ସାତକୋଶିଆରେ ଖୋଜୁଛି ବନ ବିଭାଗ, ଆଠମଲ୍ଲିକରେ ବୁଲୁଛି ସୁନ୍ଦରୀ ! କ୍ୟାମେରାରେ କଏଦ ହେଲା ଚିତ୍ର, ଧରିବା ପାଇଁ ଆସିଲା ଜନ୍ତା ।

39

କନକ ବ୍ୟୁରୋ : ସାତକୋଶିଆ ଛାଡ଼ି ଆଠମଲ୍ଲିକରେ ପହଂଚି ଯାଇଛି ସୁନ୍ଦରୀ । ରାସ୍ତାକଡ଼ରେ ନିର୍ଭୟରେ ଘୁରି ବୁଲୁଥିବା ବାଘୁଣୀର ଚିତ୍ର କ୍ୟାମେରାରେ କଏଦ ହୋଇଛି । ସ୍ଥାନୀୟ ଅଂଚଳରେ ସୁନ୍ଦରୀ ଭୟର ବାତାବରଣ ସୃଷ୍ଟି କରିଥିବା ବେଳେ ତାକୁ କାବୁ କରିବାକୁ ଉଦ୍ୟମ ଜାରି ରଖିଛି ବନବିଭାଗ । ଯନ୍ତା ସାହାଯ୍ୟରେ ବାଘୁଣୀକୁ ଧରି ପୁଣି ଥରେ ସାତକୋଶିଆ ଅଂଚଳକୁ ଫେରାଇ ଆଣିବାକୁ ଯୋଜନା କରୁଛି ବନବିଭାଗ । ଏଥିପାଇଁ ବିଶେଷଜ୍ଞ ଟିମର ସହାୟତା ନିଆଯାଇଛି ।

ଜଙ୍ଗଲ ରାସ୍ତାରେ ବେଧଡକ୍ ଘୁରି ବୁଲୁଥିବା ଇଏ ହେଉଛି ସେହି ସୁନ୍ଦରୀ ବାଘୁଣୀ, ଯିଏ ବନାଚଂଳରେ ବସବାସ କରୁଥିବା ଲୋକଙ୍କ ନିଦ ହଜାଇ ଦେଇଛି । ଆଉ ବନ ବିଭାଗର କର୍ମଚାରୀଙ୍କୁ ନାକେଦମ୍ କରି ରଖିଛି । ସାତକୋଶିଆ ଅଭୟାରଣ୍ୟର କୋର ଅଂଚଳଠାରୁ ଢ଼େର ଦୂରକୁ ଚାଲି ଯାଇଛି ସୁନ୍ଦରୀ  । ବନ ବିଭାଗର କ୍ୟାମେରାରେ ବାଘୁଣୀର ଚିତ୍ର କଏଦ ହୋଇଥିବା ବେଳେ ଏହା ବୟାନ କରୁଛି ଯେ, ଲଗାମ୍୍ ବାହାରକୁ ଚାଲି ଯାଇଛି ବାନ୍ଧବଗଡ଼ର ରାଣୀ ।

ହାତୀଧରା ଜଙ୍ଗଲରେ ‘ସୁନ୍ଦରୀ’ । ନିର୍ଭୟରେ ଘୁରି ବୁଲୁଛି ବାଘୁଣୀ । କୋର ଏରିଆଠୁ ପ୍ରାୟ ୪୦ କିଲୋମିଟର ଅତିକ୍ରମ କରିଯାଇଥିବା ବାଘୁଣୀ ସୁନ୍ଦରୀ ଉପରେ ୨୪ ଘଂଟିଆ ନଜର ରଖିଛି ବନ ବିଭାଗ । ଆଉ ବାଘୁଣୀକୁ କାବୁ ପାଇଁ ସାତକୋଶିଆରେ ପହଂଚିଛି ୨ଟି ଜନ୍ତା । ଡେରାଡୁନ୍ ଏବଂ ନନ୍ଦନକାନନର ବିଶେଷଜ୍ଞ ଟିମର ସହାୟତାରେ ସୁନ୍ଦରୀକୁ ଧରି ପୁଣି ସାତକୋଶିଆର ଘଂଚ ଜଙ୍ଗଲରେ ଛାଡ଼ିବାକୁ ଲକ୍ଷ୍ୟ ରଖାଯାଇଛି ।

ସାତକୋଶିଆରୁ ଆଠମଲ୍ଲିକ୍ ରେଂଜକୁ ଚାଲି ଆସିଥିବା ସୁନ୍ଦରୀ, ସ୍ଥାନୀୟ ଅଂଚଳରେ ସୃଷ୍ଟି କରିଛି କୋକୁଆ ଭୟ । ବିପ୍ରଡିହରେ ଗୋରୁଙ୍କ ଉପରେ ଆକ୍ରମଣ, ଲେହେଡ଼ି ଗାଁରେ ଗାଈ ଶିକାର ଏବଂ ହାତିବାରୀ ଗାଁରେ ଜଣେ ମହିଳାଙ୍କ ଜୀବନ ଯିବା ଘଟଣା, ଏହି ଭୟକୁ ଆହୁରି ବଢ଼ାଇ ଦେଇଛି । ଫଳରେ ସିଦ୍ଧିପୁର, ଟାଙ୍ଗିଆଫସା ଏବଂ ଯଦୁପୁର ଗାଁରେ ଲୋକ ଭୟ ଭିତରେ ଦିନ କାଟୁଛନ୍ତି । ଆଉ ଏସବୁ ଭିତରେ ବଡ ପ୍ରଶ୍ନ ହେଉଛି ସୁନ୍ଦରୀ ଧରା ହୋଇ ସାତକୋଶିଆ ଫେରିଗଲା ପରେ ପୁଣି ଗାଁ ମୁହାଁ ହେବ ନାହିଁ ତ ?