କନକ ବ୍ୟୁରୋ : ଇଂଲଣ୍ଡକୁ ୫ ୱିକେଟ୍‌ରେ ପରାସ୍ତ କରି ନ୍ୟୁଜିଲାଣ୍ଡ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଫାଇନାଲ୍‌ରେ ପ୍ରବେଶ କରିଛି । ଅତୁଳନୀୟ ପଶ୍ଚାତଧାବନର ଅପୂର୍ବ ପରାକାଷ୍ଠା ଦେଖାଇ ନ୍ୟୁଜିଲାଣ୍ଡ ମାତ୍ର ୫ ୱିକେଟ୍ ହରାଇ ଇଂଲଣ୍ଡ ଧାର୍ଯ୍ୟ କରିଥିବା ୧୬୭ ରନ୍‌ର ବିଜୟ ଲକ୍ଷ୍ୟକୁ ୬ ବଲ୍ ପୂର୍ବରୁ ହାସଲ କରିନେଇଥିଲା । ୩ ଓଭରରେ ୨ ୱିକେଟ୍ ହରାଇ ସଙ୍କଟରେ ପଡ଼ିବା ସତ୍ତ୍ବେ ଧମାକାଦାର ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଏକପ୍ରକାର ଶକ୍ତିଶାଳୀ ଇଂଲଣ୍ଡ ପଞ୍ଝାରୁ ଫାଇନାଲ୍ ଟିକେଟ ଛଡ଼ାଇ ଆଣିଥିଲା । ତା ସହ ୨୦୧୯ ଏକଦିବସୀୟ ବିଶ୍ବକପ୍ ଫାଇନାଲ୍‌ ପରାଜୟର ମଧୁର ପ୍ରତିଶୋଧ ନେଇଥିଲା । ଯୁବ ତାରକା ଡାରେଲ ମିଚେଲ ୭୨* ରନ୍‌ର ଅସାଧାରଣ ପାଳି ଖେଳି ନ୍ୟୁଜିଲାଣ୍ଡକୁ ସ୍ମରଣୀୟ ସେମିଫାଇନାଲ୍ ବିଜୟ ସହ ଫାଇନାଲ୍ ଟିକେଟ ଉପହାର ଦେଇଥିଲେ। ମିଚେଲଙ୍କୁ ଆଶାଜନକ ଭାବେ ମ୍ୟାଚ୍‌ର ‌ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା ।

Advertisment

ବୁଧବାର ନ୍ୟୁଜିଲାଣ୍ଡକୁ ପ୍ରଥମ ଓଭରରେ ମସ୍ତବଡ଼ ଧକ୍କା ଲାଗିଥିଲା। ଫର୍ମରେ ଥିବା ଓପନର ମାର୍ଟିନ ଗପ୍ଟିଲ (୪)ଙ୍କୁ ତୃତୀୟ ବଲ୍‌ରେ କ୍ରିସ୍ ଓକ୍ସ ପ୍ୟାଭିଲିୟନ ଫେରାଇ ଦେଇଥିଲେ । ଚୌକାରୁ ପାଳି ଆରମ୍ଭ କରିଥିବା ଗପ୍ଟିଲଙ୍କୁ ମୋଇନ ଅଲ୍ଲୀଙ୍କ ହାତରେ କ୍ୟାଚ୍ କରାଇ ଇଂଲଣ୍ଡ ଶିବିରରେ ଓକ୍ସ ଖୁସିର ଲହରି ଖେଳାଇ ଦେଇଥିଲେ । ୧୩ ରନ୍‌ରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ୍ (୫)ଙ୍କୁ ଓକ୍ସ ନିଜ ଦ୍ବିତୀୟ ଶିକାର କରିବା ପରେ ପାୱାର ପ୍ଲେ ଭିତରେ ହିଁ ନ୍ୟୁଜିଲାଣ୍ଡର ଅଣ୍ଟା ଭାଙ୍ଗି ଯାଇଥିଲା । ୧୩ ରନ୍‌ରେ ୨ ୱିକେଟ୍ ହରାଇବା ସତ୍ତ୍ବେ ଡାରେଲ ମିଚେଲଙ୍କ ଅନନ୍ୟ ଅର୍ଦ୍ଧଶତକ ସହ ଡେଭନ କନୱେଙ୍କ ୪୬ ତଥା ଜିମ୍ମୀ ନୀସାମଙ୍କ ବିସ୍ଫୋରକ ୨୬ ରନ୍ ବଳରେ ନ୍ୟୁଜିଲାଣ୍ଡ ଅବିଶ୍ବସନୀୟ ବିଜୟ ହାସଲ କରିଥିଲା । ଊନବିଂଶ ଓଭରର ଶେଷ ବଲ୍‌ରେ କ୍ରିସ୍ ଓକ୍ସଙ୍କୁ ଚୌକା ମାରି ମିଚେଲ ବିଜୟ ସୂଚକ ରନ୍ ସଂଗ୍ରହ କରିବା ସହ ନ୍ୟୁଜିଲାଣ୍ଡକୁ ଗୋଟିଏ ଓଭର ପୂର୍ବରୁ ଫାଇନାଲ୍‌ରେ ପହଞ୍ଚାଇ ଦେଇଥିଲେ ।

ନ୍ୟୁଜିଲାଣ୍ଡ ଟସ୍ ଜିତି ଇଂଲଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଜାସନ ରୟ ଆହତ ହୋଇ ବାଦ ପଡ଼ିଥିବାରୁ ଜୋସ୍ ବଟଲର (୨୯) ଏବଂ ଜନି ବେୟାରଷ୍ଟୋ (୧୩) ପାଳି ଆରମ୍ଭ କରିଥିଲେ । ଉଭୟ ପ୍ରଥମ ୱିକେଟ୍‌ରେ ମାତ୍ର ୩୭ ରନ୍ ଯୋଡ଼ିଥିଲେ । ବେୟାରଷ୍ଟୋଙ୍କୁ କେନ୍ ୱିଲିୟମସନ୍‌ଙ୍କ ହାତରେ କ୍ୟାଚ୍ କରାଇ ଆଦାମ ମିଲନେ ଉତ୍ସାହୀ ଇଂଲଣ୍ଡକୁ ପ୍ରଥମ ଝଟ୍‌କା ଦେଇଥିଲେ । ନୂଆ ଓପନିଂ ଯୋଡ଼ି ପାଇଁ ଇଂଲଣ୍ଡ ପାୱାର ପ୍ଲେ’ର ୬ ଓଭରରେ ଗୋଟିଏ ୱିକେଟ୍ ହରାଇ ୪୦ ରନ୍ କରିଥିଲା । ବଟଲରଙ୍କ ରୂପରେ ଦ୍ବିତୀୟ ଝଟ୍‌କା ଲାଗିଲା ବେଳକୁ ଇଂଲଣ୍ଡ ସ୍କୋର କାର୍ଡରେ ଥିଲା ୫୩ ରନ୍ । ଦାୱିଦ ମଲାନ (୪୧) ଓ ମୋଇନ ଅଲ୍ଲୀ ତୃତୀୟ ୱିକେଟ୍‌ରେ ଯୋଡ଼ିଥିବା ୬୩ ରନ୍ ହିଁ ଥିଲା ଇଂଲଣ୍ଡର ସବୁଠାରୁ ବଡ଼ ଭାଗୀଦାରି ଥିଲା । ମଲାନ, ମୋଇନ ଓ ଲିୟମ ଲିଭିଂଷ୍ଟୋନ୍ (୧୭) ଦ୍ରୁତ ବ୍ୟାଟିଂ କରିଥିଲେ। ସେଥିପାଇଁ ହିଁ ୧୪ ଓଭରରେ ୧୦୦ ରନ୍ ପୂରଣ କରିଥିବା ଇଂଲଣ୍ଡ ଶେଷରେ ୧୬୬/୪ର ସମ୍ମାନଜନକ ସ୍କୋର କରିନେଇଥିଲା। ମୋଇନଙ୍କ ୫୧* ରନ୍ ଥିଲା ଇଂଲଣ୍ଡ ପାଳିର ଏକମାତ୍ର ଅର୍ଦ୍ଧଶତକ ।