କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ସିଏଜି ଧରିଛି । ୱାର୍କ ଅର୍ଡରରେ ଜାଲିଆତି ହେବା ସହ ଅଣ ହିତାଧିକାରୀଙ୍କୁ ମିଳିଛି ଯୋଜନାର ଲାଭ । ପ୍ରଧାନମନ୍ତ୍ରୀ ଆବାସ ଓ ମନରେଗା କାମ ଏକ ସମୟରେ ହେଉଥିବା ସିଏଜିଙ୍କ ନଜରକୁ ଆସିଛି । ଏହି ଯୋଜନାରେ ଅନେକ ଘର ବ୍ୟବସାୟିକ ଉଦ୍ଦେଶ୍ୟରେ ନିର୍ମାଣ ହୋଇଥିବା ଜଣାପଡିଛି । ପାଣ୍ଠି ସଂଗ୍ରହରେ ବିଫଳତା ଯୋଗୁଁ ହିତାଧିକାରୀ ମୈାଳିକ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି ।

Advertisment

ହିତାଧିକାରୀଙ୍କୁ ଘର ମଞ୍ଜୁର ହେବାପରେ ଠିକ୍‌ ସମୟରେ ମଧ୍ୟ ଅର୍ଥ ପ୍ରଦାନ କରାଯାଇ ନାହିଁ । ଘର ମଞ୍ଜୁର ହେବାର ଗୋଟିଏ ସପ୍ତାହ ମଧ୍ୟରେ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରାଯିବା କଥା। କିନ୍ତୁ ୪୧୧୪୬ ଜଣ ହିତାଧିକାରୀ ପ୍ରଥମ କିସ୍ତି ଅର୍ଥ ଗୃହ ମଞ୍ଜୁରର ୭ ଦିନରୁ ୧୫୭୬ ଦିନ ପର୍ଯ୍ୟନ୍ତ ବିଳମ୍ବରେ ପାଇଛନ୍ତି। ଅନ୍ୟାନ୍ୟ ଯୋଜନାରୁ ପାଣ୍ଠି ସଂଗ୍ରହ କରିବାରେ ବିଫଳତା କାରଣରୁ ହିତାଧିକାରୀମାନେ ମୌଳିକ ସୁବିଧା ଯେପରିକି ପାନୀୟ ଜଳ, ଶୌଚାଳୟ, ବିଦ୍ୟୁତ ସଂଯୋଗ ଆଦିରୁ ବଞ୍ଚିତ ହୋଇଛନ୍ତି। ଅଡିଟ୍‌ରୁ ଜଣାପଡ଼ିଥିଲା ଯେ ୬୪୭ଟି ସଂପୂର୍ଣ୍ଣ ହୋଇଥିବା ଘର ମଧ୍ୟରୁ ୩୪୭ଟି ଘରେ କୌଣସି ଶୌଚାଳୟ ନଥିଲା। ୧୨୨ଟି ଘରେ ପାନୀୟ ଜଳ ସୁବିଧା ନଥିଲା । ୧୯୯ଟି ଘରେ କୌଣସି ବିଦ୍ୟୁତ୍‌ ସଂଯୋଗ କରାଯାଇ ନଥିଲା। ୨୯୧ଟି ଘରେ ଏଲପିଜି ବ୍ୟବସ୍ଥା ନଥିଲା । ଏପରିକି ୨୨ଟି ଘରକୁ କୌଣସି ଯୋଗାଯୋଗ ରାସ୍ତା ନଥିଲା ।

ଏହାବ୍ୟତୀତ ଅନ୍ୟାନ୍ୟ ମାଳମାଳ ଅନିୟମିତତା ସଂପର୍କରେ ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। କାର୍ଯ୍ୟ ନିର୍ଦ୍ଦେଶ ଜାରିରେ ଜାଲିଆତି ଠାରୁ ଆରମ୍ଭ କରି ଅଣ ହିତାଧିକାରୀମାନଙ୍କୁ ଦେୟ ପ୍ରଦାନ କରାଯାଇଛି। ଅସଂପୂର୍ଣ୍ଣ ଘରଗୁଡ଼ିକୁ ଆବାସସଫ୍ଟରେ ସଂପୂର୍ଣ୍ଣ ହୋଇଥିବା ଦର୍ଶାଯାଇଥିଲା। ବ୍ୟବସାୟିକ ଉଦ୍ଦେଶ୍ୟରେ ଏବଂ ବଡ଼ ଆକାରରେ ଘର ନିର୍ମାଣ କରାଯିବା ମଧ୍ୟ ପରିଲକ୍ଷିତ ହୋଇଥିଲା। ସେହିଭଳି ପ୍ରଶାସନିକ ପାଣ୍ଠିରୁ ଅଗ୍ରାହ୍ୟ ସାମଗ୍ରୀ ଉପରେ ୭.୮୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ବରଗଡ଼, ବଲାଙ୍ଗୀର, ଢେଙ୍କାନାଳ, ଗଂଜାମ, ମୟୂରଭଞ୍ଜ, ନବରଙ୍ଗପୁର, ପୁରୀ ଏବଂ ସୁବର୍ଣ୍ଣପୁର ଜିଲ୍ଲାରେ ସିଏଜି ନମୁନା ଘରର ଅଡିଟ୍ କରିଥିଲେ। ଆବାସସଫ୍ଟ ତଥ୍ୟରେ ଗୃହଗୁଡ଼ିକର ଭୌଗୋଳିକ ସ୍ଥିତି ସଂପର୍କରେ ବିଶ୍ଳେଷଣ କରାଯାଇଥିଲା।