କନକ ବ୍ୟୁରୋ: କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ତଦନ୍ତ କରିବ ସିବିଆଇ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି କୋଲକାତା ହାଇକୋର୍ଟ । ଏହି ମାମଲାରେ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ସିବିଆଇ ତଦନ୍ତ କରିବ । ତଦନ୍ତ କରି ୩ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ତୁରନ୍ତ ସମସ୍ତ ଡକ୍ୟୁମେଣ୍ଟ ସିବିଆଇକୁ ହସ୍ତାନ୍ତର ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ସୂଚନାଯୋଗ୍ୟ ଯେ, କୋଲକାତା ଆରଜି କର ମେଡିକାଲ କଲେଜରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ତେଜିବାରେ ଲାଗିଛି ପ୍ରତିବାଦ। ସାରା ଦେଶରେ ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି। ବିଭିନ୍ନ ସ୍ଥାନରୁ ଆସିବାରେ ଲାଗିଛି ଡାକ୍ତରଙ୍କ ବିକ୍ଷୋଭ ପ୍ରଦର୍ଶନର ଦୃଶ୍ୟ। ଦିଲ୍ଲୀ, ମୁମ୍ୱାଇ, ଲକ୍ଷ୍ନୌ ଏବଂ ଜୟପୁରରେ ପ୍ରତିବାଦକୁ ଓହ୍ଲାଇଛନ୍ତି ଜୁନିୟର ଡାକ୍ତର। ଲଗାତାର ଦ୍ୱିତୀୟ ଦିନ ପାଇଁ ସାରା ଦେଶରେ ଡାକ୍ତରମାନେ ଧର୍ମଘଟ କରୁଛନ୍ତି। ଆଜି ସମଗ୍ର ଦେଶରେ ଓପିଡି ବନ୍ଦ ରହିଥିବା ସୂଚନା ରହିଛି।

ସେପଟେ, କୋଲକାତାରେ ମହିଳା ଡାକ୍ତରଙ୍କ ସହ ହୋଇଥିବା ଅତ୍ୟାଚାର ବିରୋଧରେ ଫେଡେରେସନ ଅଫ୍ ଅଲ୍ ଇଣ୍ଡିଆ ମେଡିକାଲ ଆସୋସିଏସନ୍ (ଏଫଏଆଇଏମଏ) ମଧ୍ୟ ଆଜିଠାରୁ ଓପିଡି ସେବା ବନ୍ଦ କରିବାକୁ ଘୋଷଣା କରିଛି। ମୁମ୍ବାଇରୁ ଆଲିଗଡ଼ ଓ ଜୟପୁର ପର୍ଯ୍ୟନ୍ତ ଡାକ୍ତରମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ସମୟ ମାଗିଛି। ଦିଲ୍ଲୀରେ ଡାକ୍ତରମାନେ ଗତକାଲିଠାରୁ କାର୍ଯ୍ୟ ବର୍ଜନ କରିଛନ୍ତି, ଯେଉଁ କାରଣରୁ ଏମ୍ସରେ ୮୦ ପ୍ରତିଶତ ଅସ୍ତ୍ରୋପଚାର କରାଯାଇନାହିଁ। ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ରେସିଡେଣ୍ଟ ଡାକ୍ତରମାନେ ଦାବି କରିଛନ୍ତି।