ହୁ ହୁ ହୋଇ ଜଳିଗଲା ଯାତ୍ରୀବାହୀ ବସ୍ । କୋଲକାତାରୁ ପାରାଦୀପ ଆସୁଥିବା ବସରେ ଭୟାବହ ଅଗ୍ନିକାଣ୍ଡ, ଜଣଙ୍କର ମୃତ୍ୟୁ, ୩୦ ଯାତ୍ରୀ ଆହତ ସୂଚନା
କନକ ବ୍ୟୁରୋ : ଜାତୀୟ ରାଜପଥରେ ଜଳିଗଲା ଯାତ୍ରୀବାହୀ ବସ୍ । କୋଲକାତାରୁ ପାରାଦୀପ ଆସୁଥିବା ବସରେ ହୋଇଛି ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଶୁକ୍ରବାର ରାତି ପ୍ରାୟ ୯ଟା ବେଳେ କୋଲ୍କାତାଠାରୁ ୧୫୦ କିମି ଦୂର ଜାତୀୟ ରାଜପଥର ଖଡ଼ଗପୁର ଡେବ୍ରା ନିକଟରେ ଶିବମ୍ ଟ୍ରାଭେଲ୍ସର ‘ସଦାନନ୍ଦ’ ନାମକ ଏକ ଏସି ବସ୍ ଜଳିଯାଇଛି । ବସ୍ଟି ପଶ୍ଚିମବଙ୍ଗର କୋଲକାତା ବାବୁଘାଟରୁ ପାରାଦୀପ ଆସୁଥିବା ବେଳେ ଏହି ଅଘଟଣ ଘଟିଛି । ଅଗ୍ନିକାଣ୍ଡର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ି ନଥିଲେ ବି ବସ୍ରେ ବିସ୍ଫୋରକ ସାମଗ୍ରୀ ଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି । ବସ୍ରେ ନିଆଁ ଲାଗିବା ପରେ କିଛି ଯାତ୍ରୀ କାଚ ଭାଙ୍ଗି ବାହାରକୁ ଡେଇଁ ପଡ଼ିଥିଲେ । ୩୦ ଜଣରୁ ଅଧିକ ଯାତ୍ରୀ ବସ୍ ଭିତରୁ ବାହାରି ପାରି ନଥିବା ବେଳେ ସେମାନେ ଆହତ ହୋଇଥିଲେ । ସମସ୍ତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଦିନୀପୁର ମେଡିକାଲ୍ କଲେଜ ହସ୍ପିଟାଲ୍ ଏବଂ ସ୍ଥାନୀୟ ଗ୍ରାମୀଣ ଡାକ୍ତରଖାନାକୁ ନିଆଯାଇଛି । ତେବେ ବସ୍ର ଡ୍ରାଇଭର, ହେଲପର ଫେରାର ଥିବା ଜଣାପଡ଼ିଛି । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ତେବେ ଦୀପାବଳୀ ଥିବାରୁ ସେଥିରେ ବାରୁଦ ରହିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚିଥିଲା । ଏବଂ ପାଖାପାଖି ୨ ଘଂଟା ପରେ ନିଆଁକୁ ଆୟତ କରାଯାଇଥିଲା । ସେପଟେ ଘଟଣା ସଂମ୍ପର୍କରେ ଓଡିଶା ସରକାର ସହ ପଶ୍ଚିମବଂଗ ସରକାର ସହ ଯୋଗାଯୋଗରେ ଅଛନ୍ତି । ସେଠାକୁ ଏକ ଟିମ ଯାଇଥିବା ସୂଚନା ମିଳିଛି । ଆଉ ଯାତ୍ରୀମାନଙ୍କୁ ଆଣିବାକୁ ବ୍ୟବସ୍ଥା କରାଯାଉଥିବା ସୂଚନା ରହିଛି ।