ସରକାରଙ୍କ ଭୁଲ ଧରିଲେ ସିଏଜି । ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାରେ ୭୭ ପ୍ରତିଶତ ଲୋକଙ୍କୁ ମିଛ ନିଯୁକ୍ତି ନେଇ ରିପୋର୍ଟ ।

160

କନକ ବ୍ୟୁରୋ: ସିଏଜିଙ୍କ ତିନିଟି ଅଡିଟ ରିପୋର୍ଟ ବିଧାନସଭାରେ ଉପସ୍ଥାପନ ପରେ ଆଜି ପ୍ରେସମିଟରେ ଉପସ୍ଥାପନ କରିଛନ୍ତି ଓଡ଼ିଶାର ଆକାଉଂଟାଟ୍ ଜେନେରାଲ । ଏହି ରିପୋର୍ଟରେ “ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା’’ରେ ୭୭ ପ୍ରତିଶତ ଯୁବକ ଯୁବକତୀଙ୍କୁ ମିଛ ନିଯୁକ୍ତି ଦିଆଯାଇଥିବା କଥା ପଦାରେ ପଡ଼ିଛି । ସେହିଭଳି ଯେଉଁ ସପ୍ଲାୟରମାନେ ତାମିଲନାଡୁ ଓ ଅନ୍ୟ ରାଜ୍ୟର ଔଷଧ ନିଗମକୁ ନାପକିନ୍ ଓ ଚଷମା ଯେତିକି ଦରରେ ଯୋଗାଇଛନ୍ତି ଓଡ଼ିଶା ଔଷଧ ନିଗମକୁୁ ବି ସେହି ସପ୍ଲାୟରମାନେ ଢ଼େର ଅଧିକ ଦାମରେ ନାପକିନ୍ ଓ ଚଷମା ଯୋଗାଇବା ଦେଖାଯାଇଛି ।

ଯୋଜନାର ନାଁ “ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା’’, ଗ୍ରାମ୍ୟ ଯୁବକଯୁବତୀଙ୍କୁ ହୋଟେଲ ଶିଳ୍ପ, ବୟନ, ରିଟେଲ ବିଜ୍ନେସ ଭଳି ବିଭିନ୍ନ ଧନ୍ଦାମୂଳକ କାର୍ଯ୍ୟରେ ତାଲିମ ଦେବା ସହ ନିଯୁକ୍ତି ଦେବା ଏହାର ଲକ୍ଷ୍ୟ । ଏହି ଯୋଜନାରେ କେନ୍ଦ୍ର ୬୦ ପ୍ରତିଶତ ଅର୍ଥ ଦେଉଥିବା ବେଳେ ରାଜ୍ୟ ୪୦ ପ୍ରତିଶତ ଅର୍ଥ ଦେଇଥାଏ । ୨୦୧୪ରୁ ଓଡ଼ିଶାରେ ପଂଚାୟତିରାଜ ବିଭାଗ ତରଫରୁ “ଓରମାସ୍’’ ଏହି ତାଲିମ୍ ଓ ନିଯୁକ୍ତି କଥା ପରିଚାଳନା କରୁଛି । ଆଉ ଏଥିପାଇଁ ୫ ବର୍ଷରେ ଖର୍ଚ୍ଚ ହୋଇଛି ୫୬୮.୪୩ କୋଟି ଟଙ୍କା ।

ସରକାର ୨୦୧୪ରୁ ୨୦୧୯ ମଧ୍ୟରେ ୧.୩୨ ଲକ୍ଷ ଗ୍ରାମ୍ୟ ଯୁବକ/ଯୁବତୀଙ୍କୁ ତାଲିମ ଓ ନିଯୁକ୍ତି ଦେଇଥିବା ଦାବି କରିଛନ୍ତି । ସେମାନଙ୍କ ମଧ୍ୟରୁ ୧୪ ପ୍ରତିଶତ ପିଲାଙ୍କୁ ମିଛ ତାଲିମ ଦିଆଯାଇଥିବା ବେଳେ ୭୭ ପ୍ରତିଶତ ପିଲାଙ୍କୁ ମିଛ ନିଯୁକ୍ତି ଦିଆଯାଇଥିବା ସିଏଜି ଧରିଛନ୍ତି । ମିଛ କାଗଜପତ୍ର, ନକଲି ବ୍ୟାଙ୍କ୍ ଆକାଉଂଟ, ନକଲି ଇଏସଆଇ ଓ ପିଏଫ୍ ନମ୍ବର ବ୍ୟବହାର କରି ଲକ୍ଷ ଲକ୍ଷ ପିଲାଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ଅନ୍ତତଃ ୭୦ ପ୍ରତିଶତ ପିଲାଙ୍କୁ ଚାକିରି ନଦେଲେ ଟଙ୍କା ମିଳିବ ନାହିଁ ବୋଲି ନିୟମ ଥିବା ବେଳେ କାମ ପାଇଥିବା ୯୫ଟି ଘରୋଇ ସଂସ୍ଥା ପିଲାଙ୍କୁ ଚାକିରି ନଦେଇ କୋଟି କୋଟି ଟଙ୍କା ନେଇଯାଇଛନ୍ତି । ସିିଏଜି ମାତ୍ର ୧୮ଟି ସଂସ୍ଥାର ତଥ୍ୟ ଅଡିଟ କରିଥିବା ବେଳେ ସମସ୍ତ ନିଯୁକ୍ତିି ପତ୍ରର ପୁଙ୍ଖାନୁପୁଙ୍ଖ ଯାଂଚ୍ କରିବା ପାଇଁ ସରକାରଙ୍କୁ ସୁପାରିଶ କରିଛନ୍ତି । ସେହିଭଳି ଓଡ଼ିଶା ସରକାରଙ୍କ ପାଇଁ ୮୦ ଭାଗ ଔଷଧ ଓ ମେଡିକାଲ ସରଂଜାମ କିଣୁଥିବା ଓଡ଼ିଶା ରାଜ୍ୟ ଔଷଧ ନିଗମ ବା “ଓଏସ୍ଏମସିଏଲ’ ଅନ୍ୟ ରାଜ୍ୟ ଔଷଧ ନିଗମ ତୁଳନାରେ ଟେଣ୍ଡର ଜରିଆରେ ବି ଅଧିକ ରେଟ୍ରେ ଔଷଧ ଓ ମେଡିକାଲ ସରଂଜାମ କିଣୁଥିବା ଧରିଛନ୍ତି ସିଏଜି ।

କେତେକ କମ୍ପାନୀ ଅନ୍ୟ ରାଜ୍ୟ ଔଷଧ ନିଗମକୁ ଯେତିକି ଦରରେ “ଖୁସି’’ଯୋଜନାରେ ନାପକିନ୍ ଦେଇଛନ୍ତି ତା’ଠାରୁ ଅଧିକ ରେଟ୍ରେ ଓଡ଼ିଶା ଔଷଧ ନିଗମକୁ ନାପକିନ୍ ବିକିଛନ୍ତି । ୧୭.୨୬ ଲକ୍ଷ ସ୍କୁଲ ଛାତ୍ରୀଙ୍କ ପାଇଁ ନାପକିନ୍ କିଣାରେ ୮୫.୭୮ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ବର୍ଷକୁ ୧୫.୨୯ କୋଟି ଟଙ୍କା ଅଧିକ ବ୍ୟୟ ହୋଇଛି ଓ ଠିକାଦାର ବା ସପ୍ଲାୟରଙ୍କୁ ଅହେତୁକ ଅନୁଗ୍ରହ ଦେଖାଯାଇଛି ବୋଲି ସିଏଜି କହିଛନ୍ତି । ସେହିଭଳି “ସୁନେତ୍ର’ ଯୋଜନାରେ ୧୯,୭୮୮ ଚଷମା କିଣାଯାଇଥିବା ବେଳେ ଅଧିକ ୫୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ସିଏଜି ଦର୍ଶାଇଛନ୍ତି । ସିଏଜିଙ୍କର ଏହି ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହୋଇଥିବା ବେଳେ ସରକାର ଆଗକୁ ଏଭଳି ଅନେକ ଦୁର୍ନୀତି ଓ ତ୍ରୁଟି ଉପରେ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।