ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପୂର୍ବରୁ ମୋଦୀଙ୍କ ଘରେ ବସିବ ବୈଠକ : ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେବେ ନଡ୍ଡା, ଶାହା

108

କନକ ବ୍ୟୁରୋ : କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବସୁଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଏଥିରେ ମୋଦି ମନ୍ତ୍ରିମଣ୍ଡଳର ଟପ୍ ମନ୍ତ୍ରୀଙ୍କ ସହ ବିଜେପି ପଦାଧିକାରୀ ସାମିଲ ହେବେ । ଅମିତ ଶାହା, ରାଜନାଥ ସିଂହ ଓ ନିର୍ମଳା ସୀତାରମଣଙ୍କ ସହ ଅନ୍ୟ କ୍ୟାବିନେଟ ମନ୍ତ୍ରୀ ଏହି ବୈଠକରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି ।

ସେହିପରି ବିଜେପି ରାଷ୍ଟ୍ରୀୟ ଅଧକ୍ଷ୍ୟ ଜେପି ନଡ୍ଡା ମଧ୍ୟ ବୈଠକରେ ସାମିଲ ହେବେ । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ମନ୍ତ୍ରୀମାନଙ୍କ ପ୍ରଦର୍ଶନ ସହ ଆଗାମୀ ରଣନୀତି ନେଇ ରୂପରେଖ ପ୍ରସ୍ତୁତ ହେବ ବୋଲି ଜଣାପଡିଛି । ଦ୍ୱିତୀୟ ପାଳିର ଦୁଇବର୍ଷ ପୂର୍ତ୍ତି ପରେ ଗତ ଜୁନ୍ ୨୦ ତାରିଖରେ ପ୍ରଧାନମନ୍ତ୍ରୀ କ୍ୟାବିନେଟ ମନ୍ତ୍ରୀମାନଙ୍କ ପ୍ରଦର୍ଶନର ସମୀକ୍ଷା କରିଥିଲେ । ଏବେ ମନ୍ତ୍ରୀଙ୍କ ସଂଖ୍ୟା ୫୩ ରହିଥିବା ବେଳେ ଏକ ଡଜନରୁ ଅଧିକ ମନ୍ତ୍ରୀଙ୍କ ପାଖରେ ଏକାଧିକ ମନ୍ତ୍ରାଳୟର ଦାୟିତ୍ୱ ରହିଛି । ତେଣୁ ମନ୍ତ୍ରୀଙ୍କ ଦାୟିତ୍ୱ ହାଲୁକା କରିବା ସହ ରାଜନୈତିକ ଦୃଷ୍ଟିକୋଣକୁ ଆଖିରେ ରଖି ନିଷ୍ପତ୍ତି ନେଇପାରନ୍ତି ପ୍ରଧାନମନ୍ତ୍ରୀ । ଏହାକୁ ୮୧ ଯାଏଁ ସଂପ୍ରସାରଣ କରାଯାଇ ପାରିବ । ମନ୍ତ୍ରୀ ମଣ୍ଡଳରେ କେତେକ ନୂଆ ସାଂସଦଙ୍କୁ ସାମିଲ କରାଯାଇପାରେ, ଆଉ କିଛି ମନ୍ତ୍ରୀଙ୍କ ବିଭାଗ ପରିବର୍ତ୍ତନ ହେବା ସମ୍ଭାବନା ମଧ୍ୟ ରହିଛି ।

ଆସନ୍ତା ବର୍ଷ ୫ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନକୁ ଆଖିରେ ରଖି ନୂଆ ଚେହେରାକୁ ମୋଦୀ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ । ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ଦୁଇଟି ପର୍ଯ୍ୟାୟରେ କ୍ୟାବିନେଟ ସଂପ୍ରସାରଣ ହେବ । ଜୁଲାଇ ୭ତାରିଖ ପୂର୍ବରୁ କ୍ୟାବିନେଟର ପ୍ରଥମ ସଂପ୍ରସାରଣ ଓ ସଂସଦର ମୌସୁମୀ ଅଧିବେଶନ ପରେ ଦ୍ୱିତୀୟ ସଂପ୍ରସାରଣ ହେବା ସମ୍ଭାବନା ରହିଛି । ମଧ୍ୟପ୍ରଦେଶ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, ଓଡିଶା ସାଂସଦ ଅଶ୍ୱିନୀ ବୈଷ୍ଣବ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ମନ୍ତ୍ରୀ ପଦ ମିଳିପାରେ ।

ବୈଜୟନ୍ତ ପଣ୍ଡାଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ କରାଯିବା ନେଇ ଚର୍ଚ୍ଚା ଚାଲିଛି । ଏଥିପାଇଁ କିଛି ଦିନ ହେଲା ପ୍ରସ୍ତୁତି ଚାଲିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ନିଜେ ପ୍ରଧାନମନ୍ତ୍ରୀ ବିଭିନ୍ନ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ସମୀକ୍ଷା କରୁଛନ୍ତି ଏବଂ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଛନ୍ତି ।