କୋଭାକ୍ସିନ ଟିକାକୁ ନେଇ ବିବାଦ : ଭାରତ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଦିଆଗଲା ସ୍ପଷ୍ଟିକରଣ

203

କନକ ବ୍ୟୁରୋ : କଂଗ୍ରେସର ଏକ ଟ୍ୱିଟ ଭାରତରେ ଟିକାକୁ ନେଇ ପ୍ରଶ୍ନ ଉଠାଇଛି, ଦ୍ୱନ୍ଦ୍ୱ ବି ବଢାଇଛି । ଗତକାଲି କଂଗ୍ରେସ ପକ୍ଷରୁ କୁହାଯାଇଛି, କୋଭାକ୍ସିନ୍ ଟିକା ବାଛୁରୀ ରକ୍ତରୁ ତିଆରି ହୋଇଛି । ଏହାକୁ ନେଇ ଭାରତ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରାଳୟ ଏବଂ ବିଜେପି ପକ୍ଷରୁ ସ୍ୱଷ୍ଟିକରଣ ରଖାଯାଇଛି । କୋଭାକ୍ସିନ୍ ଟିକା କିଭଳି ତିଆରି ହୁଏ ସେ ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ବାଛୁରୀ ରକ୍ତ ବା ସେରମ୍ କେବଳ ଭେରୋ-ସେଲ୍ ବୃଦ୍ଧି ବା ଭାଇରସ୍ କଲଚର୍ ପାଇଁ ବ୍ୟବହାର କରାଯାଏ ।

ପଶୁ ରକ୍ତ ବ୍ୟବହାର କରି ଭାଇରସ୍ କଲଚର୍ କରିବା ପ୍ରକ୍ରିୟା, ବର୍ଷ ବର୍ଷ ଧରି ଚାଲି ଆସିଛି । ଏହି ପଦ୍ଧତିରେ ପୋଲିଓ, ରାବିସ୍ ଓ ଇନଫ୍ଲୁଏଂଜା ଆଦି ଟିକା ପ୍ରସ୍ତୁତ କରାଯାଉଛି । ତେବେ ପଶୁ ରକ୍ତ ବା ନବଜାତ ବାଛୁରୀ ରକ୍ତ ସହ ଟିକାର ସିଧାସଳଖ ସଂପର୍କ ନାହିଁ । ଭେରୋ ସେଲ୍ ବୃଦ୍ଧି ହେବା ପରେ ତାକୁ ପାଣି ଓ ବିଭିନ୍ନ ରାସାୟନିକ ପଦାର୍ଥରେ ଅନେକ ଥର ଧୁଆଯାଇଥାଏ । ଏହି ସେଲ୍କୁ କରୋନା ଭୂତାଣୁରେ ସଂକ୍ରମିତ କରାଯାଇ ଭୂତାଣୁ ବୃଦ୍ଧି କରାଯାଏ । ଏହା ପରେ ବୃଦ୍ଧି ପାଇଥିବା ଭୂତାଣୁକୁ ନିଷ୍କ୍ରିୟ କରାଯାଏ ବା ମାରି ଦିଆଯାଏ । ଟିକା ପ୍ରସ୍ତୁତ ପାଇଁ ଏହି ମୃତ ଭୂତାଣୁ ବ୍ୟବହାର କରାଯାଏ । ତେଣୁ କୋଭାକ୍ସିନ୍ ଟିକାର ଉପାଦାନରେ ବାଛୁରୀ ରକ୍ତ ଆଦୌ ନାହିଁ ବୋଲି ସ୍ପଷ୍ଟ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।