ସିସିଡି ମାଲିକ ବିଜି ସିଦ୍ଧାର୍ଥଙ୍କ ମୃତଦେହ ଉଦ୍ଧାର ! ନେତ୍ରାବତୀ ନଦୀରୁ ମିଳିଲା ମୃତଦେହ ।

514

ଏସିଆର ସବୁଠାରୁ ବଡ କଫି କମ୍ପାନୀ କ୍ୟାଫେ କଫି ଡେ’ର ସଂସ୍ଥାପକ ତଥା ମାଲିକ ବିଜି ସିଦ୍ଧାର୍ଥଙ୍କ ମୃତଦେହ ଉଦ୍ଧାର । ନେତ୍ରାବତୀ ନଦୀରୁ ମୃତଦେହ ଉଦ୍ଧାର କଲେ କୋଷ୍ଟଗାର୍ଡ଼ । ମାଙ୍ଗାଲୁରୁରୁ ସୋମବାର ସନ୍ଧ୍ୟାରୁ ପରଠାରୁ ନିଖୋଜ ଥିଲେ ଭି.ଜି ସିଦ୍ଧାର୍ଥ । ନିଖୋଜ ପରଠାରୁ ତାଙ୍କ ଫୋନ୍ ବନ୍ଦ ଆସୁଥିବାବେଳେ ଡ୍ରାଇଭରର କହିବାନୁସାରେ ଉଲ୍ଳଲ ପୁଲରୁ ସେ ଡେଇଁପଡିଥିବା କଥା ଆଶଙ୍କା କରାଯାଉଥିଲା । ତେଣୁ ପୋଲିସ୍ ଏବଂ କୋଷ୍ଟଗାର୍ଡଙ୍କ ମିଳିତ ଚେଷ୍ଟାରେ ପାଣିରୁ ତାଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା ।

ରିପୋର୍ଟ ମୁତାବକ , ସୋମବାର ସନ୍ଧ୍ୟାବେଳେ ସିଦ୍ଧାର୍ଥ କାର୍ ନେଇ ଘରୁ ବାହାରିଥିଲେ । ମାଙ୍ଗାଲୁରୁ ପାଖରେ ଥିବା ନେତ୍ରାବତୀ ନଦୀ ପାଖରେ ପ୍ରସ୍ତୁତ ହୋଇଥିବା ପୋଲରେ କାର୍ ଅଟକାଇ କେଉଁଆଡେ ଚାଲିଯାଇଥିଲେ । ଏହି ସ୍ଥାନଟି ବାଙ୍ଗାଲୋରରୁ ପାଖାପାଖି ୩୭୫ କି.ମି. ଦୂରରେ ରହିଛି । ଘଣ୍ଟାଏ ପରେ ଯେତେବେଳେ ମାଲିକ କାର୍ ପାଖକୁ ଆସିଲେନାହିଁ ସେତେବେଳେ ଡ୍ରାଇଭର୍ ଙ୍କୁ ଚିନ୍ତା ହେବାକୁ ଲାଗିଲା ଏବଂ ସେ ସିଦ୍ଧାର୍ଥଙ୍କୁ ଖୋଜିବାକୁ ଲାଗିଲେ । ସିଦ୍ଧାର୍ଥଙ୍କ କୌଣସି ଖବର ନ ମିଳିବାରୁ ଡ୍ରାଇଭର୍ ପରିବାର ଏବଂ ପୋଲିସଙ୍କୁ ଏନେଇ ଖବର ଦେଲେ । ପୋଲିସକୁ ମିଳିଥିବା ସୂତ୍ର ଅନୁସାରେ , ନିଖୋଜ ହେବା ପୂର୍ବରୁ ସିଦ୍ଧାର୍ଥ ନିଜ ସିଏଫଓଙ୍କ ସହ କଥାବାର୍ତ୍ତା କରି କମ୍ପାନୀର ଯତ୍ନ ନେବାକୁ କହିଥିଲେ । ତେବେ ସୂତ୍ର ଅନୁସାରେ ସିସିଡି ଉପରେ ୭ ହଜାର କୋଟି ଟଙ୍କାର କରଜ ଥିଲା । କରଜ କାରଣରୁ ସିଦ୍ଧାର୍ଥ ଆତ୍ମହତ୍ୟା କରିଥିବା କଥା ପୋଲିସ୍ ଆଶଙ୍କା କରୁଛି ।