲି ପାଣି ଆଉ ପାଣି । ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଆମେରିକାର କାର୍ଲିଫର୍ଣ୍ଣିଆ ଠାରେ ପ୍ରକୃତିର ତାଣ୍ଡବ ରୂପ ଦେଖିବାକୁ ମିଳିଛି । ବନ୍ୟା, ତୁଷାରପାତ, ଭୂସ୍ଖଳନ ଆଦି ଦ୍ୱାରା ଏ ପର୍ଯ୍ୟନ୍ତ ୧୯ଜଣ ଲୋକଙ୍କ ଜୀବନ ଗଲାଣି । କାଲିଫର୍ଣ୍ଣିଆରେ ଗତ ଦୁଇ ସପ୍ତାହ ବା ୨୬ ଡିସେମ୍ବରରୁ ଏପର୍ଯ୍ୟନ୍ତ ୬ଟି ଭୟଙ୍କର ଝଡବାତ୍ୟା ହୋଇସାରିଲାଣି । ତେବେ ଏହି ବନ୍ୟାରେ ୯୦ ପ୍ରତିଶତ ଲୋକ ପ୍ରଭାବିତ ହେଲେଣି ।

ଝଡ଼ତୋଫାନ ଯୋଗୁଁ ଏବେ ମଧ୍ୟ ୨ ଲକ୍ଷରୁ ଅଧିକ ଲୋକଙ୍କ ଘରେ ବିଜୁଳି ସରବରାହ ବନ୍ଦ ରହିଛି । ଉତର କାଲିଫର୍ଣ୍ଣିଆରେ ବିଭିନ୍ନ ସ୍ଥାନରେ ପ୍ରବଳ ବନ୍ୟା ଯୋଗୁଁ ସ୍ଥାନୀୟ ସାଲିନାସ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି । ଜଳସ୍ତର ବଢିବା ଯୋଗୁଁ ନଦୀ ପାଖ ଅଂଚଳରୁ ପାଖାପାଖି ୨୪ ହଜାର ଲୋକଙ୍କୁ ନଦୀ କୂଳରୁ ସ୍ଥାନାନ୍ତର କରିଛନ୍ତି । ଆଗମାୀ ୧୦ ଦିନ ମଧ୍ୟରେ ଆହୁରି ୪ ଟି ଝଡ଼ତୋଫାନ ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡ଼େନ କାଲିଫର୍ଣ୍ଣ୍ରିଆର ସ୍ଥିତି ଦେଖି ରାଜ୍ୟରେ ଜରୁରୀକାଳୀନ ଘୋଷଣା କରିଛନ୍ତି । ଅନ୍ୟପଟେ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହେବାରୁ ଚିନ୍ତାରେ ଚାଷୀ ।