କନକ ବ୍ୟୁରୋ: ରାସ୍ତାକଡ଼ରେ ଶୋଭାପାଉଛି ବିଭିନ୍ନ ପ୍ରକାରର ଦେଶୀ ଓ ବିଦେଶୀ ରଙ୍ଗୀନ ଫୁଲଗଛ । କଟକର ବାରବାଟୀ ଷ୍ଟାଡ଼ିୟମ ନିକଟ ରାସ୍ତାକଡ଼ରେ ମନମୋହୁଛି କଲିକତା ଫୁଲର ସମ୍ଭାର । ଆଉ ରାସ୍ତାରେ ଯାଉଥିବା ଲୋକଙ୍କୁ ଏହି ଫୁଲ ଗଛ ଅଟକି ଯିବାକୁ ବାଧ୍ୟ କରୁଛି । କଲିକତା, ପୁନେ ଓ ବାଙ୍ଗାଲୋରରୁ ଆସୁଥିବା ଏହି ଫୁଲଗଛ ଗୁଡ଼ିକ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । କେବଳ ଫୁଲଗଛ ନୁହେଁ ଭଳିକି ଭଳି ରଙ୍ଗୀନ ଫୁଲ କୁଣ୍ଡ ମଧ୍ୟ ବିକ୍ରି ହେଉଛି । କଟକ ସହର ସମେତ ବାହାରୁ ଆସୁଥିବା ଗ୍ରାହକ ମାନେ ମନପସନ୍ଦର ଫୁଲଗଛ କିଣିନେଉଛନ୍ତି ।

Advertisment

ଦାର୍ଜିଲିଂ ଏବଂ ଗ୍ୟାଙ୍ଗଟକରେ ଦେଖିବାକୁ ମିଳୁଥିବା ଆଜେଲିଆ, କାମେଲିଆ ଏବଂ ଆର୍ଚିଟ ଫୁଲଗଛର ସ୍ୱତନ୍ତ୍ର ଚାହିଦା ରହିଛି । ଏହାର ଦାମ୍ ୧୫୦ ଟଙ୍କାରୁ ୮୫୦ ଟଙ୍କା ପର୍ଯ୍ୟନ୍ତ ରହିଛି । ସେହିପରି ପୁନେରୁ ଆସୁଥିବା ଆନ୍ଥୋରିଅମ୍ ଏବଂ ଆଡିନିୟମ୍ ଫୁଲଗଛ ଚାରାର ଦାମ୍ ୨୫୦ ଟଙ୍କାରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଆରେଲିଆ, ଜିନିଆ, ଡାଲିଆ ଏବଂ ପିଟୁନିଆ ଫୁଲଗଛର ଦାମ୍ ୬୦ ଟଙ୍କାରୁ ଆରମ୍ଭ ହୋଇ ୪୫୦ ଟଙ୍କା ପର୍ଯ୍ୟନ୍ତ ରହିଛି । ସେହିପରି ଗେଣ୍ଡୁ, ଗୋଲାପ, ମନ୍ଦାର, ଟଗର, ସ୍ଥଳପଦ୍ମ, ସଗନ୍ଧରାଜ, ବ୍ରହ୍ମକମଳ, ଗଙ୍ଗଶିଉଳି, ମଲ୍ଲି ଓ ଅପରାଜିତାର ଦାମ ୬୦ ଟଙ୍କାରୁ ଆରମ୍ଭ ହୋଇ ୭୫୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଦୀର୍ଘ ବର୍ଷ ଧରି କଲିକତାର ବ୍ୟବସାୟୀ ମାନେ ଏହି ଫୁଲ ଗଛ ବିକ୍ରି କରୁଥିବା ବେଳେ ଗ୍ରାହକ ମାନେ ଆଗ୍ରହର ସହ କିଣି ନେଉଛନ୍ତି ।