ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଉପରେ ପ୍ରଶ୍ନ ଉଠାଇଲେ ସିଏଜି : ଘର ପାଇବାରୁ ବଞ୍ଚିତ ଗ୍ରାମାଞ୍ଚଳର ୮ ଲକ୍ଷରୁ ଅଧିକ ହିତାଧିକାରୀ

942

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଉପରେ ପ୍ରଶ୍ନ ଉଠାଇଲେ ସିଏଜି । ରାଜ୍ୟର ଗ୍ରାମାଂଚଳରେ ୮ ଲକ୍ଷ ୫୯ ହଜାର ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି । ସିଏଜି ତାଙ୍କ ରିପୋର୍ଟରେ ଏହା ଦର୍ଶାଇଛନ୍ତି । ସରକାରୀ ବ୍ୟବସ୍ଥା ଅନୁସାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣର ହିତାଧିକାରୀଙ୍କୁ ରାଜ୍ୟ ସରକାର ଚିହ୍ନଟ କରିଥାନ୍ତି । ହେଲେ ସିଏଜି ରିପୋର୍ଟରେ କୁହାଯାଇଛି ଗ୍ରାମସଭା ଦ୍ୱାରା ଯୋଗ୍ୟ ୮ ଲକ୍ଷ ୫୯ ହଜାର ଲୋକଙ୍କୁ ସ୍ଥାୟୀ ତାଲିକାରୁ ବାଦ୍ ଦିଆଯାଇଛି ।

ଏଥିପାଇଁ ଏତେ ଲୋକ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି । ଏହା ସହ ୨୦୨୧ ମାର୍ଚ୍ଚ ସୁଦ୍ଧା ପରମାନେଂଟ ୱେଟିଂ ଲିଷ୍ଟ ଚୂଡାନ୍ତ କରାଯାଇପାରିନଥିଲା । ବିଭିନ୍ନ ବର୍ଗରେ ଉପଯୁକ୍ତ ପରିବାର ଉପଲବ୍ଧ ନହେବାରୁ ରାଜ୍ୟକୁ ଟାର୍ଗେଟ୍ର ୫ ଲକ୍ଷ ୨୭ ହଜାର ଆବଂଟିତ ଘରକୁ ଫେରାଇ ଦେଇଥିଲେ । ୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିଲେ । ଏଥିପାଇଁ ଇନ୍ଦିରା ଆବାସ ଯୋଜନାକୁ ପୁନର୍ଗଠନ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଯୋଜନାକୁ ୨୦୧୬ ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ କରିଥିଲେ ।