ରାଜଧାନୀରେ ଖୋଲିଲା ପିଠା ଓ ମିଠା ଷ୍ଟୋର । ଷ୍ଟୋରରେ ମିଳୁଛି ଭଳି କି ଭଳି ପିଠା ସାଙ୍ଗକୁ ଦେଶୀ ମିଠା । ଜାଣନ୍ତୁ କେଉଁ ସ୍ଥାନରେ ଖୋଲିଛି ଏହି ଷ୍ଟଲ

747

କନକ ବ୍ୟୁରୋ : ପିଠା ଆଉ ମିଠା । ପ୍ରତ୍ୟେକ ଓଡିଆଙ୍କର ଏହି ଦୁଇଟି ଶବ୍ଦ ସହ ସମ୍ପର୍କ ବହୁତ ଘନିଷ୍ଠ । ପୂଜାପର୍ବ ହେଉ ଅବା ସାଧାରଣ ଦିନ । ପିଠା କିମ୍ବା ମିଠା ଖାଇବାକୁ କୌଣସି ବାହାନାର ଆବଶ୍ୟକତା ହିଁ ନାହିଁ ଓଡିଆ ଘରେ । ଆଉ ତାକୁ ହିଁ ନଜରରେ ରଖି ରାଜଧାନୀ ଭୁବନେଶ୍ୱରରେ ଖୋଲିଛି ମିଠା ଆଣ୍ଡ ପିଠା ଷ୍ଟୋର । ଏଣ୍ଡୁରୀ, ଆରିସା, ମଣ୍ଡାଠୁ ଆରମ୍ଭ କରି ଖାସ୍ତା ଗଜା, କରଞ୍ଜି, ଫେଣି ସବୁ ମିଳୁଛି ଏହି ମିଠା ଆଣ୍ଡ ପିଠା ଷ୍ଟୋରରେ ।

ରାଜଧାନୀରେ ମିଠା ଆଣ୍ଡ ପିଠା ଷ୍ଟୋର । ଯିଏ ଏହି ଷ୍ଟୋରକୁ ଆସିବ ଓଡ଼ିଶାର ପିଠାପଣାର ମହକ ଅନୁଭବ କରିବ । ଚନ୍ଦ୍ରଶେଖରପୁରରେ ଗଢ଼ି ଉଠିଥିବା ଏହି ଅନୁଷ୍ଠାନରେ ଭରି ରହିଛି ଭଳି କି ଭଳି ପିଠା ସାଙ୍ଗକୁ ଦେଶୀ ମିଠାର ସମ୍ଭାର । ପୋଡ଼ ପିଠା, ମୁଆଁ ପିଠା, ଏଣ୍ଡୁରି ପିଠା, ମଣ୍ଡା, ଆରିସା, କାକରା ଭଳି ଖାଂଟି ଓଡ଼ିଆ ଘରର ପିଠାପଣା ଏଠାରେ ମିଳୁଛି । ଦେଶୀ ମିଠା ଭାବେ ମିଳୁଛି – ଲବଙ୍ଗ ଲତା, ଖାସ୍ତା ଗଜା, ଫେଣି, କରଂଜି ଭଳି ପାରମ୍ପରିକ ମିଠା । ଲକ୍ଷ୍ୟ ରହିଛି, ସବୁ ସମୟରେ ଏହି ପିଠାପଣାକୁ ଉପଲବ୍ଧ କରାଇବା ଏବଂ ରାଜ୍ୟ ସବୁ ଜିଲ୍ଲାରେ ଏହାକୁ ଏକ ବ୍ରାଣ୍ଡ ଭାବେ ପ୍ରତିଷ୍ଠିତ କରିବା ।

ଚାର୍ଟାର୍ଡ ଆକାଉଂଟାଂଟ ବ୍ୟାକଗ୍ରାଉଣ୍ଡରୁ ତିନି ଜଣ ବନ୍ଧୁ ମୁସ୍ତାକ ବେଗ୍ , ଉଦୟ ନନ୍ଦ ଓ ରଣଜିତ୍ ମହାନ୍ତି ମିଠା ଆଣ୍ଡ ପିଠା ବ୍ରାଣ୍ଡରେ ଉଦ୍ୟୋଗ ସ୍ଥାପନ ପାଇଁ ଆଗେଇ ଆସିଥିଲେ । ଗତବର୍ଷର ଫନି ଏବଂ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ କିଛି ପ୍ରତିବନ୍ଧକର ସାମନା କରିବାକୁ ପଡିଥିଲେ ବି ଦୃଢ଼ ଉଚ୍ଚାଶକ୍ତି ଯୋଗୁଁ ଏହି ଅଭିନବ ବ୍ୟବସାୟରେ ସଫଳତା ମିଳିଥିବା କହିଛନ୍ତି ଏହି ଯୁବ ଉଦ୍ୟୋଗୀ । କରୋନା ସମୟରେ ଲୋକ କାମ ହରାଉଥିବା ବେଳେ ନୂଆ କର୍ମନିଯୁକ୍ତି ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ଏମାନେ । ଏପଟେ କରୋନା ଗାଇଡଲାଇନକୁ ମାନି ସାମଜିକ ଦୂରତା ବଜାୟ ରଖି ଗ୍ରାହକମାନଙ୍କୁ ସେବା ଯୋଗାଇ ଦେଉଛନ୍ତି ।

ବିଶେଷ କରି ମହିଳା ଓ ଗୃହିଣୀମାନେ ସେମାନଙ୍କ ବଳକା ସମୟରେ ଏଠାରେ କାମ କରି ଦୁଇପଇସା ରୋଜଗାର କରିପାରୁଛନ୍ତି । ଆଉ ଏହାକୁ ବ୍ୟାପକ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏବେ ଦିନକୁ ଦିନ ଏଠାରେ ନିର୍ମିତ ମିଠା ଆଉ ପିଠାର ଚାହିଦା ବଢ଼ିବାରେ ଲାଗିଛି । ବାହାଘର ଭାର ଓ ଅନ୍ୟାନ୍ୟ ପର୍ବପର୍ବାଣୀ ପ୍ରସ୍ତୁତ ହେଉଥିବା ପିଠା-ମିଠା ମଧ୍ୟ ଏହି ଷ୍ଟୋରରେ ଉପଲବ୍ଧ ହେଉଛି । କରୋନା ବେଳେ ଅନ୍ଲାଇନ୍ କାରବାର ମଧ୍ୟ ଆଖିଦୃଶିଆ ଭାବେ ବୃଦ୍ଧି ପାଇଛି ।  ଓଡ଼ିଶାର ପାରମ୍ପରିକ ପିଠା ଓ ମିଠାକୁ ଲୋକପ୍ରିୟ କରିବାକୁ ଯୁବ ଉଦ୍ୟୋଗୀଙ୍କ ଏପରି ଅଭିନବ ପ୍ରୟାସ ବେଶ ପ୍ରଶଂସିତ ହୋଇଛି ।