ମୋଦିଙ୍କ କଡା ଚେତାବନୀ, ୧୩୦ କୋଟି ଭାରତୀୟଙ୍କ ପଣ, ବ୍ୟବସାୟୀଙ୍କ ବ୍ଲୁ-ପ୍ରିଣ୍ଟ ।  ଚୀନକୁ ଆଉ ତ୍ରାହି ନାହିଁ, ସୀମାରେ ସଂଘର୍ଷ କରିବାର ପରିଣାମ ଭୋଗିବ ବେଜିଂ । 

1,109

କନକ ବ୍ୟୁରୋ : ସୋମବାର ଗଲୱାନ ଘାଟିରେ ଭାରତୀୟ ସେନା ଉପରେ ଡ୍ରାଗନବାହିନୀର ଆକ୍ରମଣ ଓ ଏଥିରେ ୨୦ ଯବାନ ସହିଦ ହେବା ପରେ ପୂରା ଦେଶ ତାତି ଉଠିଛି । ଚୀନକୁ ଏବେ ତାହାରି ଭାଷାରେ ବୁଝାଇବାକୁ ଦେଶର କୋଣଅନୁକୋଣରୁ ଦାବି ଉଠିଛି । ଏପରିକି ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି ପ୍ରଧାନମନ୍ତ୍ରୀ ରୋକଠୋକ ଶୁଣାଇଛନ୍ତି । ଭାରତ ସବୁବେଳେ ଶାନ୍ତି ଚାହେଁ, କିନ୍ତୁ କେହି ଉସୁକାଇଲେ ଜବାବ ଦେବାକୁ ଭୁଲିବ ନାହିଁ ମୋଦି କହିବା ସହ ଚୀନକୁ କଡା ଚେତାବନୀ ଦେଇଛନ୍ତି । ଆଉ ଏଭଳି ସ୍ଥିତିରେ ଚୀନକୁ ଚିତ୍ କରିବାକୁ ସର୍ବଭାରତୀୟ ବାଣିଜ୍ୟ ମହାସଂଘ (କେଟ) ଅଣ୍ଟା ଭିଡିଛି ।  ଇଣ୍ଡିଆନ ଗୁଡସ, ଆୱାର ପ୍ରାଇଡ ଅଭିଯାନ ଆରମ୍ଭ କରି ଚୀନ୍ ସାମଗ୍ରୀ ବୟକଟ କରିବାକୁ ଆହ୍ୱାନ ଦେଇଛି କେଟ ।

ଚୀନକୁ ବଡ ଝଟକା ଦେବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ଭାରତୀୟ ବ୍ୟବସାୟୀ । ବେଜିଂକୁ ଅର୍ଥନୈତିକ ଝଟକା ଦେଇ ବିପର୍ଯ୍ୟୟ ମୁହଁକୁ ଠେଲି ଦେବାକୁ ଏକାଠି ହୋଇଛନ୍ତି ୭ କୋଟି ଭାରତୀୟ ବ୍ୟବସାୟୀ । ଆଉ ଏଥିପାଇଁ ୨୦୨୧ ସୁଦ୍ଧା ଚୀନ ଠାରୁ ୧ ଲକ୍ଷ କୋଟି ଟଙ୍କାର ଆମଦାନୀ ହ୍ରାସ କରିବାକୁ ଯୋଜନା ପ୍ରସ୍ତୁତ କରିଛି କେଟ୍ । ଆଉ ଏଥିପାଇଁ ଚୀନରୁ ଆସୁଥିବା ୫୦୦ରୁ ଅଧିକ ସାମଗ୍ରୀର ତାଲିକା ପ୍ରସ୍ତୁତ କରିବା ସହ ଏଥିରୁ ନିର୍ମିତ ହେଉଥିବା ୩୦୦୦ରୁ ଅଧିକ ଦ୍ରବ୍ୟକୁ ବୟକଟ କରିବାକୁ ପ୍ରାଥିମକ ପର୍ଯ୍ୟାୟରେ ପ୍ରସ୍ତୁତି ଆରମ୍ଭ କରିଛି । ଯେଉଁଥିରେ କିଛି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହ, ଖେଳନା, ଇଲୋକଟ୍ରୋନିକ୍ସ ସାମଗ୍ରୀ, ପ୍ରସାଧନ ସାମଗ୍ରୀ, ଲାଇଟ, ଅଟୋ ପାର୍ଟସ, ଦୀପାବଳି ଓ ହୋଲିର ସାମଗ୍ରୀ, ଗିଫ୍ଟ ଆଇଟମ ରହିଛି । ଏହି ସାମଗ୍ରୀ ଗୁଡିକ ଭାରତରେ ନିର୍ମିତ ହେଉଥିଲେ ମଧ୍ୟ ଶସ୍ତା ଦରରେ ମିଳୁଥିବା କାରଣରୁ ଚୀନରୁ ଏହି ସାମଗ୍ରୀ ଆମଦାନୀ କରିଥାନ୍ତି ବ୍ୟବସାୟୀ ।

ଚୀନ ସାମଗ୍ରୀକୁ ବୟକଟ କରିବା ଦ୍ୱାରା ବେଜିଂକୁ ବଡ ଝଟକା ଲାଗିବ । କାରଣ ଚୀନ ଅର୍ଥନୀତିର ମେରୁଦଣ୍ଡ ହେଉଛି ଭାରତୀୟ ବଜାର । ୨୦୦୧ରେ ଭାରତ ମାତ୍ର ୨ ବିଲିୟନ ଡଲାରର ସାମଗ୍ରୀ ଚୀନରୁ ଆମଦାନୀ କରୁଥିବା ବେଳେ ଏବେ ପ୍ରାୟ ୭୦ ବିଲିୟନରେ ପହଞ୍ଚିଛି । ତେଣୁ ଆମଦାନୀ ହ୍ରାସ କରି ବିଶ୍ୱକୁ ନାଲିଆଖି ଦେଖାଉଥିବା ବେଜିଂର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେବାକୁ ଭାରତର ୭ କୋଟି ବ୍ୟବସାୟୀ ପଣ କରିଛନ୍ତି ।

ଚାଇନା ସାମଗ୍ରୀକୁ ବୟକଟ କରିବାକୁ କେଟ ଦେଇଥିବା ଆହ୍ୱାନ ଏବେ ଦିଲ୍ଲୀରୁ ପଲ୍ଲୀକୁ ବ୍ୟାପିଛି । କେବଳ ଯେ କେଟ୍ ଚାଇନା ସାମଗ୍ରୀକୁ ବୟକଟ କରିବାକୁ ନିଷ୍ପତ୍ତି ନେଇଛି ତାହା ନୁହେଁ ବରଂ ଦେଶରେ ଅଧିକାଂଶ ସ୍ଥାନରେ ଲୋକମାନେ ଚାଇନା ସାମଗ୍ରୀ ଜାଳୁଥିବାର ଦେଖିବାକୁ ମିଳିଛି । ଏପରିକି ଭବିଷତ୍ୟରେ ଆଉ କେବେ ଚୀନ୍ ସାମଗ୍ରୀ ବ୍ୟବହାର ନକରିବାକୁ ମଧ୍ୟ ପଣ କରୁଛନ୍ତି । ଆଉ ଯଦି ୧୩୦ କୋଟି ଭାରତୀୟ ଏହି ପଣ କରିନିଅନ୍ତି ତେବେ ଏହାର ସାଂଘାତିକ ପରିଣାମ ଭୋଗିବ ଚୀନ୍ । ସୀମାରେ ଦାଦାଗିରି ଦେଖାଉଥିବା ଡ୍ରାଗନବାହିନୀ କ୍ଷଣିକରେ ଚିତ୍ ହୋଇପଡିବ । ତେଣୁ ଭାରତକୁ ନାଲିଆଖି ଦେଖାଇବା ପୂର୍ବରୁ ବେଜିଂକୁ ଭବିଷ୍ୟତ ବାବଦରେ ବାରମ୍ବାର ଭାବିବା ଆବଶ୍ୟକ ।